ଭଞ୍ଜନଗରର : ମହିଳାଙ୍କ ଦେହରୁ ଭୂତ ଛଡ଼ାଉଥିବା ଦାବି କରୁଥିଲା ତାନ୍ତ୍ରିକ। ଏପରିକି ଝାଡ଼ଫୁଙ୍କ କରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ କରୁଥିଲେ ଭାଇରାଲ। ଭିଡିଓ ଦେଖି ଦୂରଦୂରାନ୍ତରୁ ବହୁ ମାନସିକ ରୋଗୀ ତାନ୍ତ୍ରିକ ପାଖକୁ ଆସୁଥିଲେ। ମାନସିକ ସମସ୍ୟାରେ ପୀଡ଼ିତ ଲୋକଙ୍କୁ ଭୂତ ଲାଗିଥିବା କହି ଝାଡ଼ଫୁଙ୍କା କରିବା ସହ ଅର୍ଥ ଆଦାୟ କରୁଥିଲେ। ହେଲେ ଚୋର ଘର ବେଶି ଦିନ ଅନ୍ଧାର ନୁହେଁ ଭଳି ଏବେ ଫସିଛନ୍ତି ଭଣ୍ଡ ତାନ୍ତ୍ରିକ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଡ଼ି. ସିଙ୍ଗିପୁର ଗାଁର କ୍ରିଷ୍ଣା କୁମାର ମୁନିଙ୍କୁ ଗିରଫ କରିଛି ଗାଙ୍ଗପୁର ପୋଲିସ। ତାଙ୍କ ନିକଟରୁ ତନ୍ତ୍ରମନ୍ତ୍ରରେ ବ୍ୟବହୃତ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ଗ୍ରାମ ଶେଷ ମୁଣ୍ଡରେ ଥିବା ଏକ ଅର୍ଦ୍ଧନିର୍ମିତ ମାଆ କାଳୀ ମନ୍ଦିରରେ କୃଷ୍ଣ ଦୀର୍ଘଦିନ ଧରି ଗୁଣିଗାରେଡ଼ି, ମାନସିକ ରୋଗୀଙ୍କୁ ଝଡ଼ାଫୁଙ୍କା ଓ ତାନ୍ତ୍ରିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ମନ୍ତ୍ର, କବଚ ଓ ତନ୍ତ୍ରବିଦ୍ୟା ଦ୍ୱାରା ବିଭିନ୍ନ ରୋଗ ଭଲ କରିବା ଏବଂ ସମସ୍ୟାର ସମାଧାନ କରିବାର ଦାବି କରି ସେ ଗଞ୍ଜାମ ସମେତ ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରର ଲୋକଙ୍କୁ ଆକୃଷ୍ଟ କରୁଥିବା ପୁଲିସ କହିଛି । ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ଏହାର ପ୍ରଚାର କରାଯାଉଥିଲା । ଏପରିକି ତାନ୍ତ୍ରିକ କାର୍ଯ୍ୟକ୍ରମ ସମୟରେ କିଛି କୌଶଳ ବା ତରଳ ପଦାର୍ଥ ବ୍ୟବହାର କରି ଲୋକଙ୍କୁ ଅଚେତ କରାଯାଉଥିବା ଏବଂ ରୋଗ ଭଲ କରିବା ଆଳରେ ନିରୀହ ଲୋକଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ରହିଛି । ଗତ ମାସରେ ମନ୍ଦିରରେ ଆୟୋଜିତ ହୋମଯଜ୍ଞରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଜଣ ଯୋଗ ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୋଗ ପରେ ଗଞ୍ଜାମ ଏସ୍ପି ଘଟଣାକୁ ଗୁରୁତର ସହ ନେଇଥିଲେ। ଗୁଣିଗାରେଡ଼ି, ଯାଦୁବିଦ୍ୟା ଓ ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କୁ ଠକେଇ କରିବା ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଗାଙ୍ଗପୁର ପୁଲିସ ଡି. ସିଂପୁର ଗ୍ରାମର ୨୪ ବର୍ଷୀୟ କ୍ରିଷ୍ଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁବାର ରାତିରେ ଗିରଫ ପରେ ଶୁକ୍ରବାର ତାଙ୍କୁ ଆସିକା ଜେଏମ୍ଏଫ୍ସି ଅଦାଲତରେ ହାଜର କରାଯାଇଛି ।

Also Read- ଭାଇ ସାଜିଲା ଭାଇର ହତ୍ୟାକାରୀ : ସାମାନ୍ୟ ବଚସାରୁ ବଡ ଭାଇକୁ ପିଟି ପିଟି ମାରିଦେଲା ସାନ

ସେପଟେ ପୋଲିସ୍ ତନ୍ତ୍ର ସାଧନ ହେଉତିବା ମନ୍ଦିରରେ ଚଢ଼ାଉ କରି ମାଟି ଧୂପଦାନୀ, ପାଞ୍ଚଟି କଉଡ଼ି, ନାଲି ସୂତା, ବିଭିନ୍ନ ରଙ୍ଗର ମୁରୁଜ, ସିନ୍ଦୂର, ଷ୍ଟିଲ୍ ଛୁରି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ତାଙ୍କ ସାନଭାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି ।