ମସ୍କୋ: ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମର ସଂସ୍ଥାପକ ଓ ସିଇଓ ପାଭେଲ୍ ଦୁରୋଭଙ୍କ ବିରୋଧରେ ରୁଷ ସରକାର ଗୁରୁତର ଅଭିଯୋଗ ଆଣିଛନ୍ତି। ରୁଷର ଘରୋଇ ସୁରକ୍ଷା ସଂସ୍ଥା ଫେଡେରାଲ୍ ସିକ୍ୟୁରିଟି ସର୍ଭିସ୍ (FSB) ଦୁରୋଭଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସହଯୋଗ କରିବା ଅଭିଯୋଗରେ ମାମଲା ରୁଜୁ କରିଛି। ଏହା ସହ ତାଙ୍କ ବିରୋଧରେ ଏକ ଆନ୍ତର୍ଜାତିକ ଗିରଫ ପରୱାନା (International Arrest Warrant) ଜାରି କରିଛି। ତାଙ୍କୁ ୱାଣ୍ଟେଡ୍ ତାଲିକାରେ ସାମିଲ କରାଯାଇଛି।

FSBର ଅଭିଯୋଗ ଅନୁସାରେ, ୟୁକ୍ରେନର ଗୁପ୍ତଚର ସଂସ୍ଥାମାନେ ଟେଲିଗ୍ରାମ୍କୁ ବ୍ୟବହାର କରି ରୁଷ ଭିତରେ ଆତଙ୍କବାଦୀ ଆକ୍ରମଣର ଯୋଜନା ପ୍ରସ୍ତୁତ ଏବଂ ସମନ୍ୱୟ ରକ୍ଷା କରୁଥିଲେ। ସେଥିପାଇଁ ବ୍ୟବହୃତ ହେଉଥିବା ଚ୍ୟାନେଲ୍, ଚ୍ୟାଟ୍ ଏବଂ ବଟଗୁଡ଼ିକୁ ଟେଲିଗ୍ରାମ୍ ହଟାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗ ସାର୍ବଜନୀନ ହେବାର କିଛି ସମୟ ପରେ ଟେଲିଗ୍ରାମ୍ ଏକ୍ସ ଆକାଉଣ୍ଟରେ ପାଭେଲ୍ ଦୁରୋଭଙ୍କ ଏକ ଫଟୋ ପୋଷ୍ଟ କରି ମଝି ଆଙ୍ଗୁଳି ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏହା ପୂର୍ବରୁ ଦୁରୋଭ ପୁଟିନ ସରକାରଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆଣିଥିଲେ। ରୁଷ ସରକାର ଟେଲିଗ୍ରାମ୍ରେ ରୁଷବାସୀଙ୍କ ପହଞ୍ଚକୁ ସୀମିତ କରିବା ପାଇଁ ନୂଆ ନୂଆ ବାହାନା ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ଟେଲିଗ୍ରାମ୍ ରୁଷରେ ଅତ୍ୟନ୍ତ ଲୋକପ୍ରିୟ ଆପ। କୋଟି କୋଟି ଲୋକ ଏହି ଆପ୍ ବ୍ୟବହାର କରୁଛନ୍ତି। ତେବେ ଇଣ୍ଟରନେଟ୍ ସ୍ୱାଧୀନତା ଉପରେ ଚାଲିଥିବା ବ୍ୟାପକ କଟକଣାର ଅଂଶ ଭାବେ ରୁଷ ସରକାର ଏହି ଆପ୍ର ବ୍ୟାପକତାକୁ ମଧ୍ୟ କିଛି କ୍ଷେତ୍ରରେ ସୀମିତ କରିଛନ୍ତି। ଅନ୍ୟପଟେ, ୟୁକ୍ରେନ୍ରେ ମଧ୍ୟ ଟେଲିଗ୍ରାମ୍ ବ୍ୟାପକ ଭାବେ ବ୍ୟବହୃତ ହେଉଛି।

୪୧ ବର୍ଷୀୟ ପାଭେଲ୍ ଦୁରୋଭ ଦୀର୍ଘ ବର୍ଷ ହେଲା ରୁଷ ବାହାରେ ବସବାସ କରୁଛନ୍ତି ଏବଂ ତାଙ୍କ ପାଖରେ ଫ୍ରାନ୍ସ ଓ ୟୁଏଇର ନାଗରିକତା ରହିଛି। ତେବେ ରୁଷ ଜାରି କରିଥିବା ଏହି ଗିରଫ ପରୱାନାକୁ ଅନ୍ୟ ଦେଶ କିମ୍ବା ସେମାନଙ୍କ ଆଇନ ପ୍ରୟୋଗକାରୀ ସଂସ୍ଥା ମାନିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଦୁରୋଭ ୨୦୧୪ ମସିହାରେ ରୁଷ ଛାଡ଼ିଥିଲେ। ସେତେବେଳେ ସରକାର ବିରୋଧୀ ସମୁଦାୟଗୁଡ଼ିକୁ ଟେଲିଗ୍ରାମ୍ରୁ ହଟାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ସେ ମାନିବାକୁ ଅସ୍ୱୀକାର କରିଥିଲେ। ଟେଲିଗ୍ରାମ୍ ପ୍ରତିଷ୍ଠା ପୂର୍ବରୁ ସେ ରୁଷର ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଭିକେ (VKontakte କିମ୍ବା VK) ର ସଂସ୍ଥାପକ ଥିଲେ, ଯାହାକୁ ରୁଷର ଫେସବୁକ୍ ବୋଲି କୁହାଯାଏ।

Also Read- ଋଷିଆ ଉପରେ ପଡିଲା ଯୁଦ୍ଧର ପ୍ରଭାବ, ସୁନା ବିକିବା ପରେ ଏବେ ନିଲାମ କରିବ ହୀରା

ବର୍ତ୍ତମାନ ବିଶ୍ୱରେ ପ୍ରାୟ ୯୫ କୋଟି (୯୫୦ ମିଲିୟନ୍) ଲୋକ ଟେଲିଗ୍ରାମ୍ ବ୍ୟବହାର କରୁଛନ୍ତି। ଏହି ପ୍ଲାଟଫର୍ମ ନିଜକୁ ସଦାବେଳେ ବ୍ୟବହାରକାରୀଙ୍କ ଗୋପନୀୟତାକୁ ପ୍ରାଥମିକତା ଦେଉଥିବା ଆପ୍ ବୋଲି ଦାବି କରିଆସିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ଫ୍ରାନ୍ସରେ ପାଭେଲ୍ ଦୁରୋଭଙ୍କୁ ଆପ୍ରେ ଅପରାଧମୂଳକ କାର୍ଯ୍ୟକଳାପକୁ ରୋକିବା ପାଇଁ ପର୍ଯ୍ୟାପ୍ତ କଣ୍ଟେଣ୍ଟ ମଡରେସନ୍ କରିବାରେ ବିଫଳ ହୋଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ପରେ ତାଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଥିଲା, କିନ୍ତୁ ସେହି ମାମଲାର ତଦନ୍ତ ଏବେ ମଧ୍ୟ ଜାରି ରହିଛି।