ନୂଆଦିଲ୍ଲୀ, ୧୯|୦୭: ଇଂଲଣ୍ଡ ବିପକ୍ଷରେ ରବିବାର ଦିନିକିଆ ସିରିଜର ଶେଷ ତଥା ତୃତୀୟ ମୁକାବିଲା ଖେଳିବ ଭାରତ । ସବୁ କ୍ରିକେଟ୍ ଫ୍ୟାନ୍ସଙ୍କ ନଜର ଏହି ମୁକାବିଲା ଉପରେ ରହିଛି । କାରଣ ଚର୍ଚ୍ଚା ହେଉଛି ଯେ, ରୋହିତ ଶର୍ମାଙ୍କର ଏହା ଶେଷ ମୁକାବିଲା । ଯାହାର ସାକ୍ଷୀ ହେବାକୁ ଲର୍ଡସରେ ତାଙ୍କ ପିତା ମାତା ବି ରହିବେ । ବିସିସିଆଇ ଅବସର କଥାକୁ ଗୁଜବ କହିଥିଲେ ବି ଫ୍ୟାନ୍ସଙ୍କ ମନରେ ଏବେବି ଭୟ ରହିଛି । ଏସବୁ ଭିତରେ ପାକିସ୍ତାନୀ କ୍ରିକେଟର୍ ଧମକ ଦେଇଛନ୍ତି ।

ପାକିସ୍ତାନର ପୂର୍ବତନ ବ୍ୟାଟସମ୍ୟାନ୍ ତଥା ଖେଳାଳି ବାସିତ୍ ଅଲ୍ଲୀ କହିଛନ୍ତି ଯେ, ଯଦି ରୋହିତ ଶର୍ମା ସନ୍ୟାସ ନିଅନ୍ତି ତାହାଲେ ଏହା ବିସିସିଆଇର କ୍ଷତି ହେବ । ଏହାର ପ୍ରଭାବ ବିରାଟ କୋହଲିଙ୍କ ନିଷ୍ପତ୍ତି ଉପରେ ମଧ୍ୟ ପଡି଼ବ । ଯେତେଦିନ ଧରି ରୋହିତ ଭଲ ପ୍ରଦର୍ଶନ କରୁଛନ୍ତି ସେତେଦିନ ସେ ଦଳରେ ରହିବା ଜରୁରୀ । ଇଂଲଣ୍ଡ ବିପକ୍ଷ ଦୁଇଟି ମ୍ୟାଚର ପ୍ରଦର୍ଶନକୁ ନେଇ ତାଙ୍କର ଫର୍ମ୍ ବାବଦରେ କିଛି କହିବା ଠିକ୍ ହେବନି ।

Also Read :- ଗମ୍ଭୀରଙ୍କୁ କୋଚ୍ ହେବାକୁ କହିଥିଲେ ରୋହିତ, ନିଜେ ହିଁ ଗୋଡରେ ମାରିଥିଲେ କୁରାଢୀ...ସାମ୍ନାକୁ ଆସିଲା ଭୟଙ୍କର ସତ !

ସେ ଆହୁରି କହିଛନ୍ତି ଯେ, ଗମ୍ଭୀରଙ୍କ ପସନ୍ଦ ଏବଂ ନାପସନ୍ଦ ଆଧାରରେ ନିଷ୍ପତ୍ତି ନେବା ଅନୁଚିତ । ଯଦି ରୋହିତଙ୍କ ଉପରେ ଚାପ ପଡେ ତାହାଲେ ବିରାଟ ମଧ୍ୟ ଅନ୍ୟ ଚିନ୍ତା କରିବେ । ଟେଷ୍ଟ୍ କ୍ରିକେଟରେ ଏପରି ଦେଖିବାକୁ ମିଳିଥିଲା । ଉଭୟ ଏକାଠି ଟେଷ୍ଟ୍ ଫର୍ମାଟରୁ ଅବସର ନେଇଥିଲେ । ଲର୍ଡସରେ ମଧ୍ୟ ସେପରି କିଛି ଦେଖିବାକୁ ମିଳିପାରେ । ଉଭୟ ଦିନିକିଆ କ୍ରିକେଟକୁ ଅଲବିଦା କରିପାରନ୍ତି ।

ବାସିତ୍ ଏହାବ୍ୟତୀତ କହିଛନ୍ତି ଯେ, ଏବେ ରୋହିତଙ୍କ ପାଳି । ଆଗକୁ ବିରାଟଙ୍କ ସମୟ ଆସିବ । ଉଭୟଙ୍କ ଉପରେ ବେଶି ଚାପ ପକାଇଲେ ଟିମ୍ ଇଣ୍ଡିଆ ଉପରେ ଖରାପ ପ୍ରଭାବ ପଡିବ । ଦୁନିଆ ସାରା କ୍ରିକେଟ୍ ପ୍ରେମୀ ଏବେବି ବିରାଟଙ୍କ କ୍ରିଜରେ ଦେଖିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି ।