ପାଟନା: ବିହାରର ରାଜନୀତି କହିଲେ, ଦୁଇ ନେତା ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବଙ୍କୁ ବଝାଉଥିଲା। କିନ୍ତୁ ଲାଲୁ ଯାଦବ ଦୀର୍ଘ ବର୍ଷ ଧରି ବିହାର ରାଜନୀତିରୁ ଦୂରେଇ ରହିଛନ୍ତି ଏବଂ ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ବସି ଆସିଛନ୍ତି । ଏବେ ବିହାରରେ ନୀତିଶ କୁମାରଙ୍କ ଯୁଗ ଶେଷ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ବିଜେପିର ସମ୍ରାଟ ଚୌଧୁରୀ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଇଏ ସେହି ସମ୍ରାଟ ଚୌଧୁରୀ, ଯିଏ ନୀତିଶ କୁମାରଙ୍କ ଘୋର ବିରୋଧୀ ଥିଲେ। ଏବେ, ସେ ନୀତିଶ କୁମାରଙ୍କ ପଦବୀକୁ ଉତ୍ତରାଧିକାରୀ ଭାବରେ ପାଇଛନ୍ତି । ଏହା ସହ ବିହାରରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଜେପି ଦୀର୍ଘ ସମୟ ଧରି ବିହାରରେ କ୍ଷମତାରେ ଅଛି ସତ, କିନ୍ତୁ ମଙ୍ଗ ନୀତୀଶ କୁମାରଙ୍କ ହାତରେ ରହିଥିଲା । ନୀତୀଶ କୁମାରଙ୍କ ଦଳ ଜେଡିୟୁ ଠାରୁ ଅଧିକ ଆସନ ଜିତିବା ପରେ ମଧ୍ୟ, ବିଜେପି ମୁଖ୍ୟମନ୍ତ୍ରୀ ଚୌକି ପାଇପାରି ନଥିଲା।

ବିହାରର ନୂଆ ସମ୍ରାଟ

ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ହେବା ବହୁତ ଆଶ୍ଚର୍ଯ୍ୟଜନକ ନୁହେଁ। ନୀତୀଶ କୁମାର ରାଜ୍ୟସଭା ଯିବା ଖବର ଆସିବା ପରଠାରୁ, ସମ୍ରାଟ ହିଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ବିଜେପିର ବହୁ ହେଭିଓ୍ବେଟଙ୍କୁ ପଛରେ ପକାଇ ସମ୍ରାଟ ଚୌଧୁରୀ ବାଜି ମାରିନେଇଛନ୍ତି । ୧୦ ବର୍ଷରୁ କମ୍ ସମୟ ହେଲା ବିଜେପିକୁ ଆସି, ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ବ୍ୟତୀତ, ଏମିତି ଏକ ସମୟ ଥିଲା ଯେତେବେଳେ ସମ୍ରାଟ ଚୌଧୁରୀ, ନୀତୀଶ କୁମାରଙ୍କ ସମେତ ବିଜେପିକୁ ବିରୋଧ କରୁଥିଲେ । ରାବଡ଼ୀ ଦେବୀଙ୍କ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ଥିଲେ , ଏପରିକି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ସମ୍ଭାଳିଥିଲେ ।

ପିତା ଥିଲେ ଦକ୍ଷ ରାଜନେତା

ସମ୍ରାଟ ଚୌଧୁରୀଙ୍କ ପିତା, ଶକୁନି ଚୌଧୁରୀ ସମତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ପିତା କେତେବେଳେ ଲାଲୁ ଯାଦବଙ୍କ ଦଳରେ ଏବଂ କେତେବେଳେ ନୀତୀଶ କୁମାରଙ୍କ ଦଳରେ କାର୍ଯ୍ୟ କରିଥିଲେ। ସମ୍ରାଟ ଚୌଧୁରୀ ୧୯୯୦ ଦଶକରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯ ମେ’ ୧୯୯୯ରେ ସେ ରାବଢ଼ୀ ଦେବୀଙ୍କ ସରକାରରେ କୃଷି ମନ୍ତ୍ରୀ ହୋଇଥିଲେ। ଶପଥ ଗ୍ରହଣ ସମୟରେ ସେ ବିଧାୟକ ନଥିଲେ କିମ୍ବା ବିଧାନ ପରିଷଦର ସଦସ୍ୟ ନଥିଲେ। ସେ ପ୍ରଥମେ ୨୦୦୦ ମସିହାରେ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ଟିକେଟରେ ପରବଟ୍ଟା ଆସନରୁ ବିଧାୟକ ହୋଇଥିଲେ। ୨୦୦୫ ମସିହାରେ ସେ ପରାସ୍ତ ହୋଇଥିଲେ। ୨୦୧୦ ମସିହାରେ ସେ ପରବଟ୍ଟା ଆସନରୁ ପୁନଃ ନିର୍ବାଚିତ ହୋଇଥିଲେ।

Also Read: Nishant Kumar will not be the Deputy CM: ବିହାର କ୍ଷମତା ରାଜନୀତିରୁ ହଜିଯିବ କି ନୀତୀଶ କୁମାରଙ୍କ ଚିହ୍ନବର୍ଣ୍ଣ ? ଉପମୁଖ୍ୟମନ୍ତ୍ରୀ ହେବେନି ପୁଅ ନିଶାନ୍ତ !

ବିଜେପିରେ ବଢ଼ିଲା ଶକ୍ତି

ସମ୍ରାଟ ଚୌଧୁରୀ ଦୀର୍ଘ ସମୟ ଧରି ଆରଜେଡିର ସଦସ୍ୟ ଥିଲେ। ସେ ଆରଜେଡି-ଜେଡିୟୁ ମେଣ୍ଟ ସରକାରରେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୮ ମସିହାରେ ସେ ଆରଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏନଡିଏ ସରକାରରେ ତାଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ନୀତିଶ କୁମାରଙ୍କ ଜଣେ କଠୋର ବିରୋଧୀ ବୋଲି ବିବେଚନା କରାଯାଉଥିଲା। ସମ୍ରାଟ ଚୌଧୁରୀ ଥରେ ଘୋଷଣା କରିଥିଲେ ଯେ, ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ନହଟାଇବା ଯାଏଁ ସେ ପଗଡ଼ି ପିନ୍ଧିବେ ନାହିଁ। ଆରଜେଡି ଛାଡିବା ପରେ, ସମ୍ରାଟ ଚୌଧୁରୀଙ୍କ ବିଜେପିରେ କ୍ରମାଗତ ଭାବରେ ପ୍ରତିଷ୍ଠା ବୃଦ୍ଧି ପାଇଥିଲା। ମାର୍ଚ୍ଚ ୨୦୨୩ ରେ, ତାଙ୍କୁ ବିହାର ବିଜେପିର ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା।

ଜାନୁଆରୀ ୨୦୨୪ରେ, ଯେତେବେଳେ ନୀତୀଶ କୁମାର ଆରଜେଡି ଛାଡି ଏନଡିଏକୁ ଫେରିଲେ, ସମ୍ରାଟ ଚୌଧୁରୀଙ୍କୁ ଏହି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ୨୦୨୫ ବିଧାନସଭା ନିର୍ବାଚନରେ ଏନଡିଏ ପ୍ରଚଣ୍ଡ ବହୁମତ ପାଇଥିଲା । ବିଜେପି ଏକକ ବୃହତ୍ତ ଦଳ ଭାବରେ ଉଭା ହେଲା । ସମ୍ରାଟ ଚୌଧୁରୀଙ୍କୁ ନୀତିଶ କୁମାରଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ନିର୍ବାଚନ ଫଳାଫଳର ଛଅ ମାସ ମଧ୍ୟରେ, କୁଶୱାହା ସମ୍ପ୍ରଦାୟର ସମ୍ରାଟ ଚୌଧୁରୀ ଏବେ ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।