ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ଯୋଡିହେଲା ନୂଆ ଅଧ୍ୟାୟ । ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍ସିପି)ର ବରିଷ୍ଠ ନେତା ତଥା ସ୍ବଗର୍ତ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ପରେ ପରିବାର ଓ ଦଳ ନୂଆ ନେତୃତ୍ବଙ୍କୁ ଦେଇଛି ଦାୟିତ୍ୱ । ଗୋଟିଏ ପଟେ ଦଳର କମାଣ୍ଡ ସୁନେତ୍ରା ପାୱାର ନେଇଥିବାବେଳେ, ଅନ୍ୟପଟେ ଆଜି ତାଙ୍କର ପୁଅ ପାର୍ଥ ପାୱାର ଅଫିସିଆଲି ଦେଶର ଉଚ୍ଚକକ୍ଷ ତଥା ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଭାବପ୍ରବଣ ଦୃଶ୍ୟ, ଜ୍ୟାକେଟ୍ ଥିଲା ସ୍ପେଶାଲ:

ସଂସଦ ଭବନର ବିଶାଳ କରିଡରରେ ନଜର ଆସିଥିଲା ଭାବପ୍ରବଣ ଦୃଶ୍ୟ । କାରଣ ଶପଥ ଗ୍ରହଣ ସମାରୋହ ସମୟରେ ସମସ୍ତଙ୍କ ନଜର ପାର୍ଥ ପାୱାରଙ୍କ ପୋଷାକ ଉପରେ ଥିଲା। ଏହି ବିଶେଷ ଅବସରରେ, ପାର୍ଥ ସେହି ନେହେରୁ ଜ୍ୟାକେଟ୍ ପିନ୍ଧିଥିଲେ ଯାହାକୁ ତାଙ୍କ ପିତା ଅଜିତ ପାୱାରଙ୍କ ଟ୍ରେଡମାର୍କ ଭାବେ ଚର୍ଚ୍ଚା ହୁଏ । ରାଜନୈତିକ ମହଲରେ, ଏହାକୁ କେବଳ ପୋଷାକ ଭାବରେ ନୁହେଁ, ବରଂ ‘ଐତିହ୍ୟର ହସ୍ତାନ୍ତର’ଭାବେ ଗଣନା କରାଯାଏ । ସମର୍ଥକମାନଙ୍କ ଅତୁଟ ବିଶ୍ୱାସ ଯେ ଗୋଲାପୀ ଜ୍ୟାକେଟ୍ ପିନ୍ଧି, ପାର୍ଥ ଏକ ବାର୍ତ୍ତା ଦେଇଛନ୍ତି ଯେ ସେ ତାଙ୍କ ବାପାଙ୍କ ଅଧୂରା ସ୍ୱପ୍ନ ଓ ତାଙ୍କର କଠିନ ପରିଶ୍ରମ ନୀତିକୁ ଆଗକୁ ବଢ଼ାଇବେ ।

 

ସଂସଦ ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ କିନ୍ତୁ ଗାରିମାପୂର୍ଣ୍ଣ ଉତ୍ସବରେ ପାର୍ଥ ପାୱାରଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ ପଦ-ଗୋପନୀୟତାର ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ କରିବା ପରେ, ପାର୍ଥଙ୍କୁ ସଦନର ବରିଷ୍ଠ ନେତାମାନେ ସ୍ୱାଗତ କରିଥିଲେ । ଶପଥ ଗ୍ରହଣ ସମୟରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର, ଏନ୍ସିପି ନେତା ପ୍ରଫୁଲ ପଟେଲ ଓ ସୁନିଲ ତାଟକରେ ଓ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଉପସ୍ଥିତ ଥିଲେ । ଅଜିତ ପାୱାରଙ୍କ ମୃତ୍ୟୁ ପରେ ଦଳ ଭିତରେ ନେତୃତ୍ବକୁ ନେଇ, ଯେଉଁ ଚର୍ଚ୍ଚା ହେଉଥିଲେ ଏବେ ସେ ସବୁ ଚର୍ଚ୍ଚା ଆଲୋଚନାରେ ପଡିଛି ପୂର୍ଣ୍ଣଛେଦ । ସୁନେତ୍ରା ଯେଉଁଭଳି ଭାବରେ ସଂଗଠନକୁ ଏକଜୁଟ୍ ରଖିଛନ୍ତି, ତାହାଦ୍ବାରା କର୍ମଚାରୀଙ୍କ ଭିତରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି।