ନୂଆଦିଲ୍ଲୀ, ୦୪/୧୧ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜିଠୁ ୫ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ସମଗ୍ର ବିଶ୍ଵର ନଜର ବର୍ତ୍ତମାନ ରୋ-କୋ ଯୋଡ଼ି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ। ଗତ ୫ଦିନ ଧରି ଉଭୟ ଏହି ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ଶୁଭମନ୍ ଗିଲ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଏହାସହ ଘରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ଟି-ଟ୍ୱେଣ୍ଟି ସିରିଜ ଜିତିବା ପରେ ଭାରତର ନଜର ଏବେ ଦିନିକିଆ ସିରିଜ ଉପରେ। ଘରୋଇ ଗ୍ରାଉଣ୍ଡରେ ସିରିଜ ପରାଜୟକୁ ମଧ୍ୟ ଭାରତ ଭୂଲି ନାହିଁ। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରତିଶୋଧ ନେବା ପାଇଁ ଉପଯୁକ୍ତ ସମୟ ଉପନୀତ ହୋଇଛି। ୨୦୨୭ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜାରି ରହିଥିବାରୁ ଭାରତ ସବୁ ପରୀକ୍ଷା ନିରୀକ୍ଷାରୁ ଦୂରେଇ ରହି କେବଳ ରଣନୀତି ଓ ତ୍ରୁଟି ସୁଧାରିବା ଉପରେ ଗୁରୁତ୍ବ ଦେବ। ଘରୋଇ ଦଳ ମଧ୍ୟ ଟି-୨୦ ସିରିଜ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି। ଫଳରେ ଏହି ସିରିଜ ବେଶ୍ ସଂଘଷପୂର୍ଣ୍ଣ ରହିବ।

ଟି-୨୦ ସିରିଜ ବିଜୟ ପରେ ଶ୍ରେୟାସ ଆୟର ଦିନିକିଆ ଦଳରେ ସ୍ଥାନ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରିବେ। ତାଙ୍କ ଅନୁପସ୍ଥିତିରେ ଋତୁରାଜ ଗାଏକୱାଡ୍ ୪ନଂ ସ୍ଥାନରେ ବ୍ଯଟିଂ କରୁଥିଲେ। ଆୟର ଉପ ଅଧିନାୟକ ହୋଇଥିବାରୁ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ। ବ୍ୟାଟିଂ କ୍ରମର ପ୍ରଥମ ୪ଟି ସ୍ଥାନ ଚୂଡ଼ାନ୍ତ ହୋଇ ସାରିଥିବା ଅଧିନାୟକ ଶୁଭମନ ଗିଲ୍ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ମ୍ୟାଚ୍ର ପରିସ୍ଥିତି ଦେଖୁ ୫ନଂ ସ୍ଥାନରେ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରାଯିବ। ବାମହାତୀ ବ୍ୟାଟରଙ୍କ ଆବଶ୍ୟକ ପଡ଼ିଲେ ଅକ୍ଷର ପଟେଲ ବ୍ୟାଟିଂ କରିବାକୁ ଓହ୍ଲାଇବେ। ନଚେତ କେଏଲ ରାହୁଲ ଏହି ସ୍ଥାନ ସମ୍ଭାଳିବେ।

Also Read :- ରେଳ ଲାଇନରେ ବିସ୍ଫୋରଣ : ଟ୍ରେନ୍ ଉଡ଼ାଇବାକୁ ହୋଇଥିଲା ପ୍ଲାନ୍, ଟଳିଲା ବଡ଼ ଅଘଟଣ

ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣା ଦିନିକିଆ ସିରିଜ ଖେଳୁ ନଥିବାରୁ ଯୁବ ପେସ୍ ବୋଲରଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ। ବୁମରାଙ୍କ ଅନୁପସ୍ଥିତିରେ ଏକାଦଶରେ ଏକ ସ୍ଥାନ ସ୍ଥାୟୀ କରିବା ପାଇଁ ଗୁରନୂର ବ୍ରାର ଓ ଅର୍ଶଦୀପ ସିଂହ ଲକ୍ଷ୍ୟ ରଖିବେ। ମହମ୍ମଦ ସିରାଜ ପେସ ବୋଲିଂ ବିଭାଗ ସମ୍ଭାଳିବେ।

ନ୍ୟୁଜିଲାଣ୍ଡ ମାଟିରେ ରୋହିତ ଶର୍ମା ଆଜି ପର୍ଯ୍ୟନ୍ତ ଦିନିକିଆ ଶତକ ଅର୍ଜନ କରି ନାହାନ୍ତି। ସେଠାରେ ତାଙ୍କର ସର୍ବାଧୂକ ସ୍କୋର ରହିଛି ୮୭ ରନ। ନ୍ୟୁଜିଲାଣ୍ଡ ମାଟିରେ ୧୩ଟି ଦିନିକିଆ ଇନିଂସ ଖେଳି ରୋହିତ ୩୬.୪୧ ହାର ଓ ୭୨.୯୫ ଷ୍ଟ୍ରାଇକ ରେଟ୍ରେ ୪୩୭ରନ ସଂଗ୍ରହ କରିଛନ୍ତି । ଏଥିରେ ୪ଟି ଅର୍ଦ୍ଧଶତକ ରହିଛି। ଚଳିତ ବର୍ଷ ଦିନିକିଆ କ୍ରିକେଟ୍ରେ ଶୁଭମନ ଗିଲ୍ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ସେ ୧୧ଟି ଦିନିକିଆ ଖେଳି ୧୧୧.୮୭ ହାରରେ ମୋଟ୍ ୮୯୫ ରନ ସଂଗ୍ରହ କରିଛନ୍ତି। ଏକ ଶତକ ସହ ସେ ୧୦୦୦ ରନ ପୂରଣ କରିବାର ସୁଯୋଗ ରହିଛି।