ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ମୈଦାନରେ ଛକା, ଚୌକା ବର୍ଷା ହେଉଥିବା ବେଳେ, ବିଜନେସ୍ ଅଳିନ୍ଦରୁ ଏକ ଏପରି ଖବର ଆସୁଛି ଯାହା କ୍ରିକେଟ ଜଗତକୁ ଚକିତ କରିଛି। ବିଶ୍ୱରେ ଷ୍ଟିଲ କିଙ୍ଗ ଭାବେ ଜଣାଶୁଣା ଦିଗ୍ଗଜ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲ ପରିବାରର ଆଇପିଏଲକୁ ଏଣ୍ଟ୍ରି ହୋଇଛି। ମିତ୍ତଲ ପରିବାର ଲିଗ୍ ର ପ୍ରଥମ ଚାମ୍ପିୟନ ଟିମ୍ ରାଜସ୍ଥାନ ରୟାଲସ (ଆରଆର) ବଡ଼ ସେୟାର କିଣିନେଇଛନ୍ତି। ଏହି ଡିଲ ମୋଟ ୧.୬୫ ବିଲିୟନ ଡଲାର ଅର୍ଥାତ ୧୫,୬୬୦ କୋଟି ଟଙ୍କାରେ ହୋଇଛି।

ଲକ୍ଷ୍ମୀ ମିତ୍ତଲ ପରିବାର ଟିମ୍ ର ଏବେକା ପ୍ରମୋଟର ମନୋଜ ବଦଲେ ଓ ତାଙ୍କ ଗ୍ରୁପ ନିକଟରୁ ଟିମ୍ ଅଧିଗ୍ରହଣ କରିଛନ୍ତି। ଏହି ଡିଲ ବାଦେ ଆରଆର ମାଲିକାନା ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ।

କାହାର କେତେ ରହିବ ଭାଗିଦାରୀ?

  • ମିତ୍ତଲ ପରିବାର ନିକଟରେ ଟିମ୍ର ୭୫% ଭାଗିଦାରୀ ରହିବ
  • ଟିମ୍ ରେ ଭେକ୍ସିନ କିଙ୍ଗ ତଥା ସିରମ ଇନଷ୍ଟିଟ୍ୟୁଟର ସିଇଓ ଅଦାର ପୁନାୱାଲାଙ୍କର ଭାଗିଦାରୀ ୧୮% ରହିବ
  • ବାକି ଭାଗିଦାରୀ ଛୋଟ ନିବେଶକଙ୍କ ହାତରେ ରହିବ

