ମୁମ୍ଵାଇ ୧୨।୦୯; ଲୋକପ୍ରିୟତା ହେଉ କି ବିବାଦ… ଯେଉଁଠି ‘ବିଗ୍ ବସ୍’, ସେଠି ଚର୍ଚ୍ଚା ତ ହେବା ନିଶ୍ଚିତ। ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆରମ୍ଭ ହୋଇଛି ଏହି ଚର୍ଚ୍ଚିତ ରିଆଲିଟି ସୋ’ର ନୂଆ ସିଜିନ୍ ‘ବିଗ୍ ବସ୍ ୨୦’। ଗ୍ରାଣ୍ଡ୍ ପ୍ରିମିୟର ପରେ ଘର ଭିତରେ ଆରମ୍ଭ ହୋଇସାରିଛି ଖେଳ, ଝଗଡ଼ା, ଇମୋସନ୍ ଆଉ ଜବରଦସ୍ତ ଡ୍ରାମା। ହେଲେ ଏଥର ପ୍ରତିଯୋଗୀଙ୍କଠାରୁ ବି ଅଧିକ ଚର୍ଚ୍ଚାରେ ଅଛନ୍ତି ସୋ’ର ହୋଷ୍ଟ ତଥା ବଲିଉଡର ଭାଇଜାନ୍ ସଲମାନ ଖାନ୍। କାରଣ ଯେଉଁଠି ବିଗ୍ ବସ୍, ସେଠି ସଲମାନଙ୍କ ସ୍ୱାଗ୍ ଆଉ ଦବଙ୍ଗଗିରି ତ ନିଶ୍ଚିତ!

‘ୱିକେଣ୍ଡ୍ କା ୱାର୍’ରେ ସଲମାନଙ୍କ ଅନ୍ଦାଜ୍ ଦର୍ଶକଙ୍କ ପାଇଁ ସୋ’ର ଅନ୍ୟତମ ବଡ଼ ଆକର୍ଷଣ। ପ୍ରତି ସପ୍ତାହରେ କେବେ କାହାର କ୍ଲାସ୍ ଲାଗିବ, କିଏ ସଲମାନଙ୍କ ରାଗର ଶିକାର ହେବ ତାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ମଧ୍ୟ କିଛି କମ୍ ନୁହେଁ। ଆଉ ଏହି ଲୋକପ୍ରିୟତା ପାଇଁ ସଲମାନ ଯେଉଁ ପାରିଶ୍ରମିକ ନେଉଛନ୍ତି, ତାହା ଶୁଣିଲେ ଆପଣ ବି ଚମକିଯିବେ। ଭେରାଇଟି ଇଣ୍ଡିଆର ରିପୋର୍ଟ ଅନୁସାରେ, ‘ବିଗ୍ ବସ୍ ୨୦’ ହୋଷ୍ଟ କରିବା ପାଇଁ ସଲମାନ ପ୍ରତି ସପ୍ତାହରେ ପାଖାପାଖି ୧୫ କୋଟିରୁ ଅଧିକ ଟଙ୍କା ଚାର୍ଜ କରୁଛନ୍ତି। ଅର୍ଥାତ୍, କେବଳ ଦୁଇ ଦିନର ‘ୱିକେଣ୍ଡ୍ କା ୱାର୍’ ପାଇଁ ଏତେ ବଡ଼ ଅଙ୍କର ପାରିଶ୍ରମିକ!

ତିନି ମାସ ଧରି ଚାଲିବାକୁ ଥିବା ସିଜିନର ଏହି ହିସାବରେ ସଲମାନଙ୍କ ଆୟ ଶହ ଶହ କୋଟିରେ ପହଞ୍ଚିପାରେ। ଆଉ ଏହା ତାଙ୍କୁ ଭାରତୀୟ ଟେଲିଭିଜନର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ହୋଷ୍ଟମାନଙ୍କ ମଧ୍ୟରେ ଆଗରେ ରଖିଛି। ତେବେ ଏହା ପ୍ରଥମ ଥର ନୁହେଁ। ‘ବିଗ୍ ବସ୍’ ସହ ସଲମାନଙ୍କ ସମ୍ପର୍କ ଦୀର୍ଘ ବର୍ଷର। ସିଜିନ୍ ୪ରୁ ଏହି ସୋ’ର ହୋଷ୍ଟ ଭାବେ ଦର୍ଶକଙ୍କ ମନ ଜିଣି ଆସୁଛନ୍ତି ଭାଇଜାନ୍। ସିଜିନ୍ ୧୩ ବେଳକୁ ତାଙ୍କ ପାରିଶ୍ରମିକ ମଧ୍ୟ ଆକାଶଛୁଆଁ ହୋଇଥିଲା। ରିପୋର୍ଟ ଅନୁସାରେ, ସେତେବେଳେ ପ୍ରତି ଏପିସୋଡ୍ ପାଇଁ ସେ ୧୩ରୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ନେଉଥିଲେ। ସେହି ସିଜିନ୍ରେ ତାଙ୍କ ମୋଟ୍ ଆୟ ୩୫୦ କୋଟିରୁ ଅଧିକ ଥିବା ଦାବି ମଧ୍ୟ ହୋଇଥିଲା।

ହେଲେ ସଲମାନଙ୍କ ପୂର୍ବରୁ ‘ବିଗ୍ ବସ୍’ର ଚେହେରା ଥିଲେ ଅନେକ ଦିଗ୍ଗଜ। ପ୍ରଥମ ସିଜିନ୍ରେ ଅରସଦ୍ ୱାର୍ସି, ଦ୍ୱିତୀୟରେ ଶିଳ୍ପା ସେଟ୍ଟୀ ଏବଂ ତୃତୀୟ ସିଜିନ୍ରେ ଅମିତାଭ ବଚ୍ଚନ ହୋଷ୍ଟ ଭାବେ ନଜର ଆସିଥିଲେ। ଫରାହ ଖାନ୍ ମଧ୍ୟ ‘ହଲ୍ଲା ବୋଲ୍’ର ଦାୟିତ୍ୱ ନେଇଥିଲେ। କିନ୍ତୁ ସିଜିନ୍ ୪ରୁ ସଲମାନଙ୍କ ଏଣ୍ଟ୍ରି ପରେ ‘ବିଗ୍ ବସ୍’ ଯେମିତି ପାଇଥିଲା ନୂଆ ପରିଚୟ। ଆଜି ସ୍ଥିତି ଏମିତି ଯେ, ବିଗ୍ ବସ୍ କହିଲେ ଦର୍ଶକଙ୍କ ମନରେ ପ୍ରଥମେ ଆସେ ସଲମାନ ଖାନଙ୍କ ଚେହେରା।

ଏବେ ‘ବିଗ୍ ବସ୍ ୨୦’ରେ କିଏ ହେବେ ଦର୍ଶକଙ୍କ ଫେଭରାଇଟ୍, କିଏ ଉଠାଇବେ ବିଜୟ ଟ୍ରଫି ତାହା ତ ସମୟ କହିବ। କିନ୍ତୁ ଗୋଟିଏ କଥା ଏବେଠୁ ସ୍ପଷ୍ଟ ଘର ଭିତରେ ପ୍ରତିଯୋଗୀଙ୍କ ଖେଳ ଯେତିକି ଗରମ, ବାହାରେ ସଲମାନଙ୍କ ଫିକୁ ନେଇ ଚର୍ଚ୍ଚା ମଧ୍ୟ ସେତିକି ଜୋରଦାର!