ଭୋଗରାଇ : ଅଷ୍ଟମ ଶ୍ରେଣୀ ଛାତ୍ର ସନ୍ଦୀପ ପରିଡ଼ାଙ୍କ କମାଲ୍। କ୍ଲୋଷ୍ଟୋର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଷଣ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ପରେ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ତାଙ୍କ ସଫଳତା ପରେ ତାଙ୍କୁ ବିଭିନ୍ନ ସ୍ଥାନରୁ ଛୁଟୁଛି ପ୍ରଶଂସାର ସୁଅ। ଏମିତି କି ସେ ଏବେ ସୋସିଆଲ୍ ମିଡ଼ିଆରେ ପୂରା ଭାଇରାଲ୍।

ଭୋଗରାଇ ବ୍ଲକ୍ ବଡ଼ମନ୍ଦାରୁଣୀ ଗ୍ରାମର ଜୟନାରଣ ପରିଡ଼ାଙ୍କ ପୁଅ ସନ୍ଦୀପ କୁମାର ପରିଡ଼ା। ସେ ବଡ଼ମନ୍ଦାରୁଣୀ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର । ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର କନିଷ୍ଠ ବର୍ଗ ଭାଷଣ ପ୍ରତିଯୋଗିତାରେ" ଓଡ଼ିଆ ଭାଷା; ଅତୀତର ଗୌରବ ଓ ଭବିଷ୍ୟତର ଆଶା" ଶୀର୍ଷକ ଉପରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତାରେ ସନ୍ଦୀପଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ସାହଜନକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନିଜର ଚମତ୍କାର ବକ୍ତୃତା ଶୈଳୀ, ସ୍ପଷ୍ଟ ଉଚ୍ଚାରଣ ଓ ଆକର୍ଷଣୀୟ ଉପସ୍ଥାପନା ମାଧ୍ୟମରେ ବିଚାରକ ମାନଙ୍କ ମନ ଜିଣିବା ସହ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ତେବେ ପ୍ରତିଯୋଗିତାରେ ସଫଳତା ପରେ ଏବେ ସନ୍ଦୀପଙ୍କ ଭାଷଣ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ଫେସବୁକ୍ରେ ତାଙ୍କ ଭାଷଣର ଭିଡିଓ ଦ୍ରୁତଗତିରେ ଭାଇରାଲ୍ ହେଉଥିବା ବେଳେ ଲକ୍ଷାଧିକ ଲୋକ ଏହାକୁ ଦେଖୁଥିବା ଓ ପସନ୍ଦ କରୁଥିବା ଜଣାପଡ଼ିଛି।

Also Read- Ganjam tantrik arrested : ମହିଳାଙ୍କ ଦେହରୁ ଭୂତ ଛଡ଼ାଉଥିଲା , ଲୁଟୁଥିଲା ଭଣ୍ଡ ତାନ୍ତ୍ରିକ ...

ଜଣେ ସ୍କୁଲ ଛାତ୍ରଙ୍କ ଏଭଳି ଆତ୍ମବିଶ୍ୱାସପୂର୍ଣ୍ଣ ଉପସ୍ଥାପନା ସମସ୍ତଙ୍କୁ ଆକୃଷ୍ଟ କରିଛି। ସନ୍ଦୀପଙ୍କ ଏହି ସଫଳତାରେ ତାଙ୍କ ବିଦ୍ୟାଳୟ, ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି।