ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଇତିହାସର ସବୁଠାରୁ ଚର୍ଚ୍ଚିତ ବିବାଦ 'ସ୍ଲାପ୍‌ଗେଟ୍' (Slapgate) ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୨୦୦୮ ଆଇପିଏଲ୍‌ର ସେହି ପୁରୁଣା ଘଟଣାକୁ ନେଇ ପୂର୍ବତନ ଦ୍ରୁତ ବୋଲର ଏସ୍. ଶ୍ରୀସନ୍ଥ ଏବଂ କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହଙ୍କ ମଧ୍ୟରେ ତିକ୍ତତା ପୁଣି ବଢ଼ିବାରେ ଲାଗିଛି। ନିକଟରେ ହରଭଜନ ସିଂହ ସେହି ଚାପୁଡ଼ା ମାରିବା ଘଟଣାକୁ ଆଧାର କରି ଏକ ବିଜ୍ଞାପନ (Advertisement) ର ସୁଟିଂ କରିବା ପରେ ଶ୍ରୀସନ୍ଥ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ଏବଂ ହରଭଜନଙ୍କୁ ବକ୍ସିଂ ରିଙ୍ଗ୍ ଭିତରକୁ ଆସି ମୁହାଁମୁହିଁ ହେବାକୁ ଆହ୍ୱାନ ଦେଇଛନ୍ତି।

ବିଜ୍ଞାପନକୁ ନେଇ ପୁଣି ବିବାଦ

୨୦୦୮ ମସିହାରେ ଆଇପିଏଲ୍ ମ୍ୟାଚ୍ ସମୟରେ ହରଭଜନ ସିଂହ, ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ, ଏହା ପରେ ଶ୍ରୀସନ୍ଥ ପଡ଼ିଆରେ କାନ୍ଦୁଥିବାର ଦେଖାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ଦୁଇ ଖେଳାଳି ସବୁ କିଛି ଭୁଲିଯାଇଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢ଼ିଉଠିଥିଲା । କିନ୍ତୁ ନିକଟରେ ହରଭଜନ ସିଂହ ସେହି ଲଜ୍ଜାଜନକ ଘଟଣାର ନକଲ କରି ଏକ କମର୍ସିଆଲ୍ ଆଡ୍‌ ଶୁଟ୍ କରିବା ପରେ, ଶ୍ରୀସନ୍ଥ ଏହାକୁ ନିଜର ଅପମାନ ଭାବେ ଗ୍ରହଣ କରିଛନ୍ତି।

ସାହସ ଅଛି ତ ରିଙ୍ଗକୁ ଆସ – ଶ୍ରୀସନ୍ଥଙ୍କ ଖୋଲା ଚ୍ୟାଲେଞ୍ଜ

'ଲଲ୍ଲନଟପ୍' (Lallantop) କୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀସନ୍ଥଙ୍କୁ ଏକ ପୁରୁଣା ଫଟୋ ଦେଖାଯାଇଥିଲା, ଯେଉଁଥିରେ ସେ ଏବଂ ହରଭଜନ ବକ୍ସିଂ ପୋଷାକରେ ଥିଲେ। ଏହି ଫଟୋ ଦେଖିବା ପରେ ଶ୍ରୀସନ୍ଥ ନିଜ ଉପରେ ନିୟନ୍ତ୍ରଣ ହରାଇ ହରଭଜନଙ୍କୁ ଏକ ଓପନ୍ ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି, ‘ଏହି ସମାନ ଦୃଶ୍ୟ ପାଇଁ ତୁମର ସାହସ ଅଛି କି ? ମୋ ସହ ବକ୍ସିଂ ରିଙ୍ଗ୍‌ ଭିତରକୁ ଆସିବାକୁ ତୁମର ଦମ୍ ଅଛି ? ତୁମେ ଚୁକ୍ତିପତ୍ରରେ ସାଇନ୍ କରି ରିଙ୍ଗକୁ ଆସିପାରିବ କି ? ମୁଁ ତୁମକୁ ପଚାରୁଛି ଭଜ୍ଜି। ଏହି ସମାନ ଗ୍ଲୋଭ୍ସ ପିନ୍ଧି ମୋ ସାମ୍ନା କର। ଏହା କୌଣସି ଅଭିନୟ ନୁହେଁ। ଚାଲ ଦେଖିବା କାହା ପାଖରେ କେତେ ଶକ୍ତି ଅଛି।’

ଶ୍ରୀସନ୍ଥ ନିଜର ପ୍ରସ୍ତୁତି ବିଷୟରେ କହିଛନ୍ତି ଯେ ସେ ବର୍ତ୍ତମାନ ବ୍ୟବସାୟିକ ଏବଂ ପ୍ରୋଫେସନାଲ୍ ଭାବେ ଫାଇଟିଂ ଦୁନିଆ ସହ ଜଡ଼ିତ ଅଛନ୍ତି। ସେ 'ବେୟାର୍ ନକଲ୍ ଫାଇଟ୍ ଲିଗ୍' (Bear Knuckle Fight League) ର ଅଂଶବିଶେଷ ଏବଂ ବିଶ୍ୱପ୍ରସିଦ୍ଧ ଫାଇଟର କନର୍ ମ୍ୟାକଗ୍ରେଗରଙ୍କ ଭିଡିଓର ଜଣେ ମୁଖ୍ୟ ପ୍ରାୟୋଜକ (Sponsor) ମଧ୍ୟ। ତେଣୁ ସେ କେବଳ ରାଗରେ ନୁହେଁ, ବରଂ ଜଣେ ପ୍ରଫେସନାଲ୍ ଭାବେ ହରଭଜନଙ୍କୁ ରିଙ୍ଗ୍‌ ଭିତରକୁ ଡାକୁଛନ୍ତି।

୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। କ୍ରିକେଟ୍ ପଡ଼ିଆରୁ ଅବସର ନେବା ପରେ ମଧ୍ୟ ଏହି ଦୁଇ ପ୍ରତିଭାବାନ ଖେଳାଳିଙ୍କ ମଧ୍ୟରେ ଥିବା ଆକ୍ରୋଶ କମିନାହିଁ। ଶ୍ରୀସନ୍ଥଙ୍କ ଏହି ଭାବପ୍ରବଣ ଏବଂ ଆକ୍ରମଣାତ୍ମକ ଚ୍ୟାଲେଞ୍ଜ ଉପରେ ହରଭଜନ ସିଂହ କି ପ୍ରତିକ୍ରିୟା ରଖୁଛନ୍ତି, ତାହା ଉପରେ ସବସ୍ତଙ୍କ ନଜର ରହିବ ।