ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ କଫ୍ ସିରପ୍ ଦେବା ସମ୍ପର୍କରେ ସଚେତନ କରିବା ପାଇଁ ଭାରତର ଔଷଧ ନିୟାମକ ସଂସ୍ଥା ବଡ଼ ପଦକ୍ଷେପ ନେବାକୁ ଯାଉଛି। ୪ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ୍ ସିରପ୍ ବ୍ୟବହାର ନକରିବା ପାଇଁ ଔଷଧ ବୋତଲର ସତର୍କ ସୂଚନା ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାଫଳରେ ଏହା କେବଳ ସ୍କୁଲ ପିଲା କିମ୍ବା ବଡ଼ ପିଲାଙ୍କ ପାଇଁ ଉଦ୍ଦିଷ୍ଟ. ଛୋଟ ପିଲାଙ୍କ ପାଇଁ ନୁହେଁ ବୋଲି ଜଣାପଡ଼ିବ।

ପ୍ରସ୍ତାବ ଅନୁସାରେ, କଫ୍ ସିରପ୍ ବୋତଲରେ ଲାଲ୍ ରଙ୍ଗରେ ସ୍ପଷ୍ଟ ଭାବେ ଲେଖାଯାଇପାରେ— “ଚେତାବନୀ: ୪ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କଫ୍ ସିରପ୍ ବ୍ୟବହାର କରନ୍ତୁ ନାହିଁ।” ଏହାସହ ସ୍କୁଲ୍ ବୟସର ପିଲାଙ୍କ ଚିତ୍ର ଲେବଲରେ ରଖାଯାଇପାରେ। ଏହାଦ୍ୱାରା ଔଷଧଟି ବଡ଼ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସହଜରେ ବୁଝାଇବା ସହ ଛୋଟ ଶିଶୁଙ୍କ ମଧ୍ୟରେ ଏହାର ବ୍ୟବହାରକୁ ନିରୁତ୍ସାହିତ କରାଯାଇପାରିବ।

Also Read- ଶିଶୁ ଖାଦ୍ୟ ନିୟମ ଉଲ୍ଲଂଘନ ଅଭିଯୋଗ: ନେସଲେ ଇଣ୍ଡିଆ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା FSSAI,

ଏହି ପ୍ରସ୍ତାବକୁ ଡ୍ରଗ୍ସ କନସଲଟେଟିଭ୍ କମିଟି (DCC) ନିକଟରେ ବିଚାର ପାଇଁ ରଖାଯାଇଛି। ଏଥିପାଇଁ ୧୯୪୫ର ଡ୍ରଗ୍ସ ରୁଲ୍ସର ରୁଲ୍ ୯୬ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଗତବର୍ଷ ଅକ୍ଟୋବରରେ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହେଲ୍ଥ ସର୍ଭିସେସ୍ (DGHS) ପକ୍ଷରୁ ଶିଶୁମାନଙ୍କ ଚିକିତ୍ସାରେ କଫ୍ ଓ କୋଲ୍ଡ ଔଷଧର ଯଥାସମ୍ଭବ ସତର୍କତାର ସହ ବ୍ୟବହାର ପାଇଁ ଆଡଭାଇଜରି ଜାରି ହୋଇଥିଲା। ବିଶେଷକରି ୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଏପରି ଔଷଧ ପ୍ରେସକ୍ରାଇବ୍ ନ କରିବା କିମ୍ବା ନ ଦେବାକୁ ନିଷେଧ କରାଯାଇଥିଲା।

କିନ୍ତୁ ଏହି ନିର୍ଦ୍ଦେଶ ପରେ ମଧ୍ୟ ୨ ବର୍ଷରୁ କମ୍ ଶିଶୁଙ୍କୁ କଫ୍ ସିରପ୍ ଦିଆଯାଉଥିବା ନେଇ ଅଭିଯୋଗ ଆସିଥିଲା। ଏପ୍ରିଲ୍ ୨୦୨୬ରେ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO)ର ଏକ ଆଭ୍ୟନ୍ତରୀଣ ବୈଷୟିକ କମିଟି ଏହି ମାମଲାରେ ଆଲୋଚନା କରିଥିଲା।

କମିଟି ପକ୍ଷରୁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ସହ ଆଲୋଚନା କରିବାକୁ ସୁପାରିସ୍ କରାଯାଇଥିଲା। ଶିଶୁଙ୍କ କଫ୍ ସିରପ୍ ବ୍ୟବହାର ସମ୍ପର୍କରେ ICMRର କୌଣସି ପ୍ରସ୍ତାବ ରହିଛି କି ନାହିଁ, ତାହା ଜାଣିବା ସହ ଲେବଲିଂରେ ପରିବର୍ତ୍ତନର ନିୟାମକ ଓ ବଜାରଗତ ସମ୍ଭାବନା ନେଇ ସମସ୍ତ ହିତଧାରୀଙ୍କ ସହ ପରାମର୍ଶ କରିବାକୁ କୁହାଯାଇଥିଲା। ତେବେ ICMR ପକ୍ଷରୁ କଫ୍ ସିରପ୍ର ଲେବଲିଂ ନେଇ କୌଣସି କାମ କରାଯାଉନଥିବା ସ୍ପଷ୍ଟ କରାଯାଇଛି।

କଫ୍ ସିରପ୍ ଭାରତରେ ସବୁଠାରୁ ଅଧିକ ପ୍ରେସକ୍ରାଇବ୍ ଓ ଓଭର୍-ଦି-କାଉଣ୍ଟରରେ କିଣାଯାଉଥିବା ଔଷଧ ମଧ୍ୟରୁ ଅନ୍ୟତମ। ତେଣୁ ଅତି କମ୍ ବୟସର ପିଲାଙ୍କ ମଧ୍ୟରେ ଏହାର ବ୍ୟବହାରକୁ ନେଇ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଆସୁଛନ୍ତି। ଏବେ ଲେବଲରେ ସ୍ପଷ୍ଟ ଚେତାବନୀ ଓ ପିଲାଙ୍କ ଚିତ୍ର ଦେବା ପ୍ରସ୍ତାବ ଉପରେ ଡ୍ରଗ୍ସ କନସଲଟେଟିଭ୍ କମିଟିର ଆଲୋଚନା ପରେ ଆଗାମୀ ପଦକ୍ଷେପ ସ୍ପଷ୍ଟ ହେବ।