ଲକ୍ଷ୍ମୀ ମିତ୍ତଲଙ୍କ ନେଟୱର୍ଥ
ରାଜସ୍ଥାନ ଚୁରୁ ଜିଲ୍ଲା ସାଦୁଲପୁର ତହସିଲରେ ଜନ୍ମିତ ଲକ୍ଷ୍ମୀନାରାୟଣ ମିତ୍ତଲ ବିଶ୍ୱର ଷ୍ଟିଲ ଇଣ୍ଡଷ୍ଟ୍ରିର ଏକ ବଡ଼ ନାମ। କିଛି ସମୟ ପୂର୍ବରୁ ସେ ବ୍ରିଟେନ ଛାଡିବେ ବୋଲି ଘୋଷଣା କରିଥିଲେ। ଫୋର୍ବସ ରିୟଲଟାଇମ ବିଲେନିୟର ଡାଟାରେ ୭୫ ବର୍ଷ ବୟଷ୍କ ଲକ୍ଷ୍ମୀ ମିତ୍ତଲଙ୍କ ନେଟୱର୍ଥ ୨.୭୦ ଲକ୍ଷ କୋଟି ଟଙ୍କା ସେ ଭାରତର ଶୀର୍ଷ ଧନୀକଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଲକ୍ଷ୍ମୀ ମିତ୍ତଲଙ୍କ ଆୟର ସ୍ରୋତ
ଲକ୍ଷ୍ମୀ ମିତ୍ତଲଙ୍କ ଅଚଳାଚଳ ସମ୍ପତ୍ତିର ସବୁଠୁ ବଡ଼ ଆଧାର ଆର୍ସେଲର ମିତ୍ତଲ ଷ୍ଟିଲ କମ୍ପାନୀ। ଏହା ବିଶ୍ୱର ଦ୍ୱିତୀୟ ସର୍ବ ବୃହତ୍ତ ଷ୍ଟିଲ କମ୍ପାନୀ। ମିତ୍ତଲ ଏହି କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ତାଙ୍କ ବିଜନେସ୍ ମଡେଲ ‘ଭର୍ଟିକାଲ ଇଣ୍ଟିଗ୍ରେସନ’ ଆଧାରିତ। ଅର୍ଥାତ ତାଙ୍କ କମ୍ପାନୀ ନା କେବଳ ଇଷ୍ପାତ ତିଆରି କରେ ବରଂ ଲୁହାପଥର ଖଣିର ମାଲିକାନା ମଧ୍ୟ ରଖେ। ଏଣୁ ଏହି କମ୍ପାନୀର ଉତ୍ପାଦନ ବାବଦ ବ୍ୟୟ କମ୍ ଓ ଲଭା ଅଧିକ ହୋଇଥାଏ। ତାଙ୍କ ବ୍ୟବସାୟ ବିଶ୍ୱର ବିଭିନ୍ନ ଦେଶରେ ରହିଛି।

ଲକ୍ଷ୍ମୀ ମିତ୍ତଲଙ୍କ ପ୍ରତିକ୍ରିୟା
ଆଇପିଏଲ ଟିମ୍ କ୍ରୟ ପରେ ଲକ୍ଷ୍ମୀ ମିତ୍ତଲ କହିଛନ୍ତି ଯେ କ୍ରିକେଟ ମୋ ପସନ୍ଦର ଖେଳ ଓ ମୋ ପରିବାର ରାଜସ୍ଥାନ ସହ ଜଡିତ। ଏଣୁ ଆଇପିଏଲରେ ମୋ ପାଇଁ ରାଜସ୍ଥାନ ରୟାଲସ୍ ଠାରୁ ଅନ୍ୟ କୌଣସି ଟିମ୍ ଭଲ ହୋଇ ନପାରେ। ସେ କହିଛନ୍ତି ଯେ କ୍ରିକେଟ ସହ ମୋର ସମ୍ପର୍କ ସ୍କୁଲ ଦିନରୁ ଆରମ୍ଭ ହୋଇଥିଲା। ସେବେଠାରୁ ଏହି ଖେଳ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି।

ରାଜସ୍ଥାନ ରୟାଲସର ଜର୍ସି ଅନେକ ମହାନ ଖେଳାଳି ପିନ୍ଧିଛନ୍ତି। ଏଥିରେ ଭାରତୀୟ କ୍ରିକେଟର ଦିଗ୍ଗଜମାନେ ମଧ୍ୟ ଅଛନ୍ତି। ଏହି ଟିମ୍ର ଅଂଶ ହେବା ମୋ ପାଇଁ ଏକ ଗୌରବର ବିଷୟ ବୋଲି ଲକ୍ଷ୍ମୀ ମିତ୍ତଲ କହିଛନ୍ତି। ସେ କହିଛନ୍ତି ଯେ ଆଗାମୀ ସମୟରେ ମୁଁ ଟିମ୍ ସଫଳତାରେ ଭାଗି ହେବାକୁ ଓ ଷ୍ଟାଡିୟମ ଖେଳ ପଡିଆ କଡ଼ରେ ଛିଡା ହୋଇ ଫ୍ୟାନସଙ୍କ ସହ ମିଶି ବିଜୟ ଉତ୍ସବ ପାଳନ ଲାଗି ବେଶ୍ ଉତ୍ସାହିତ ଅଛି।