ଜାମନଗର: କେରଳରେ ଜନ୍ମରୁ ଅନଥା ହାତୀ ଛୁଆ ମାୟା ଉନ୍ନତ ଚିକିତ୍ସା ପାଇଁ ଗୁଜରାଟର ବନତାରା ଏୟାରଲିଫ୍ଟ କରାଯାଇଛି । ମାୟାର ଆଗ ଦୁଇ ଗୋଡ଼ରେ ଫ୍ରାକ୍ଚର ଅଛି ଏବଂ ତାର ହାଡ଼ଗୁଡ଼ିକ ମଧ୍ୟ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି । ଅନନ୍ତ ଅମ୍ୱାନୀଙ୍କ ହସ୍ତକ୍ଷେପରେ ବନତାରାର ବିଶେଷଜ୍ଞ ଡାକ୍ତରୀ ଟିମ୍ ମାୟାର ଚିକିତ୍ସା କରିବେ । କେରଳର ଚିଫ୍ ୱାଇଲ୍ଡଲାଇଫ୍ ୱାର୍ଡନ ଡା.ପି.ପୁଗାଝୋଣ୍ଡି ଏହି ସ୍ଥାନାନ୍ତରଣ ଅର୍ଡର ଜାରି କରିଛନ୍ତି ।

ମାତ୍ର ୧୮ ମାସର ଜୀବନରେ ଜନ୍ମରୁ ହିଁ ସଂଘର୍ଷ । ମାଆଠାରୁ ଅଲଗା ହେବା ପରେ ଏବେ ଗୁରୁତର ଅସୁସ୍ଥତା ସହ ଲଢ଼ୁଛି ହାତୀ ଛୁଆ ମାୟା । ତା'ର ଜୀବନ ବଞ୍ଚାଇବାକୁ ଆଗେଇ ଆସିଛି ଅନନ୍ତ ଅମ୍ୱାନୀଙ୍କ ବନତାରା । କେରଳରୁ ସ୍ୱତନ୍ତ୍ର ବିମାନ ଯୋଗେ ମାୟାକୁ ଜାମନଗର ନିଆଯାଇଛି । ସେଠାରେ ତାକୁ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ କରାଯିବା ସହ ଓ ୨୪ ଘଣ୍ଟିଆ ଡାକ୍ତରୀ ତଦାରଖ ମିଳିବ ।

ଉଲ୍ଲେଖଯୋଗ୍ୟ ଯେ କେରଳର ମାଲାୟାଟୁର ଡିଭିଜନ୍ ଅନ୍ତର୍ଗତ କାପ୍ରିକ୍କାଡ୍ ଅଞ୍ଚଳରେ ୨୦୨୫ ଏପ୍ରିଲ ୧୯ରେ ଏକ ନବଜାତ ହାତୀ ଛୁଆକୁ ଠାବ କରିଥିଲେ ବନ ବିଭାଗର କର୍ମଚାରୀ । ହାତୀପଲ ନଦୀ ପାର ହୋଇ ଆଗକୁ ଚାଲିଯାଇଥିବା ବେଳେ ଛୁଆଟି ସେଠାରେ ରହିଯାଇଥିଲା । ସେତେବେଳେ ଛୁଆଟି ଅତ୍ୟନ୍ତ ଦୁର୍ବଳ ଥିଲା । ଶରୀରରେ ଜଳୀୟ ଅଂଶର ଅଭାବ ଥିଲା । ଏପରିକି ମାଆର ପ୍ରଥମ କ୍ଷୀର ମଧ୍ୟ ପିଇବାର ସୁଯୋଗ ପାଇନଥିଲା । ମାଆ ଓ ହାତୀପଲ ଫେରି ନଆସିବାରୁ ବନ ବିଭାଗ ତାକୁ ଉଦ୍ଧାର କରିଥିଲା । ମାୟା ନିଜେ କ୍ଷୀର ପିଇବାକୁ ମଧ୍ୟ ସକ୍ଷମ ନଥିଲା । ତେଣୁ ବନ ବିଭାଗର କର୍ମଚାରୀମାନେ ହାତରେ କ୍ଷୀର ପିଆଇ ତାର ଲାଳନପାଳନ କରିଥିଲେ ।

ତେବେ ୨୦୨୬ ଜୁଲାଇ ୨ରେ ମାୟା ସହ ଅଘଟଣ ଘଟିଥିଲା । ଖେଳୁଥିବା ସମୟରେ ହଠାତ୍ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ତାର ଡାହାଣ କାନ୍ଧରେ ଆଘାତ ଲାଗିଥିଲା । ଔଷଧ, ଫିଜିଓଥେରାପି ସହ କ୍ୟାଲସିୟମ୍ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏତେ ସବୁ ଚିକିତ୍ସା ସତ୍ତ୍ୱେ ତାର ସ୍ୱାସ୍ଥ୍ୟରେ ସୁଧାର ଆସିନଥିଲା । ଧୀରେ ଧୀରେ ତାର ହାଡ଼ ଅଧିକ ଦୁର୍ବଳ ହୋଇପଡ଼ିଥିଲା । ଏକାଧିକ ସ୍ଥାନରେ ହାଡ଼ ଭାଙ୍ଗିଯାଇଥିଲା । ଅକ୍ଟୋବର ଶେଷ ସୁଦ୍ଧା ସେ ନିଜ ଗୋଡ଼ରେ ଛିଡ଼ା ମଧ୍ୟ ହୋଇପାରିଲା ନାହିଁ । ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ତାର ବାମ ପଟର ଆଗ ଗୋଡ଼ର ହ୍ୟୁମେରସ୍ ହାଡ଼ ଭାଙ୍ଗିଯାଇଛି । ଡାହାଣ ଆଗ ଗୋଡ଼ର ରେଡିୟସ୍ ହାଡ଼ରେ ମଧ୍ୟ ଏକାଧିକ ଫ୍ରାକ୍ଚର ରହିଛି । ଛାତିରେ ସଂକ୍ରମଣ ଏବଂ ଦୀର୍ଘ ସମୟ ଶୋଇ ରହିବା କାରଣରୁ ଶରୀରରେ କ୍ଷତ ମଧ୍ୟ ସୃଷ୍ଟି ହୋଇଥିଲା ।

ମାୟାର ଚିକିତ୍ସା ପାଇଁ କେରଳ ୱାଇଲ୍ଡଲାଇଫ୍ ୱାର୍ଡନ ବିଶେଷଜ୍ଞଙ୍କ ରାୟ ମାଗିଥିଲେ । ପଦ୍ମଶ୍ରୀରେ ସମ୍ମାନିତ ହାତୀ ବିଶେଷଜ୍ଞ ତଥା ବନତାରାର ଭେଟିନାରୀ ପରାମର୍ଶଦାତା ଡାକ୍ତର କୁଶଳ କୋଁୱର ଶର୍ମା ମଧ୍ୟ ସାମିଲ ହୋଇଥିଲେ । ସେ ମାୟାର ପାରାଥାଇରଏଡ୍ ଗ୍ରନ୍ଥି ସମ୍ପର୍କିତ କୌଣସି ସମସ୍ୟା ଥାଇପାରେ ବୋଲି ଆଶଂକା ପ୍ରକାଶ କରିଥିଲେ । ଯାହାର ଚିକିତ୍ସା ସମ୍ଭବ ହୋଇପାରେ । ବନତାରାର ହାତୀ ଚିକିତ୍ସା କେନ୍ଦ୍ରର ମୁଖ୍ୟ ପଶୁ ଚିକିତ୍ସକ ଡାକ୍ତର ଯଦୁରାଜ ଖଡ଼ପେକର ମଧ୍ୟ ଏହାର ସମର୍ଥନ କରିଥିଲେ । ଏହାପରେ ମାୟାକୁ ଜାମନଗର ପଠାଇବାକୁ ଡାକ୍ତରୀ ବୋର୍ଡ ସହମତି ପ୍ରକାଶ କରିଥିଲା ।

ନଭେମ୍ବର ୬ରେ ମାୟାକୁ କେରଳରୁ ଗୁଜରାଟର ଜାମନଗରସ୍ଥିତ ବନତାରାକୁ ଏୟାରଲିଫ୍ଟ କରାଯାଇଥିଲା । ଏଥିପାଇଁ ସ୍ୱତନ୍ତ୍ର ବିମାନ ଓ ଡାକ୍ତରୀ ସହାୟତାର ବ୍ୟବସ୍ଥା ହୋଇଥିଲା । ବନତାରାର ତିନିଜଣ ହାତୀ ବିଶେଷଜ୍ଞ ଡାକ୍ତର, ପାରାଭେଟ୍ ଏବଂ ଯତ୍ନ ନେଉଥିବା କର୍ମଚାରୀ ତା' ସହ ଯାତ୍ରା କରିଥିଲେ । କେରଳ ବନ ବିଭାଗର ଡାକ୍ତର ବିନୋୟ ସି.ବାବୁ ଏବଂ ମାୟାର ପରିଚିତ କେୟାରଟେକର ନିଖିଲ ବାବୁ ମଧ୍ୟ ତା' ସହ ଯାଇଥିଲେ ।

ଜାମନଗରରେ ମାୟାକୁ ୨୪ ଘଣ୍ଟିଆ ଡାକ୍ତରୀ ତଦାରଖରେ ରଖାଯିବ । ତାକୁ ସୁରକ୍ଷିତ ଭାବେ ଉଠାଇବା ଓ ଶରୀରର ସ୍ଥିତି ବଦଳାଇବା ପାଇଁ ହାଇଡ୍ରୋଲିକ୍ ଲିଫ୍ଟିଂ ମେସିନ୍ ବ୍ୟବହାର କରାଯିବ । ଆବଶ୍ୟକତା ଅନୁସାରେ ହର୍ମୋନ୍ ଥେରାପି ଓ ହାଇଡ୍ରୋଥେରାପି ମଧ୍ୟ ଦିଆଯାଇପାରେ । ମାୟାର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବନତାରା ବହନ କରିବ । ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ଭଲ ହେଲେ ତାକୁ ପୁଣି କେରଳର ଅଭୟାରଣ୍ୟକୁ ଫେରାଇ ନିଆଯିବ ।