ନୂଆଦିଲ୍ଲୀ: ସୁନା, ଅଳଙ୍କାର, ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀର ବଡ଼ ବଡ଼ ଚୋରି ଘଟଣା ଶୁଣିଥିବେ । କିନ୍ତୁ ଇଟାଲୀରେ ସବୁଠୁ ବଡ଼ ମଦ ଚୋରି ଘଟଣା ସାମନାକୁ ଆସିଛି । ଇଟାଲୀର ଏକ ପ୍ରସିଦ୍ଧ ୱାଇନେରୀରୁ ୫ ନିୟୁତ ୟୁରୋ ପ୍ରାୟ ୫୪.୨୧ କୋଟି ଟଙ୍କାର ୩୦,୦୦୦ ବୋତଲ ମଦ ଚୋରି ହୋଇଛି । ଇଟାଲୀ ଇତିହାସରେ ସବୁଠାରୁ ବଡ଼ ମଦ ଚୋରି ବୋଲି ଦାବି କରାଯାଉଛି ।

'ମାର୍କେସି ଆଣ୍ଟିନୋରୀ' କମ୍ପାନି ପକ୍ଷରୁ କୁହାଯାଇଛି, ବିଦେଶୀଙ୍କ ମଧ୍ୟରେ ସବୁଠାରୁ ଅଧିକ ଚାହିଦା ଥିବା ଇଟାଲୀୟ ମଜ ଗାଏବ ହୋଇଯାଇଛି । କମ୍ପାନିର ସିଇଓ ଏହାକୁ ଏକ ଅଭୂତପୂର୍ବ ଚୋରି ବୋଲି ବର୍ଣ୍ଣନା କରିଛନ୍ତି । ଏହି ଚୋରି ଅକ୍ଟୋବର ୩ରେ ମଧ୍ୟ-ଇଟାଲୀରେ ଥିବା କମ୍ପାନିର ଗୋଦାମରୁ ହୋଇଥିଲା । ଶନିବାର ଏବଂ ରବିବାର ଛୁଟି ପରେ ସୋମବାର କର୍ମଚାରୀମାନେ ଏହି ଚୋରି ବିଷୟରେ ଜାଣିବାକୁ ପାଇଥିଲେ ।

ଚୋରି କରିବା ପୂର୍ବରୁ ଆଲାର୍ମ ସିଷ୍ଟମ୍ ଏବଂ ସିସିଟିଭି କ୍ୟାମେରାକୁ ବନ୍ଦ କରାଯାଇଥିଲା । ପରେ ୭ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏହି ଚୋରି କରିଥିବା ସନ୍ଦେହ କରାଯାଉଛି । ଏହାପରେ ସେମାନେ କମ୍ପାନିର ଫୋର୍କଲିଫ୍ଟ ବ୍ୟବହାର କରି ବୋତଲଗୁଡ଼ିକୁ ଦୁଇଟି ବଡ଼ ଟ୍ରକରେ ଲୋଡ୍ କରି ସେଠାରୁ ଫେରାର୍ ହୋଇଯାଇଥିଲେ ।

କମ୍ପାନିର ସିଇଓ କହିଛନ୍ତି, "ଏତେ ବଡ଼ ପରିମାଣର ଏବଂ ଏତେ ମୂଲ୍ୟର ଚୋରି ଇଟାଲୀରେ ପୂର୍ବରୁ କେବେ ହୋଇନଥିଲା ।" ଟସ୍କାନିରେ ବ୍ୟାପକ କ୍ୟାମେରା ନେଟୱାର୍କ ଥିବାରୁ ତଦନ୍ତକାରୀମାନେ ଚୋରି ହୋଇଥିବା ସାମଗ୍ରୀର ସୁରାକ୍ ପାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ୧୩୮୫ ମସିହାରେ ପ୍ରତିଷ୍ଠିତ ମାର୍କେସି ଆଣ୍ଟିନୋରୀ ଇଟାଲୀର ଅନ୍ୟତମ ପ୍ରସିଦ୍ଧ ପାରିବାରିକ ମାଲିକାନାରେ ଥିବା ମଦ ନିର୍ମାତା । ଏହା ପ୍ରାୟ ୧୭୦ଟି ଦେଶକୁ ନିଜର ଉତ୍ପାଦ ରପ୍ତାନି କରିଥାଏ ।