ମସ୍କୋ: ଜାତିସଂଘ ସାଧାରଣ ସଭାରେ ପୁଣିଥରେ ଭାରତକୁ ସମର୍ଥନ ଜଣାଇଲା ଋଷିଆ। ଶନିବାର ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି। ଏଥିସହିତ ପଶ୍ଚିମ ଦେଶଗୁଡ଼ିକୁ ଅତିରିକ୍ତ ସ୍ଥାୟୀ ଆସନ ଆବଣ୍ଟନକୁ ବିରୋଧ ସେ କରିଛନ୍ତି।

ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ଲାଭରୋଭ କହିଛନ୍ତି ଯେ ୟୁଏନଏସସି ସଂସ୍କାର ବିଶ୍ୱ ଦକ୍ଷିଣ, ବିଶେଷକରି ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାରୁ ପ୍ରତିନିଧିତ୍ୱକୁ ବ୍ୟାପକ କରିବା ଉଚିତ। ପାଶ୍ଚାତ୍ୟ ଦେଶଗୁଡ଼ିକୁ, ବିଶେଷକରି ଜର୍ମାନୀ ଏବଂ ଜାପାନକୁ, ଯେଉଁମାନେ ବର୍ତ୍ତମାନ ସାମରିକତା ଏବଂ ପ୍ରତିଶୋଧବାଦୀ ପଥରେ ଅଛନ୍ତି, ସେମାନଙ୍କୁ କୌଣସି ଅତିରିକ୍ତ ଆସନ ଆବଣ୍ଟିତ ହୋଇପାରିବ ନାହିଁ ବୋଲି ଲାଭରୋଭ କହିଛନ୍ତି।

ଲାଭରୋଭ୍ ଆହୁରି ମଧ୍ୟ କହିଛନ୍ତି ଯେ ସଂସ୍କାର ପ୍ରକ୍ରିୟାର ଅଂଶବିଶେଷ ଭାବରେ ଆଫ୍ରିକୀୟ ମହାଦେଶର ସ୍ୱାର୍ଥକୁ ମଧ୍ୟ ବିଚାରକୁ ନିଆଯିବା ଆବଶ୍ୟକ। ଜାତିସଂଘ ସାଧାରଣ ସଭାର (UNGA) ଚାଲିଥିବା ସାଧାରଣ ଆଲୋଚନା ସମୟରେ ଭାରତର ଏହି ପ୍ରସ୍ତାବକୁ ଅନ୍ୟ ଦେଶମାନଙ୍କର ମଧ୍ୟ ସମର୍ଥନ ମିଳିଛି।

ଅନ୍ୟ ଦେଶଗୁଡ଼ିକର ସମର୍ଥନ

ମରିସସ ବୈଦଶିକ ମନ୍ତ୍ରୀ ଧନଞ୍ଜୟ ରାମଫୁଲ କହିଛନ୍ତି "ପରିଷଦ ସଂସ୍କାର ସମ୍ବନ୍ଧୀୟ G4 ଏବଂ L69 ଗୋଷ୍ଠୀର ଆଭିମୁଖ୍ୟକୁ ଆମେ ସମର୍ଥନ କରୁଛୁ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀରେ ଭାରତର ସକାରାତ୍ମକ ଭୂମିକାକୁ ଦୃଷ୍ଟିରେ ରଖି ସ୍ଥାୟୀ ଆସନ ପାଇଁ ଏହାର ପ୍ରାର୍ଥୀତ୍ୱକୁ ଆମେ ପୁନର୍ବାର ସମର୍ଥନ ଜଣାଉଛୁ।"

ସେହିପରି ପର୍ତ୍ତୁଗାଲ ମଧ୍ୟ ୟୁଏଏସସିର ସାଂଗଠନିକ ପରିବର୍ତ୍ତନକୁ ସମର୍ଥନ କରିବା ସହିତ ଆଫ୍ରିକା, ବ୍ରାଜିଲ ଓ ଇଣ୍ଡିଆରୁ ଅଧିକ ପ୍ରତିନିଧିତ୍ୱ ରହିବା ଦରକାର ବୋଲି କହିଛି। ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋ ଭାରତ ପାଇଁ ସ୍ଥାୟୀ ପ୍ରତିନିଧିତ୍ୱ ସହିତ ଏକ ଅଧିକ ପ୍ରତିନିଧିତ୍ୱ ପରିଷଦ ପାଇଁ ଆହ୍ୱାନ କରିଛନ୍ତି।

ସେହିପରି ମାର୍ସଲ ଆଇସଲ୍ୟାଣ୍ଡ ଜାପାନ ଏବଂ ଏହାର G4 ଅଂଶୀଦାରମାନଙ୍କୁ ସମର୍ଥନ ଜଣାଇଛି। ରାଷ୍ଟ୍ରପତି ହିଲଡା ହାଇନ୍ କହିଛନ୍ତି, "ମାର୍ଶାଲ୍ ଦ୍ୱୀପପୁଞ୍ଜ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ହାସଲ କରିବା ପାଇଁ ଜାପାନ ଏବଂ ଏହାର G4 ଅଂଶୀଦାରମାନଙ୍କୁ ଦୀର୍ଘକାଳୀନ ସମର୍ଥନ ପ୍ରଦାନ କରେ। ସେହିପରି ଜାପାନ, ଅନ୍ୟ ଆଫ୍ରିକୀୟ ଦେଶ, ଘାନା ଆଦି ଦେଶଗୁଡ଼ିକ ୟୁଏନଏସସିର ସଂଶୋଧନଦାବି କରିଛନ୍ତି।

ବର୍ତ୍ତମାନ ୟୁନଏସସିରେ ପାଞ୍ଚ ସ୍ଥାୟୀ ସଦସ୍ୟ- ଚୀନ୍, ଫ୍ରାନ୍ସ, ରୁଷ, ୟୁକେ ଏବଂ ଆମେରିକା, ବର୍ତ୍ତମାନ ଭିଟୋ କ୍ଷମତା ରଖିଛନ୍ତି। ଅନ୍ୟପଟଣେ 10 ଅଣ-ସ୍ଥାୟୀ ସଦସ୍ୟ ଦୁଇ ବର୍ଷ ପାଇଁ କାର୍ଯ୍ୟ କରନ୍ତି। ଜାତିସଂଘ ଚାର୍ଟରରେ ଯେକୌଣସି ସଂଶୋଧନ ପାଇଁ ସାଧାରଣ ସଭାରେ ଦୁଇ-ତୃତୀୟାଂଶ ବହୁମତ ଏବଂ ସମସ୍ତ ପାଞ୍ଚ ସ୍ଥାୟୀ ସଦସ୍ୟ ସମେତ ଜାତିସଂଘ ସଦସ୍ୟ ରାଷ୍ଟ୍ରର ଦୁଇ-ତୃତୀୟାଂଶ ଦ୍ୱାରା ଅନୁମୋଦନ ଆବଶ୍ୟକ।