ସାଲେପୁର: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବଡ଼ ବିଦ୍ୟୁତ ବିଭ୍ରାଟ । ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁ ହନ୍ତସନ୍ତ ହେଲେ ରୋଗୀ ଓ ସଂପର୍କୀୟ । ପରିସ୍ଥିତି ଏଭଳି ହୋଇଥିଲା ଯେ, ଟର୍ଚ୍ଚ ଓ ମୋବାଇଲ୍ ଲାଇଟରେ କରିବାକୁ ପଡ଼ିଥିଲା ରୋଗୀସେବା। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ହସ୍ପିଟାଲର ଡିଜି ଲାଇଟ୍ ବ୍ୟବସ୍ଥା ଦୀର୍ଘ ୮ ଦିନ ହେଲା ଅଚଳ ହୋଇପଡ଼ିଛି । ଗୁରୁବାର କଟକ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।

ସୂଚନା ଅନୁଯାୟୀ, ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରତିଦିନ ଶହ ଶହ ରୋଗୀ ନିର୍ଭର କରୁଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ୍ ସରବରାହ ବନ୍ଦ ହେବା ପରେ ବିକଳ୍ପ ଆଲୋକ ବ୍ୟବସ୍ଥା ନଥିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଏପରିକି ଔଷଧ ବିତରଣ କେନ୍ଦ୍ରରେ ଫାର୍ମାସିଷ୍ଟ ମୋବାଇଲ୍ ଲାଇଟ୍ ସାହାଯ୍ୟରେ ରୋଗୀଙ୍କୁ ଔଷଧ ବିତରଣ କରୁଥିବା ଦୃଶ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।

ଜରୁରୀକାଳୀନ ପରିସ୍ଥିତିରେ ଆଲୋକର ଅଭାବ ରୋଗୀଙ୍କ ଚିକିତ୍ସା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ଏଭଳି ସ୍ଥିତିରେ ହସ୍ପିଟାଲର ଡିଜି ଲାଇଟ୍ ବ୍ୟବସ୍ଥା ଦୀର୍ଘ ୮ ଦିନ ଧରି ଅଚଳ ହୋଇ ରହିଥିବା ସତ୍ତ୍ୱେ ଏହାର ମରାମତି ଦିଗରେ କାହିଁକି ତ୍ୱରିତ ପଦକ୍ଷେପ ନିଆଯାଇନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।

Also Read: ବଡ଼ଧରଣର ଜବରଦଖଲ ଉଚ୍ଛେଦ, ସରକାରୀ ଖାତାକୁ ଫେରିଲା ୧୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜମି

ଅନ୍ୟପକ୍ଷରେ, ଏହି ଅବ୍ୟବସ୍ଥାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ଜଣାପଡ଼ିଛି। ତୁରନ୍ତ ଡିଜି ଲାଇଟ୍ ମରାମତି କରିବା ସହ ବିଦ୍ୟୁତ୍ ବିଭ୍ରାଟ ସମୟରେ ରୋଗୀସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଏକ ସ୍ଥାୟୀ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଏମିତିରେ ପ୍ରଶ୍ନ ଉଠୁଛି, ରୋଗୀଙ୍କ ଜୀବନ ଓ ସୁରକ୍ଷା ସହ ଜଡ଼ିତ ଏହି ଗୁରୁତର ସମସ୍ୟାର ସମାଧାନ କେବେ ହେବ? ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଏଦିଗରେ କେବେ ତତ୍ପରତା ପ୍ରକାଶ କରିବେ ? ତାହାକୁ ଅପେକ୍ଷା କରିଛନ୍ତି ରୋଗୀ ଓ ସେମାନଙ୍କ ପରିବାରବର୍ଗ ।