ଭୁବନେଶ୍ୱର : ସନ୍ଧ୍ୟାରେ କମ୍ପିବ ଖଣ୍ଡଗିରି ପେଣ୍ଡାଲ୍, ଦିନରେ ଗର୍ଜୁଛି ଡାହୁକ... ତାଙ୍କ ଡାକ ଶୁଣିଲେ ଧାଇଁ ଆସନ୍ତି ଦର୍ଶକ। ସେ ଦର୍ଶକଙ୍କୁ କେମିତି ମନେଇବେ ସେ କଳା ତାଙ୍କୁ ଭଲ ଭାବେ ଜଣା। ସେଥିପାଇଁ ସକାଳ ହେବାମାତ୍ରା ସେ ପଲଟନ୍ତି ପ୍ରଚାର ଗାଡ଼ିର ସାରଥି। ଆଦୌ ହେଳା କରନ୍ତିନି, ପୂରା ଜୋର ଲଗେଇ ଦିଅନ୍ତି... କାହିଁନା ମାଳ ମାଳ ପାର୍ଟି ଏବେ ଡେରା ପକାଇଲେଣି ଦର୍ଶକଙ୍କ ମନୋରଞ୍ଜନ ପାଇଁ। ଏହି ପୋଷ୍ଟର ହିଁ ବୟାନ କରୁଛି ଯାତ୍ରା ଓ ଯାତ୍ରା ପାର୍ଟିର କ୍ରେଜ୍। କିନ୍ତୁ ଯାତ୍ରାକୁ ଲୋକଙ୍କୁ ପାଛୋଟି ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ଏହି ଡାହୁକ ବା ଆନାଉନ୍ସରମାନେ। ତାଙ୍କ ଅନ୍ଦାଜ ଓ ଷ୍ଟାଇଲ୍ ଭାରି ନିଆରା। ଆଉ ସେହି ମଜାଳିଆ ଆନାଉନ୍ସମେଣ୍ଟ ଶୁଣିବା ମାତ୍ରେ ଭାରି ମଜା ଲାଗେ। ଆଉ ଯାତ୍ରାର ଉପସ୍ଥିତିକୁ ଅନୁଭବ କରାଏ। ସେମାନେ ତାଙ୍କ ମଜାଳିଆ ଓ ଓଜନଦାର କଥାରେ ଯାତ୍ରାର ଟ୍ରେଲର ଦେଖାନ୍ତି, ଆଉ ପିକଚର ଦେଖିବାକୁ ଲୋକଙ୍କ ମନରେ ଭରନ୍ତି ରୋମାଞ୍ଚ। ଏହି ଲକ୍ଷ୍ୟରେ ଦିନ ସାରା ଗର୍ଜନ କରନ୍ତି ଆଉ ସଂନ୍ଧ୍ୟା ବୁଡ଼ିଲେ ଚୁପ୍ ହୋଇ ଯାଆନ୍ତି। ସେଥିପାଇଁ ପରଦା ପଛରେ ଥିବା ଏହି ନାୟକମାନଙ୍କ ଗର୍ଜନ ଭାରି ଗୁରୁତ୍ୱ ରଖେ... କିନ୍ତୁ ସେହି ଗୁରୁତ୍ୱପୂର୍ଣ୍ଣ ଲୋକର ଗୁରୁତ୍ୱ ବୁଝୁଛି କିଏ। ମନରେ ଅନେକ ବେଦନାକୁ ଚାପି ରଖିଛନ୍ତି ସେ।

ପେସା କହିଲେ ଯାତ୍ରା ଆନାଉନ୍ସର... ପାର୍ଟି ଯୁଆଡ଼େ ସେ ସିଆଡେ କିନ୍ତୁ ପାରିଶ୍ରମିକରେ ଘର ଚଲିବା ମୁସ୍କିଲ୍। ଦରଦାମ୍ ସବୁ ବଢ଼ି ଗଲାଣି... ଏମିତିରେ ପରିବାର ପୋଷିବା ତାଙ୍କ ପାଇଁ ହୋଇ ଯାଉଛି କାଠିକାର ପାଠ। ସେଥିପାଇଁ ଯାତ୍ରା ପାର୍ଟିରେ ଗୁରୁତ୍ୱ ବହନ କରୁଥିବା ଆନାଉନ୍ସରଙ୍କର ମନରେ କ୍ଷୋଭ। ତାଙ୍କ ଗୁରୁତ୍ୱ ବୁଝୁ ନାହାନ୍ତି କେହି।

ଆରମ୍ଭ ହୋଇଛି ଖଣ୍ଡଗିରି ମେଳା.... ଗୋଟେପଟେ ନାଗା ସାଧୁଙ୍କ ତପଜପ ଅନ୍ୟପଟେ ଯାତ୍ରା ମହା ସମରରେ କମ୍ପିଲାଣି ଖଣ୍ଡଗିରି। ମଙ୍ଗଳବାର ରାତିରୁ ଦୁଲୁକିବ ଯାତ୍ରା ପେଣ୍ଡାଲ। ସଂଳାପ ଭାଙ୍ଗିବ ରାତିର ନିରବତା । ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଜଲୱା ଦେଖାଇବାକୁ ପ୍ରସ୍ତୁତ । ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ଛକରେ ଛକରେ ମାଳ ମାଳ ପୋଷ୍ଟରକୁ ବ୍ୟାନର... କହିବାକୁ ଗଲେ ଏହି ବ୍ୟାନରରେ ଯାତ୍ରା ପାର୍ଟି ମାଲିକ ନିଜ ଦବଦବା ଜାହିର କରିବାକୁ ଚେଷ୍ଟା କରିଛନ୍ତି। କାରଣ ଦର୍ଶକଙ୍କୁ ନିଜ ଆଡ଼କୁ ଟାଣିବାର ଇଏ ବି ଆଉ ଏକ ମାଧ୍ୟମ ବୋଲି କହି ପାରିବା। ୨୭ରୁ ୭ ଚାଲିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ କରିବେ ପରିବେଷଣ। ସେ ଯାହା ବି ଏତେ ସବୁ ପରେ ସେହି ପରଦା ପଛର ନାୟକମାନଙ୍କୁ ସାବାସୀ ଦେବାକୁ ଭୁଲିବା କଥା ନୁହେଁ । ତାଙ୍କ ବିନା ଏତେ ବଡ଼ ଆୟୋଜନ ଅସମ୍ଭବ। ତେଣୁ ଯାତ୍ରାପାର୍ଟି ମାଲିକ ହୁଅନ୍ତୁ କି ସରକାର ତାଙ୍କ ଉପରେ ଗୁରୁତ୍ୱାରୋପ କଲେ ଭଲ ହୁଅନ୍ତୁ।