ନୂଆଦିଲ୍ଲୀ: ଶିବସେନା ଉଦ୍ଧବ ନେତା ସଞ୍ଜୟ ରାଉତ ଅଡୁଆରେ ପଡି ଯାଇଛନ୍ତି। ସୁପ୍ରିମକୋର୍ଟ ୨୮ ଅକ୍ଟୋବର ବୁଧବାର ତାଙ୍କୁ ନଭେମ୍ବର ୧୭ ତାରିଖ ଦିନ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳୁଥିବା ସୂଚନା ଅନୁସାରେ ସଞ୍ଜୟ ରାଉତଙ୍କୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଓ ନ୍ୟାୟ ପାଳିକା ସମ୍ପର୍କରେ କରିଥିବା ଟିପ୍ପଣୀ ସମ୍ପର୍କିତ ଅବମାନନା ମାମଲାରେ ସୁପ୍ରିମକୋର୍ଟରେ ହାଜର ହେବାକୁ ଆଦେଶ ଦିଆଯାଇଛି।

ସୁପ୍ରିମକୋର୍ଟ ବାର ଆସୋସିଏସନ ରୁଜୁ କରିଛି ପିଟିସନ
ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ୍ ବିପୁଲ ଏମ.ପଞ୍ଚୋଲୀଙ୍କ ବେଞ୍ଚ ସାମ୍ବାଦିକ ନିଖିଲ ୱାଗଲେଙ୍କୁ ମଧ୍ୟ ସେହିଦିନ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟ ଗତ ଅକ୍ଟୋବର ୧୬ ତାରିଖରେ ସାଂସଦ ସଞ୍ଜୟ ରାଉତ ଓ ସାମ୍ବାଦିକ ନିଖିଲ ୱାଗଲେଙ୍କୁ ସୋ କଜ ନୋଟିସ୍ ଜାରି କରିଥିଲେ। ଏହା ପରେ କୋର୍ଟ ସେମାନଙ୍କୁ ପରବର୍ତ୍ତି ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଦେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ସୋ କଜ ନୋଟିସ୍ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ରୁଜୁ ଅବମାନନା ପିଟିସନ ଆଧାରରେ ଜାରି ହୋଇଥିଲା।

ବାୟନକୁ ନେଇ ବିବାଦରେ ସଞ୍ଜୟ ରାଉତ
ୟୁରୋପରେ ଜାରି ହିଂସାକୁ ନେଇ ସଞ୍ଜୟ ରାଉତ ନିକଟରେ ଦେଇଥିବା ବୟାନ ଲାଗି ବିବାଦରେ ଘେରି ଯାଇଛନ୍ତି। ଗତ କିଛି ସମୟ ହେଲା ୟୁରୋପୀୟ ଦେଶମାନଙ୍କରେ ବିରୋଧ ଓ ପ୍ରଦର୍ଶନ ଜାରି ରହିଛି। ଏଥିରେ ଆଲବାନିୟାରେ ପ୍ରଦର୍ଶନକାରୀମାନେ ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଥିଲେ। ସଞ୍ଜୟ ରାଉତ ଏହି ଘଟଣାର ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ଟାଇମ ଲାଇନରେ ସେୟାର କରିଥିଲେ। ଏଥିରେ ସେ ଘଟଣାରୁ ଭାରତ କିଛି ଶିଖୁ ବୋଲି ପରାମର୍ଶ ମଧ୍ୟ ଦେଇଥିଲେ।

ଜାଣନ୍ତୁ କହିଥିଲେ କ’ଣ?
ଏଥିରେ ସଞ୍ଜୟ ରାଉତ ଲେଖିଥିଲେ ‘ଆଲବାନିୟା ଲୋକଙ୍କ ଆକ୍ରୋଶର ଶିକାର ସୁପ୍ରିମକୋର୍ଟ ଏଥି ପାଇଁ ହେଲା ଯେ ସେ ଭ୍ରଷ୍ଟ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିଲା’। କେବଳ ଏତିକି ନୁହେଁ ସଞ୍ଜୟ ରାଉତ ତାଙ୍କ ପୋଷ୍ଚରେ ଲେଖିଥିଲେ ଯେ ଆଲବାନିୟାରେ ବିକ୍ଷୋଭକାରୀମାନେ ସଂସଦରୁ ଆରମ୍ଭ କରି ମନ୍ତ୍ରୀଙ୍କ ଘରକୁ ମଧ୍ୟ ଟାର୍ଗେଟ କରୁଛନ୍ତି। ସଞ୍ଜୟ ରାଉତ କହିଥିଲେ ଯେ ଭାରତରେ ଯୁବବର୍ଗ ଏ ପର୍ଯ୍ୟନ୍ତ ସଞ୍ଜମତା ଆଚରଣ କରୁଛନ୍ତି ଓ ଏଥି ପାଇଁ ସରକାର ସେମାନଙ୍କ ନିକଟରେ କୃତଜ୍ଞ ହେବା କଥା।