ନୂଆଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ ପୂର୍ବତନ ଦ୍ରୁତ ବୋଲର । ଆଫଗାନିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦରାନଙ୍କ ୩୮ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଏକ ବିରଳ ରୋଗ ସହ ସଂଘର୍ଷ କରୁଥିଲେ । ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ସେୟାର କରି ଶାପୁରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛି ।

ଶାପୁର ଜାଦରାନ ଦିଲ୍ଲୀ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ 'ହିମୋଫାଗୋସାଇଟିକ୍ ଲିମ୍ଫୋହିଷ୍ଟିଓସାଇଟୋସିସ୍' (HLH) ନାମକ ଏକ ବିରଳ ରୋଗରେ ପୀଡ଼ିତ ଥିଲେ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ । ତାଙ୍କର ଏହି ଚିକିତ୍ସା ଗତ କିଛି ମାସ ହେବ ଚାଲିଥିଲା ।

ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଶ୍ରଦ୍ଧାଞ୍ଜଳି

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏକ୍ସରେ ଲେଖିଛି, "ଅତ୍ୟନ୍ତ ଦୁଃଖ ଏବଂ ଗଭୀର ଶୋକର ସହ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦରାନଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛି । ଶାପୁର ଆଫଗାନିସ୍ତାନ କ୍ରିକେଟର ମୂଳଦୁଆ ପକାଇଥିବା ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ନିଷ୍ଠା, ଆବେଗ ଏବଂ ଅଦମ୍ୟ ପ୍ରତିବଦ୍ଧତା ଆମ ଦେଶରେ ଏହି ଖେଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।"

ଶାପୁରଙ୍କ କ୍ରିକେଟ କ୍ୟାରିୟର

ଶାପୁର ଜାଦରାନ ଆଫଗାନିସ୍ତାନ ପାଇଁ ମୋଟ ୮୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ୪୪ଟି ଏକଦିବସୀୟ ଏବଂ ୩୬ଟି ଟି-୨୦ ମ୍ୟାଚ୍ ସାମିଲ ରହିଛି । ଦିନିକିଆରେ ସେ ୩୬.୯୫ ହାରରେ ୪୩ ୱିକେଟ୍ ନେଇଥିଲେ । ଅନ୍ୟପଟେ ଟି-୨୦ କ୍ୟାରିୟରରେ ସେ ୨୪.୫୧ ହାରରେ ୩୭ ୱିକେଟ୍ ନେଇଥିଲେ । ୨୦୧୫ ବିଶ୍ୱକପରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ପ୍ରଥମ ବିଜୟରେ ସେ ବିଜୟୀ ଚୌକା ମାରି ଦଳକୁ ଜିତାଇଥିଲେ, ଯାହା ଆଫଗାନିସ୍ତାନ କ୍ରିକେଟ ଇତିହାସର ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଛି । ସେ ୨୦୨୫ ଜାନୁଆରୀରେ କ୍ରିକେଟରୁ ସମ୍ପୂର୍ଣ୍ଣ ଅବସର ଘୋଷଣା କରିଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ସାରା ବିଶ୍ୱର କ୍ରିକେଟ ପ୍ରେମୀ ଏବଂ ଆଫଗାନିସ୍ତାନ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।