ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଗତ ଅଢେଇ ବର୍ଷ ହେଲା ଲାଗି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଋଷିଆ ଅର୍ଥନୀତି ଉପରେ ପଡିଛି। ପ୍ରଥମେ ସରକାରୀ ରାଜକୋଷରୁ ବିପୁଳ ସୁନା ବିକ୍ରିର ଖବର ଆସିଥିଲା। ଏବେ ମସ୍କୋ ତାର ଡାୟମଣ୍ଡ ରିଜର୍ଭ ଅକ୍ସନ କରିବ ବୋଲି ନିଷ୍ପତ୍ତି ନେଇଛି। ଋଷିଆ ଅର୍ଥମନ୍ତ୍ରାଳୟ ୯ ସେପ୍ଟେମ୍ବର ୨୦୨୬ରେ ୨.୧୬ ଗ୍ରାମରୁ ଅଧିକ ଓଜନର ହୀରା ନିଲାମ ପାଇଁ ନୋଟିଫିକେସନ ଜାରି କରିଛି। ଏବେ ଏହାକୁ ଋଷିଆର ଆର୍ଥିକ ଆହ୍ୱାନ ସହ ଯୋଡି ଦେଖା ଯାଉଛି। ଏବେ ପ୍ରଶ୍ନ ଉଠୁଛି ଅନ୍ତର୍ଜାତୀୟ କଟକଣା ଓ ଯୁଦ୍ଧ ବାବଦ ବ୍ୟୟ ଋଷିଆକୁ ତାର ରଣନୈତିକ ଭଣ୍ଡାର ବିକ୍ରି କରିବାକୁ ବାଧ୍ୟ କରୁଛି କି?

ୟୁକ୍ରେନ ଗଣମାଧ୍ୟମ ଓ ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଋଷିଆ ଗତ ବର୍ଷକରେ ପାଖାପାଖି ୪ ବିଲିୟନ ଡଲାରର ସୁନା ବିକ୍ରୟ କରିଛି। ଏଥିରେ କେବଳ ଗତ ୬ ମାସରେ ୪୪୫ ଟନ ସୁନା ବିକ୍ରି ହୋଇଛି। ଏପରି ଦାବିକୁ ଋଷିଆ ସରକାର ସାର୍ବଜନିକ ଭାବେ ଖଣ୍ଡନ କରି ନାହାନ୍ତି। ଏବେ ଅର୍ଥମନ୍ତ୍ରାଳୟ ସରକାରୀ ରାଜକୋଷରେ ଗଛିତ ଡାୟମଣ୍ଡ ରିଜର୍ଭ ନିଲାମ ପାଇଁ ନିଷ୍ପତ୍ତି ନେଇଛି। ଏହାକୁ ଋଷିଆର ନଗଦ ସଂଗ୍ରହ ପ୍ରକ୍ରିୟା ଭାବେ ଦେଖା ଯାଉଛି। ଋଷିଆ ଅର୍ଥମନ୍ତ୍ରାଳୟ ଅନୁସାରେ ସେପ୍ଟେମ୍ବର ୯ ତାରିଖ ଦିନ ମସ୍କୋରେ ୨.୧୬ ଗ୍ରାମ୍ ଓଜନର ହୀରା ନିଲାମ ହେବ।

ଋଷିଆରେ ଏହା ପ୍ରଥମ ଥର ଯେତେବେଳେ ୨.୧୬ ଗ୍ରାମରୁ ଅଧିକ ଓଜନର ହୀରା ନିଲାମ ହେବ। ଏହା ପୂର୍ବରୁ କେବଳ ଛୋଟ ଛୋଟ ଆକାରର ହୀରା ବିକ୍ରି ହେଉଥିଲା। ତେବେ ଏହି ନିଲାମରେ ଅଂଶଗ୍ରହଣ କରିବା ପାଇଁ ଋଷୀୟ ନାଗରିକଙ୍କୁ ଅନୁମତି ମିଳିବ। ଏଥି ପାଇଁ ସେମାନଙ୍କୁ ଅଗଷ୍ଟ ୨୦ ତାରିଖ ସୁଦ୍ଧା ୨୫୦୦ ଡଲାରର ଟୋକନ ରାଶି ଜମା କରିବାକୁ ପଡିବ। ଅର୍ଥମନ୍ତ୍ରାଳୟ କହିଛନ୍ତି ଯେ ସଫଳ ବୋଲି ଲଗାଇଥିବା କ୍ରେତାଙ୍କ ସହିତ ଔପଚାରିକ ଅନୁବନ୍ଧ ସ୍ୱାକ୍ଷରିତ ହେବ। ଏହି କଣ୍ଟ୍ରାକ୍ଟ ଆଧାରରେ ହୀରାର ଆଇନତଃ ମାଲିକାନା ପ୍ରଦାନ କରାଯିବ। କୁହାଯାଉଛି ଏହି ନିଲାମୀରୁ ସରକାର ଅତିରିକ୍ତ ରାଜସ୍ୱ ସଂଗ୍ରହ କରିପାରିବେ।

ଫେବୃଆରୀ ୨୦୨୨ରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଲାଗି ପାଶ୍ଚାତ୍ୟ ଦେଶମାନେ ଋଷିଆ ଉପରେ କଟକଣା ଲାଗୁ କରିଛନ୍ତି। ଏହାର ପ୍ରଭାବ ଋଷିଆର ଇନ୍ଧନ ରପ୍ତାନୀ ଓ ବୈଦେଶିକ ଆୟ ଉପରେ ପଡିଛି। ସରକାରୀ ତଥ୍ୟ ଅନୁସାରେ ଋଷିଆର ନିଅଣ୍ଟିଆ ବଜେଟ ପରିମାଣ ଜିଡିପିର ୨.୬ ପ୍ରତିଶତକୁ ପହଞ୍ଚି ଯାଇଛି। ସେହିପରି ତୈଳ ଓ ଗ୍ୟାସ୍ ରପ୍ତାନୀରୁ ମିଳୁଥିବା ରାଜସ୍ୱ ୨୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଏଣୁ ସରକାରଙ୍କ ଉପରେ ଚାପ ବଢିବଢି ଚାଲିଛି। ଗତ ମାସମାନଙ୍କରେ ୟୁକ୍ରେନ ଋଷିଆର ତୈଳ ଓ ଗ୍ୟାସ୍ ଭଣ୍ଡାର ଉପରେ ଅନେକବାର ଆକ୍ରମଣ କରିଛି। ଏଣୁ ଇନ୍ଧନ ଉତ୍ପାଦନ ଓ ରପ୍ତାନୀ ପ୍ରଭାବିତ ହୋଇଛି। ପ୍ରଥମେ ସୁନା ଓ ଏବେ ହୀରା ନିଲାମ ଋଷିଆର ଆର୍ଥିକ ରଣନୀତିର ଅଂଶବିଶେଷ ବୋଲି ମନେ କରାଯାଉଛି।