ଭୁବନେଶ୍ୱର : ସନ୍ଧ୍ୟାରେ କମ୍ପିବ ଖଣ୍ଡଗିରି ପେଣ୍ଡାଲ୍, ଦିନରେ ଗର୍ଜୁଛି ଡାହୁକ... ତାଙ୍କ ଡାକ ଶୁଣିଲେ ଧାଇଁ ଆସନ୍ତି ଦର୍ଶକ। ସେ ଦର୍ଶକଙ୍କୁ କେମିତି ମନେଇବେ ସେ କଳା ତାଙ୍କୁ ଭଲ ଭାବେ ଜଣା। ସେଥିପାଇଁ ସକାଳ ହେବାମାତ୍ରା ସେ ପଲଟନ୍ତି ପ୍ରଚାର ଗାଡ଼ିର ସାରଥି। ଆଦୌ ହେଳା କରନ୍ତିନି, ପୂରା ଜୋର ଲଗେଇ ଦିଅନ୍ତି... କାହିଁନା ମାଳ ମାଳ ପାର୍ଟି ଏବେ ଡେରା ପକାଇଲେଣି ଦର୍ଶକଙ୍କ ମନୋରଞ୍ଜନ ପାଇଁ। ଏହି ପୋଷ୍ଟର ହିଁ ବୟାନ କରୁଛି ଯାତ୍ରା ଓ ଯାତ୍ରା ପାର୍ଟିର କ୍ରେଜ୍। କିନ୍ତୁ ଯାତ୍ରାକୁ ଲୋକଙ୍କୁ ପାଛୋଟି ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ଏହି ଡାହୁକ ବା ଆନାଉନ୍ସରମାନେ। ତାଙ୍କ ଅନ୍ଦାଜ ଓ ଷ୍ଟାଇଲ୍ ଭାରି ନିଆରା। ଆଉ ସେହି ମଜାଳିଆ ଆନାଉନ୍ସମେଣ୍ଟ ଶୁଣିବା ମାତ୍ରେ ଭାରି ମଜା ଲାଗେ। ଆଉ ଯାତ୍ରାର ଉପସ୍ଥିତିକୁ ଅନୁଭବ କରାଏ। ସେମାନେ ତାଙ୍କ ମଜାଳିଆ ଓ ଓଜନଦାର କଥାରେ ଯାତ୍ରାର ଟ୍ରେଲର ଦେଖାନ୍ତି, ଆଉ ପିକଚର ଦେଖିବାକୁ ଲୋକଙ୍କ ମନରେ ଭରନ୍ତି ରୋମାଞ୍ଚ। ଏହି ଲକ୍ଷ୍ୟରେ ଦିନ ସାରା ଗର୍ଜନ କରନ୍ତି ଆଉ ସଂନ୍ଧ୍ୟା ବୁଡ଼ିଲେ ଚୁପ୍ ହୋଇ ଯାଆନ୍ତି। ସେଥିପାଇଁ ପରଦା ପଛରେ ଥିବା ଏହି ନାୟକମାନଙ୍କ ଗର୍ଜନ ଭାରି ଗୁରୁତ୍ୱ ରଖେ... କିନ୍ତୁ ସେହି ଗୁରୁତ୍ୱପୂର୍ଣ୍ଣ ଲୋକର ଗୁରୁତ୍ୱ ବୁଝୁଛି କିଏ। ମନରେ ଅନେକ ବେଦନାକୁ ଚାପି ରଖିଛନ୍ତି ସେ।

ପେସା କହିଲେ ଯାତ୍ରା ଆନାଉନ୍ସର... ପାର୍ଟି ଯୁଆଡ଼େ ସେ ସିଆଡେ କିନ୍ତୁ ପାରିଶ୍ରମିକରେ ଘର ଚଲିବା ମୁସ୍କିଲ୍। ଦରଦାମ୍ ସବୁ ବଢ଼ି ଗଲାଣି... ଏମିତିରେ ପରିବାର ପୋଷିବା ତାଙ୍କ ପାଇଁ ହୋଇ ଯାଉଛି କାଠିକାର ପାଠ। ସେଥିପାଇଁ ଯାତ୍ରା ପାର୍ଟିରେ ଗୁରୁତ୍ୱ ବହନ କରୁଥିବା ଆନାଉନ୍ସରଙ୍କର ମନରେ କ୍ଷୋଭ। ତାଙ୍କ ଗୁରୁତ୍ୱ ବୁଝୁ ନାହାନ୍ତି କେହି।