କେନ୍ଦୁଝର ୨୦।୧୧ : ଅପେରା ଦେଖିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ। ମନୋରଞ୍ଜନର ମାହୋଲ ମଧ୍ୟରେ ହଠାତ୍ ଚେୟାରରେ ଟଳିପଡ଼ିଲେ ଜଣେ ଦର୍ଶକ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ତୁରୁମୁଙ୍ଗା ଅଞ୍ଚଳର ସର୍ବେଶ୍ୱର ସାହୁ।

ଖବର ଅନୁଯାୟୀ, କେନ୍ଦୁଝରର କାଳି ପଡ଼ିଆଠାରେ ଅପେରା ଚାଲିଥିବା ସମୟରେ ଘଟିଛି ଅଘଟଣ । ସର୍ବେଶ୍ୱର ସାହୁ ନିଜ ଶଳାଙ୍କ ସହ ଅପେରା ଦେଖିବାକୁ ଯାଇଥିଲେ। ଦୁହେଁ ଅପେରା ଦେଖୁଥିବା ସମୟରେ ହଠାତ୍ ସର୍ବେଶ୍ୱର ଚେୟାର ଉପରେ ଟଳିପଡ଼ିଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read:-ନୂଆପଡ଼ା ଜିଲ୍ଲାପାଳଙ୍କ ବଡ଼ ଘୋଷଣା, ୨୦ ଓ ୨୧ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଅନ୍ୟପଟେ ଅପେରା ଦେଖୁଥିବା ସମୟରେ ହଠାତ୍ ଏଭଳି ଅଘଟଣ ଘଟିବା ଯୋଗୁଁ ସେଠାରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସର୍ବେଶ୍ୱର ସାହୁଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଥ୍ୟ ଓ ଅଧିକାରିକ ସୂଚନାକୁ ଅପେକ୍ଷା କରାଯାଇଛି। ଏହି ଘଟଣାକୁ ନେଇ ତୁରୁମୁଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।