ସମ୍ବଲପୁର ୨୦।୧୧ : ଛାତିଥର ଦୁର୍ଘଟଣା । ସ୍କୁଲରେ ନାତିକୁ ଛାଡ଼ିବାକୁ ଯାଉଥିବା ବେଳେ ଅଜା ଓ ନାତିଙ୍କ ଜୀବନ ଚାଲିଗଲା। ଅଜଣା ଟ୍ରକ୍ର ଧକ୍କାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲାରେ ଘଟିଛି। ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଖବର ଅନୁଯାୟୀ, ବାବୁବନ୍ଧ ନିକଟ ସାନଟିକ୍ରା ଗ୍ରାମର ପଣ୍ଡିତ ନିରଞ୍ଜନ ଷଡ଼ଙ୍ଗୀ ନିଜ ନାତିକୁ ସ୍କୁଲ ବସ୍ରେ ଛାଡ଼ିବା ପାଇଁ ଯାଉଥିଲେ। ଏହି ସମୟରେ ଉଭୟ ରାସ୍ତା ପାର୍ ହେଉଥିବା ବେଳେ ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍ର ଧକ୍କା ଏତେ ଭୟଙ୍କର ଥିଲା ଯେ ଅଜା ଓ ନାତି ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଧକ୍କା ଦେଇଥିବା ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Also Read:-ଅପେରା ଦେଖୁଥିବା ବେଳେ ଅଘଟଣ ! ଚେୟାରରେ ଟଳିପଡ଼ିଲେ ଦର୍ଶକ, ଚାଲିଗଲା ଜୀବନ

ଅନ୍ୟପଟେ ଗୋଟିଏ ପରିବାରର ଅଜା ଓ ନାତିଙ୍କ ଏଭଳି ଅକାଳ ମୃତ୍ୟୁ ଖବର ପ୍ରଚାର ହେବା ପରେ ସାନଟିକ୍ରା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍କୁଲକୁ ଯିବା ପାଇଁ ବାହାରିଥିବା ନିରୀହ ଶିଶୁ ଓ ତାଙ୍କ ଅଜାଙ୍କ ଜୀବନ ଏଭଳି ଚାଲିଯିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକ୍କୁ ଚିହ୍ନଟ କରିବା ଏବଂ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ପରବର୍ତ୍ତୀ ତଦନ୍ତ ସମ୍ପର୍କିତ ସୂଚନାକୁ ଅପେକ୍ଷା କରାଯାଇଛି।