Rohit Sharma: ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଦୀର୍ଘ ୨୨ ଦିନର ବ୍ୟବଧାନ ପରେ ପଡ଼ିଆକୁ ଫେରିଛନ୍ତି 'ହିଟମ୍ୟାନ' ରୋହିତ ଶର୍ମା। ସୋମବାର ୱାଙ୍ଖେଡ଼େ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଖେଳାଯାଉଥିବା ସିଜନର ୪୭ତମ ଲିଗ୍ ମ୍ୟାଚରେ ରୋହିତଙ୍କୁ ପୁଣି ଥରେ ମୁମ୍ବାଇର ପ୍ଲେଇଂ-୧୧ରେ ଦେଖିବାକୁ ମିଳିଛି।

ସୂର୍ଯ୍ୟାଙ୍କ ଘୋଷଣା ପରେ ଉତ୍ସବମୁଖର ୱାଙ୍ଖେଡ଼େ

ଏହି ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଉଛନ୍ତି। ଟସ୍ ସମୟରେ ଯେତେବେଳେ ସୂର୍ଯ୍ୟା କହିଥିଲେ, "ଆମ ନିଜ ରୋହିତ ଶର୍ମା ଦଳକୁ ଫେରିଛନ୍ତି", ସେତେବେଳେ ସମଗ୍ର ୱାଙ୍ଖେଡ଼େ ଷ୍ଟାଡିୟମ ପ୍ରଶଂସକଙ୍କ କରତାଳି ଓ ନାରାରେ ପ୍ରକମ୍ପିତ ହୋଇଉଠିଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

Also Read: ହାର୍ଦ୍ଦିକ ପାଣ୍ଡ୍ୟା ଗୋଟେ ପ୍ଲାଷ୍ଟିକ କ୍ୟାପ୍ଟେନ: ତାତିଲେ ଶ୍ରୀକାନ୍ତ

ଆହତ ପରେ ପୁଣି ମୈଦାନରେ ରୋହିତ

ରୋହିତ ଶର୍ମା ଶେଷଥର ପାଇଁ ଏପ୍ରିଲ ୧୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳିଥିଲେ। ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି (Hamstring Injury) କାରଣରୁ ସେ ଦଳରୁ ବାହାରେ ଥିଲେ। ପ୍ରାୟ ୨୨ ଦିନ ପରେ ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ଦଳ ପାଇଁ ମାନସିକ ସ୍ତରରେ ବଡ଼ ଶକ୍ତି ଭାବେ କାମ କରିବ।

ମୁମ୍ବାଇ ପାଇଁ 'କର ବା ମର' ସ୍ଥିତି

ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଦଳ ୯ଟି ମ୍ୟାଚ୍ ଖେଳି ମାତ୍ର ୨ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟର ସାମ୍ନା କରିଛି। ଏବେ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ଥିବା ମୁମ୍ବାଇ ପାଇଁ ପ୍ଲେ-ଅଫ୍ ରାସ୍ତା ପ୍ରାୟତଃ ବନ୍ଦ ହୋଇଯାଇଛି। ଯଦି ଆଜି ଲକ୍ଷ୍ନୌ ବିପକ୍ଷରେ ଦଳ ହାରିଯାଏ, ତେବେ ଆନୁଷ୍ଠାନିକ ଭାବେ ମୁମ୍ବାଇ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବ। ଏଭଳି ସଙ୍କଟ ସମୟରେ ରୋହିତଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଦେଖିବାକୁ ଫ୍ୟାନ୍ସ ଆଶା ରଖିଛନ୍ତି।

Also Read: ୧୫,୬୬୦ କୋଟି ଟଙ୍କାରେ Rajasthan Royalsକୁ କିଣିଲେ ଲକ୍ଷ୍ମୀ ମିତ୍ତଲ, ୭୫% ସେୟାର ସହ ହେଲେ ନୂଆ କିଙ୍ଗ୍