ନୂଆଦିଲ୍ଲୀ: ସାମାଜିକ କାର୍ଯ୍ୟକର୍ତ୍ତା ତଥା ଶିକ୍ଷାବିଦ୍ ସୋନମ ୱାଙ୍ଗଚୁକ୍ ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସଫଦରଜଙ୍ଗ ହସ୍ପିଟାଲ ରବିବାର ହେଲଥ୍ ବୁଲେଟିନ ଜାରି କରିଛି। ଏଥିରେ କୁହାଯାଇଛି ଯେ ସୋନମ ୱାଙ୍ଗଚୁକଙ୍କୁ ଭିଏମଏମସି ଓ ସଫଦରଜଙ୍ଗ ହସ୍ପିଟାଲରେ ଜରୁରି ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି। ଏବେ ତାଙ୍କ ଜରୁରି ହେଲଥ୍ ପାରାମିଟର ସ୍ଥିର ରହିଛି। ଜନ୍ତରମନ୍ତରରେ ଅନଶନରେ ବସିଥିବା ୱାଙ୍ଗଚୁକ୍ ଦିଲ୍ଲୀ ପୋଲିସ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଇଛି।

ହେଲଥ୍ ବୁଲେଟିନରେ କୁହାଯାଇଛି ଯେ ୱାଙ୍ଗଚୁକ୍ ଙ୍କ ବ୍ଲଡ ପାରାମିଟରରେ ସାମାନ୍ୟ ସୁଧାର ଆସିଛି। ଏହା ବାଦେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡୁଛି। ଦୀର୍ଘ ସମୟ ଧରି ଅନଶନରେ ରହିବା ଯୋଗୁ ଶରୀର ଉପରେ ପଡିଥିବା ଚାପକୁ ଦେଖି ତାଙ୍କୁ ବିଶେଷଜ୍ଞଙ୍କ ଏକ ମଲ୍ଟି ଡିସିପ୍ଲିନାରୀ ଟିମ୍ ର କଡ଼ା ଦେଖରେଖରେ ଲଗାତାର ଡାକ୍ତରୀ ଦେଖାଶୁଣା ଜରୁରି ବୋଲି କୁହାଯାଇଛି।

ଭିଏମଏମସି ସଫଦରଜଙ୍ଗ ହସ୍ପିଟାଲ ଓ ଏମସ୍ ନୂଆଦିଲ୍ଲୀ ଡାକ୍ତରୀ ଟିମ୍ ଙ୍କ କହିବା କଥା ହେଉଛି କୌଣସି ପ୍ରକା ସମ୍ଭାବିତ ଜଟିଳତା ଜାଣିବା ଓ ତାକୁ ମୁକାବିଲା ଲାଗି ଲଗାତାର ମେଡିକାଲ ସହାୟତା ଓ ୨୪ ଘଣ୍ଟା କ୍ଲିନିକାଲ ଦେଖରେଖ ଜରୁରି। ଏଣୁ ୱାଙ୍ଗଚୁକ୍ ଙ୍କୁ ସବୁ ପ୍ରକାରର ମେଡିକାଲ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ଓ ତାଙ୍କର କ୍ଲିନିକାଲ ସ୍ଥିତି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖା ଯାଇଛି।