ନୂଆଦିଲ୍ଲୀ,|୦୭:ଧୋନୀ-ଧୋନୀ-ଧୋନୀ । ଭାରତୀୟ ଦଳର କ୍ୟାପ୍ଟେନ୍ କୁଲ୍ । ସବୁଠୁ ସଫଳ ଅଧିନାୟକ । ଦଳକୁ ଜିତାଇଛନ୍ତି ସବୁ ଟ୍ରଫି । ୨୦୦୭ ଟି୨୦ ବିଶ୍ୱକପଠୁ ଆରମ୍ଭ କରି ୨୦୧୧ ଦିନିକିଆ ବିଶ୍ୱକପ୍ । ଧୋନୀଙ୍କ ନେତୃତ୍ୱରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଅନ୍ତର୍ଜାତୀୟ କ୍ରିକେଟରୁ ନେଇ ସାରିଛନ୍ତି ଅବସର । ହେଲେ ଆଇପିଏଲରେ ଏବେବି ଆକ୍ଟିଭ୍ । ଆଜି ହେଉଛି ଭାରତୀୟ କ୍ରିକେଟରୁ ନୂଆ ଶିଖରରେ ପହଁଚାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମ ଦିନ । ୪୫ ବର୍ଷରେ ପାଦ ଥାପିଛନ୍ତି ଏହି କ୍ରିକେଟର୍ ମେକର୍ ।

ଯେତେବେଳେ ବି ଭାରତୀୟ କ୍ରିକେଟରେ ମହାନ ତାରକାରେ କଥା ଆସିବ ସଦାବେଳେ ଧୋନୀଙ୍କ କଥା ମନେ ପଡ଼ିବ । ୧୯୮୧ ମସିହା ଜୁଲାଇ ୭ ତାରିଖରେ ତାଙ୍କର ଜନ୍ମ । ଆଜି ସେ ନିଜର ୪୫ ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଏକ ସାଧାରଣ ପରିବାରରେ ସେ ଜନ୍ମ ହୋଇଥିଲେ । ପିଲାଦିନୁ ଫୁଟବଲ ପ୍ରତି ରୁଚିଥିଲା । ପରେ ଏହା କ୍ରିକେଟକୁ ପରିବର୍ତ୍ତନ ହୋଇଥିଲା । ଯାହା ଲେଖିଥିଲା ନୂଆ ଇତିହାସ । ଭାରତୀୟ କ୍ରିକେଟର ଗଢିଥିଲା ଭବିଷ୍ୟତ ।

୨୦୦୪ରେ ବାଂଲାଦେଶ ବିପକ୍ଷରେ ଧୋନୀ ଖେଳିଥିଲେ ପଦାର୍ପଣ ମୁକାବିଲା । କିନ୍ତୁ ଭଲ ଖେଳିନଥିଲେ । ୨୦୦୫ରେ ସେ ଦେଖାଇଥିଲେ ନିଜର ପ୍ରକୃତ ପ୍ରତିଭା । ପାକିସ୍ତାନ ବିପକ୍ଷରେ ଗର୍ଜିଥିଲା ତାଙ୍କର ବ୍ୟାଟ୍ । ପାକ୍ ବିପକ୍ଷରେ ୧୪୮ ରନର ଇନିଂସ ଏବଂ ସେହି ବର୍ଷ ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନର ଇନିଂସ କେହି ଭୁଲି ପାରିବେ ନାହିଁ । ଚଉକା ଅପେକ୍ଷା ଛକାରେ ବେଶି ଡିଲ୍ କରୁଥିଲେ ମାହି । ହେଲିକପ୍ଟର ସଟ୍ ଲଗାଇ ବିପକ୍ଷ ବୋଲରଙ୍କୁ ହଇରାଣରେ ପକାଇ ଦେଉଥିଲେ ।

