ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଏବେ ଗୋଟିଏ ବଡ଼ ପ୍ରଶ୍ନ- ଷ୍ଟାର୍ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କ କ୍ରିକେଟ୍ କ୍ୟାରିୟର କ’ଣ ଶେଷ ହୋଇଯାଇଛି? ସେ କ’ଣ ଆଉ କେବେ ନୀଳ ଜର୍ସିରେ ମଇଦାନକୁ ଓହ୍ଲାଇବେ ନାହିଁ ? ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ରେ ଲଗାତାର ୩ଟି ଅର୍ଦ୍ଧଶତକ ହାସଲ କରି ଭାରତକୁ ବିଶ୍ୱବିଜେତା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଖେଳାଳିଙ୍କୁ ହଠାତ୍ ଜିମ୍ବାୱେ ଗସ୍ତରୁ ବାଦ୍ ଦିଆଯିବା ପରେ ଚର୍ଚ୍ଚା ଜୋର୍ ଧରିଛି।

ଇଂଲଣ୍ଡ ଗସ୍ତ ସମୟରେ ସଞ୍ଜୁ ୩ଟି ଇନିଂସରୁ ମାତ୍ର ୬ ରନ୍ ସଂଗ୍ରହ କରିପାରିଥିଲେ। ଏହାପରେ ତାଙ୍କ ସ୍ଥାନରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସୁଯୋଗ ମିଳିଥିଲା। ପ୍ରଥମେ ଚୂଡ଼ାନ୍ତ ଏକାଦଶ ଏବଂ ପରେ ସମ୍ପୂର୍ଣ୍ଣ ସ୍କ୍ୱାଡରୁ ସଞ୍ଜୁ ବାଦ୍ ପଡ଼ିବା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ତେବେ ଏହା ପଛର ପ୍ରକୃତ କାରଣ କ’ଣ ଏବଂ ସଞ୍ଜୁଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି କି ? 

Also Read: ଆଖି ବୁଜିଲେ କ୍ରିକେଟର ଶାପୁର ଜାଦରାନ, ବିରଳ ରୋଗ ସହ ଲଢି ୩୮ ବର୍ଷରେ ପରଲୋକ

ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ କରିବେ ପ୍ରତ୍ୟାବର୍ତ୍ତନ

ପ୍ରଶଂସକଙ୍କ ପାଇଁ ଆଶ୍ଵସ୍ତିକର ଖବର ହେଉଛି ଯେ, ସଞ୍ଜୁ ସାମସନ ଟିମ୍ ଇଣ୍ଡିଆରୁ ସବୁ ଦିନନ ପାଇଁ ବାହାର ହୋଇନାହାନ୍ତି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଜାପାନରେ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମେଗା ଇଭେଣ୍ଟ ପାଇଁ ବିସିସିଆଇ (BCCI) ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ଭାରତୀୟ ଦଳରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି। ତେଣୁ ସେ ଖୁବଶୀଘ୍ର ଦଳକୁ ଫେରିବା ସୂଚନା ମିଳିଛି।

ଜିମ୍ବାୱେ ଗସ୍ତରୁ କାହିଁକି ବାଦ୍ ପଡ଼ିଲେ ?

ରିପୋର୍ଟ ଅନୁଯାୟୀ, ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ଭିନ୍ନ ରଣନୀତି ପ୍ରସ୍ତୁତ କରିଛି। ବିସିସିଆଇର ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଗସ୍ତରେ କେବଳ ଯୁବ ତଥା ନୂଆ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଯୋଜନା କରାଯାଇଛି। ଯଦି ସଞ୍ଜୁଙ୍କୁ ଏହି ଦଳରେ ଚୟନ କରାଯାଇଥାନ୍ତା, ତେବେ ମଧ୍ୟ ରୋଟେସନ୍ ପଲିସି ଯୋଗୁଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା କଷ୍ଟକର ଥିଲା। ତେଣୁ ତାଙ୍କୁ ବିଶ୍ରାମ ଦିଆଯାଇ ଆଗାମୀ ବଡ଼ ମ୍ୟାଚ୍ ପାଇଁ ପ୍ରସ୍ତୁତ ରଖାଯାଇଛି।

Also Read: ୪୫ ବର୍ଷରେ କ୍ୟାପ୍ଟେନ୍ କୁଲ୍ : ଭାରତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ, ଆଜି ବି ସେ BOSS

ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ

ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା (ଉପ-ଅଧିନାୟକ), ଈଶାନ କିଷନ (ୱିକେଟକିପର), ଶିବମ ଦୁବେ, ସୂର୍ଯ୍ୟାଂଶ ଶେଡଗେ, ରିଙ୍କୁ ସିଂହ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଏବଂ ପ୍ରଭସିମରନ ସିଂହ (ୱିକେଟକିପର)।