ନୂଆଦିଲ୍ଲୀ:  ଚୀନ୍‌ରେ ୩ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ସାକ୍ଷାତ ହେବା ପରେ ବିଶ୍ବରେ ଶାନ୍ତି ଫେରିବ ବୋଲି ଚର୍ଚ୍ଚା ହେଉଛି । ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ଗୁରୁବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏହି ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ସେଥିରେ ବିଶ୍ୱ ସୁରକ୍ଷା, ରଣନୈତିକ ସ୍ଥିରତା ଏବଂ ବିଶ୍ୱରେ ଚାଲିଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂଘର୍ଷ ଉପରେ  ଆଲୋଚନା ହୋଇଥିବା ଜଣାପଡ଼ିଛି । ତେବେ ଏହି ବୈଠକ ପରେ ରୁଷ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା ମିଳିଛି ।  

ବୈଠକକୁ ନେଇ କଣ କହିଲେ ପୁଟିନ ?
ଚୀନରେ ଏହି ଐତିହାସିକ ତ୍ରିପାକ୍ଷିକ ଶିଖର ସମ୍ମିଳନୀରେ ୯୦ ମିନିଟର ଆଲୋଚନା ପରେ ଏକ ମିଳିତ 'ଶାନ୍ତି ଦିଗରେ ଘୋଷଣାନାମା' ଜାରି ହୋଇଛି । ବୈଠକ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ଚୀନର ସି ଜିନପିଙ୍ଗ ଏବଂ ଆମେରିକା ନେତା ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଏକ 'ମୁକ୍ତ' ଏବଂ 'ଅତ୍ୟନ୍ତ ଉପଯୋଗୀ' ଆଲୋଚନା ହୋଇଛି । ଏହାକୁ ସେ 'କୂଟନୀତି ଇତିହାସର ଏକ ନୂଆ ଅଧ୍ୟାୟ' ବୋଲି କହିଛନ୍ତି । ବୈଠକ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ପୁଟିନ ୟୁକ୍ରେନକୁ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି। ସେହିପରି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ତ୍ରିପାକ୍ଷିକ ବୈଠକକୁ 'ସକାରାତ୍ମକ, ଗଠନମୂଳକ ଏବଂ ଫଳପ୍ରଦ' ବୋଲି କହିଛନ୍ତି।

ପୁଟିନ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଖୋଲା ପରିବେଶରେ ଏହି ଆଲୋଚନା ହୋଇଥିଲା । ଏହି ଆଲୋଚନା ପରଷ୍ପରକୁ ଅଧିକ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିଛି । ସାମଗ୍ରିକ ଭାବରେ ଏହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି। ଯୁଦ୍ଧ ସମାପ୍ତ କରିବା ପାଇଁ ହେଉଥିବା କୌଣସି ଚୁକ୍ତିର ଅଂଶ ଭାବରେ ୟୁକ୍ରେନ ଏବଂ ୟୁରୋପ ମଧ୍ୟରେ କୌଣସି ପ୍ରକାରର ସାମରିକ ସମ୍ପର୍କକୁ ମସ୍କୋ ଗ୍ରହଣ କରିପାରିବ ନାହିଁ ବୋଲି ରୁଷ ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି। ଯେକୌଣସି ରୂପରେ ସାମରିକ ସହଯୋଗ ନିଶ୍ଚିତ ଭାବରେ ଏକ ସମସ୍ୟା ବୋଲି ସେ କହିଛନ୍ତି। ସେପଟେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ନେତୃତ୍ୱରେ ଚାଲିଥିବା ଆଲୋଚନାରେ ୟୁରୋପୀୟ ଅଧିକାରୀମାନେ ଅଂଶଗ୍ରହଣ କରିବା ଉଚିତ କି ନାହିଁ, ସେ ନେଇ ଆଲୋଚନା କରିବା ପାଇଁ ରୁଷ ୟୁରୋପୀୟ ଅଧିକାରୀମାନଙ୍କୁ ମସ୍କୋ ଆସିବାକୁ ନିମନ୍ତ୍ରଣ କରିଛି। 

ୟୁକ୍ରେନକୁ ପୁଟିନଙ୍କ ଚେତାବନୀ
​​​​​​​ଅନ୍ୟପଟେ, କ୍ରିମିଆ ସେତୁ ଉପରେ ବାରମ୍ବାର ଆକ୍ରମଣ ଘଟଣାକୁ ନେଇ ପୁଟିନ ୟୁକ୍ରେନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ମସ୍କୋ ଏହାର ଜବାବ 'ଅଧିକ ଯନ୍ତ୍ରଣାଦାୟକ' ଆକ୍ରମଣ ମାଧ୍ୟମରେ ଦେବ। ସେତୁ ଉପରେ କିଭର ଆକ୍ରମଣ ଅପେକ୍ଷା ରୁଷର ଜବାବ ଯଥେଷ୍ଟ ଅଧିକ ଯନ୍ତ୍ରଣାଦାୟକ ହେବ ବୋଲି ସେ କହିଛନ୍ତି। ପୁଟିନ ଦାବି କରିଛନ୍ତି ଯେ, ରୁଷ ଏହି ଯୁଦ୍ଧ ଆରମ୍ଭ କରିନାହିଁ ଏବଂ ବାସ୍ତବରେ ସେମାନେ କେବେ ବି କୌଣସି ଯୁଦ୍ଧ ଆରମ୍ଭ କରିନାହାନ୍ତି ।  କେବଳ ଏହାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ରୁଷ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ୟୁକ୍ରେନ ନେତୃତ୍ୱ ଯୁଦ୍ଧ ବନ୍ଦ କରିବାକୁ ଚାହାନ୍ତି ନାହିଁ । ଶାନ୍ତି ଚୁକ୍ତି ହେଲେ ସେଠାରେ ନିର୍ବାଚନ କରିବା ବାଧ୍ୟତାମୂଳକ ହୋଇଯିବ ।  ବର୍ତ୍ତମାନର ଶାସକ ଦଳ ନିର୍ବାଚନରେ ହାରିଯିବ। କ୍ଷମତା ହରାଇଲେ ପାଶ୍ଚାତ୍ୟ ଦେଶଗୁଡ଼ିକଠାରୁ ମିଳୁଥିବା ସହାୟତା ରାଶି ମଧ୍ୟ ବନ୍ଦ ହୋଇଯିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ପୁଟିନ୍‌।