୨୦୦୭ ଭାରତୀୟ କ୍ରିକେଟରେ ସାବ୍ୟସ୍ତ ହୋଇଥିଲା ସବୁଠୁ ବଡ ମୋଡ଼ । ସିନିଅର ଖେଳାଳି ଥିବା ସତ୍ତ୍ୱେ ମାହିଙ୍କୁ ଟି୨୦ ବିଶ୍ୱକପ୍ ପାଇଁ ଦଳର ଅଧିନାୟକ କରାଯାଇଥିଲା । ସେ ଦଳକୁ ଟ୍ରଫି ଦେଇଥିଲେ । ଏହାପରେ ସେ ଆଉ ପଛକୁ ହଟିନଥିଲେ । ନିଜର ଶାନ୍ତ ସ୍ୱଭାବ, କୁଲ୍ ଅନ୍ଦାଜ ତାଙ୍କୁ ସମସ୍ତଙ୍କର ପ୍ରିୟ କ୍ରିକେଟର ବନେଇ ଦେଇଥିଲା । ସେ ପଲଟି ଯାଇଥିଲେ ହିରୋ ।

୨୦୧୧ ଦିନିକିଆ ବିଶ୍ୱକପ୍ ଫାଇନାଲ୍ କେହି ଭୁଲି ନଥିବେ । ଭାରତୀୟ ଦଳ ସଙ୍କଟରେ ଥିବା ବେଳେ କ୍ରିଜକୁ ଆସିଥିଲେ ଧୋନୀ । ମୁକାବିଲା କରିଥିଲେ । ୯୧ ରନର ଅପରାଜିତ ଇନିଂସ । ଆଉ ଦଳକୁ କରିଥିଲେ ବିଶ୍ୱ ବିଜେତା । ଛକା ମାରି ଦଳକୁ ଦେଇଥିଲେ ବିଶ୍ୱକପ୍ । ଯାହାର ଭିଡିଓ ଆଜି ବି ଭାଇରାଲ ହୁଏ । ୨୦୧୩ରେ ମଧ୍ୟ ସେ ଦଳକୁ ଚାମ୍ପିଅନ୍ସ ଟ୍ରଫିରେ ବିଜେତା କରାଇଥିଲେ ।

ଓ୍ୱିକେଟ୍ କିପିଂରେ ତାଙ୍କର ବିକଳ୍ପ ନାହିଁ । ବିଜୁଳି ବେଗରେ ସେ ଷ୍ଟମ୍ପିଂ କରନ୍ତି । ନଦେଖି ରନ୍ ଆଉଟ୍ କରିବାର କୌଶଳ ତାଙ୍କୁ ଜଣା । ସେ ଭାରତ ପକ୍ଷରୁ ୯୦ଟି ଟେଷ୍ଟ୍, ୩୫୦ ଦିନିକିଆ ଏବଂ ୯୮ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାଁରେ ୧୭ ହଜାରରୁ ଅଧିକ ଅନ୍ତର୍ଜାତୀୟ ରନ୍ ରହିଛି । ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ଆଇସିସି ଟେଷ୍ଟ୍ ରାଙ୍କିଂରେ ଏକ ନମ୍ବର ସ୍ଥାନ ପାଇଥିଲା ।

ଆଇପିଏଲରେ ମଧ୍ୟ ଧୋନୀଙ୍କ ଜଲଓ୍ୱା ବେଶି । ଚେନ୍ନାଇ ସୁପର କିଙ୍ଗକୁ ସେ ୫ ଥର ଚାମ୍ପିଅନ କରିଛନ୍ତି । ଫ୍ରାଞ୍ଚାଇଜ୍ କ୍ରିକେଟରେ ସବୁଠୁ ସଫଳ ଅଧିନାୟକ ଭାବେ ସେ ଆଗରେ । ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ଜନ୍ମ ଦିନରେ ତାଙ୍କର କୋଟି କୋଟି ଫ୍ୟାନ୍ସ ଶୁଭେଚ୍ଛା ଜଣାଉଛନ୍ତି । ଏହାସହ ସେ ଦୀର୍ଘଦିନ ଖେଳନ୍ତୁ ବୋଲି ମଧ୍ୟ ଆଶା କରୁଛନ୍ତି ।