ଭୁବନେଶ୍ୱର: ଦିନେ ଯେଉଁଠି ଥିଲା ଜୀବନର ଚିହ୍ନ, ଆଜି ତାହା ମୃତ୍ୟୁର ଉପତ୍ୟାକା। ଯେଉଁଠି ଶୁଭୁଥିଲା ଛୋଟପିଲାଙ୍କ ହସ, ଗାଁ ଲୋକଙ୍କ କୋଳାହଳ, ଆଜି ସେଠି ନିରବତା। ଚାହୁଁ ଚାହୁଁ ମାଟିରେ ମିଶିଗଲା ପୂରା ଗାଁ। ଘର ନାହିଁ, ଦୁଆର ନାହିଁ, ନାହାନ୍ତି ନିଜ ଲୋକଙ୍କୁ ଖୋଜିବା ପାଇଁ ମଣିଷ। ପ୍ରକୃତିର ପ୍ରଳୟଙ୍କରୀ ରୂପ ଏମିତି ଛାରଖାର କରିଦେଇଛି ଯେ, ମଶାଣି ଭୂଇଁ ପାଲଟିଛି ଗଞ୍ଜାମର ଗୋଟିଏ ପାହାଡ଼ିଆ ଗାଁ। ଇଏ ସେଇ ପାହାଡ଼ କୋଳରେ ଥିବା ଗାଁ ଗିଡିପାବାଲି, ଯିଏ ଆଜି ଗୁମୁରି ଗୁମୁରି କାନ୍ଦୁଛି।

ଅକ୍ଟୋବର ୨୮ ତାରିଖ। ଧୀରେ ଧୀରେ ସନ୍ଧ୍ୟା ନଇଁ ଆସୁଥାଏ। ଆକାଶରେ ଘୋଟି ଆସୁଥାଏ କଳାହାଣ୍ଡିଆ ମେଘ। ହଠାତ୍ ପବନର ବେଗ ବଢ଼ିବା ସହ ଆରମ୍ଭ ହୋଇଯାଇଥିଲା ବର୍ଷା। ଚାରିଆଡ଼େ ଅନ୍ଧାର, ଆକାଶରେ ମେଘର ଗର୍ଜନ ଆଉ ପବନର ଶବ୍ଦ। ଗିଡିପାବାଲିର ଗାଁ ଲୋକେ ଭାବିଥିଲେ, ହୁଏତ ଏହା ଏକ ସାଧାରଣ ବର୍ଷା। କିନ୍ତୁ କିଏ ଜାଣିଥିଲା, ବାତ୍ୟା ଅର୍ଣ୍ଣବ ଆଣିଦେବ ମହାବିପତ୍ତି! ରାତି ବଢ଼ିବା ସହ ବଢ଼ିଥିଲା ବର୍ଷାର ତୀବ୍ରତା। ପାହାଡ଼ରୁ ମାଡ଼ି ଆସିଥିଲା ମାଟି, ପଥର ଆଉ ପାଣିର ପ୍ରଳୟ। ଆଖି ପିଛୁଳାକେ ମାଟି ତଳେ ମିଶିଗଲା ଗାଁର ଅସ୍ତିତ୍ୱ। ଯାହାର ବାସ୍ତବ ଚିତ୍ର ଗ୍ରାଉଣ୍ଡରୁ ପରଖିଛି ନ୍ୟୁଜ୍ ସେଭେନ୍ ।

ସକାଳ ହେଲା, କିନ୍ତୁ ସବୁକୁଛି ହରାଇସାରିଥିଲା ଗିଡିପାବାଲି।ଥିଲା କେବଳ ଧ୍ୱଂସସ୍ତୂପ, ଛିନ୍ନଭିନ୍ନ ସ୍ମୃତି। ଆଉ ନିଜ ଲୋକଙ୍କୁ ହରାଇବାର ଅସହ୍ୟ ଯନ୍ତ୍ରଣା। ନା ଥିଲା ଘର, ନା ଥିଲା ଅଗଣା, ସବୁକିଛିକୁ ଗୋଟିଏ ରାତିରେ ଗିଳିଦେଇଥିଲା ପ୍ରକୃତିର କରାଳ ରୂପ। ଗିଡିପାବାଲିର ଏହି ଦୁଃଖଦ କାହାଣୀ କେବଳ ଏକ ଗାଁର ବିପର୍ଯ୍ୟୟ ନୁହେଁ, ବରଂ ପ୍ରକୃତିର ରୁଦ୍ରରୂପ ଆଗରେ ମଣିଷ କେତେ ଅସହାୟ, ତାହାର ଏକ ହୃଦୟବିଦାରକ ଚିତ୍ର।

ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲ୍ଲାରେ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିଲା। ଭୂସ୍ଖଳନ ଆଶଙ୍କା ଥିବାରୁ ଗାଁର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଥିଲା। ପ୍ରଶାସନର ନିର୍ଦ୍ଦେଶ ମାନି କିଛି ଲୋକ ଆଶ୍ରୟସ୍ଥଳୀକୁ ଯାଇଥିଲେ। ହେଲେ ରହିଯାଇଥିଲେ ଆଉ କିଛି। ଭିଟାମାଟି ଛାଡି ଯିବାକୁ ରାଜି ହୋଇନଥିଲେ । ଭାବିଥିଲେ ଏ ସାଧାରଣ ବର୍ଷା। କିନ୍ତୁ ରାତିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା। ବାହାରିବାକୁ ଆଉ ସମୟ ନଥିଲା। ଭୟଙ୍କର କାଦୁଅ ଚାପି ଦେଇଥିଲା। ଆଉ ସବୁଠୁ ଦୁଃଖର କଥା ଥିଲା- ମୋବାଇଲ ଛାଡ଼ି ଆସିଥିବା ଝିଅଟି ମୋବାଇଲ ଆଣିବାକୁ ଯାଇଥିଲା। ଝିଅର ଫେରିବା ବାଟକୁ ଆଶ୍ରୟସ୍ଥଳୀରେ ଅପେକ୍ଷା କରିଥିଲେ ଘର ଲୋକ। ହେଲେ ଆଉ ଫେରିନଥିଲା ଝିଅ। ପ୍ରଳୟର କୋପରେ ସେ ହଜିଯାଇଥିଲା। ଏବେ ବି ମାଟିତଳୁ ଚାଲିଛି ତା ର ଜୀବନଖୋଜା।

Also Read :-ମହାଦେବ ବେଟିଂ ନେଟୱର୍କର କିଙ୍ଗପିନ ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ଭାରତ ଆଣିଲା ସିବିଆଇ

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସର୍ଚ୍ଚ ଅପରେସନ। ୩ ଦିନ ହେବ ଉଦ୍ଧାର ଚାଲିଛି | ୪ ଏସଓଜି ଟିମରେ 80 ଯବାନ ନିୟୋଜିତ ଅଛନ୍ତି। ୧୨ ଓଡ୍ରାଫ, ୪୫ ଏନଡିଆରଏଫ, ୪୦ ଫାୟାର ଟିମ ସର୍ଚ୍ଚ ଅପରେସନରେ ଅଛନ୍ତି। ପ୍ରତିଟି ମାଟି ଚଟାଣ ହଟାଇବା ବେଳେ ଉଦ୍ଧାରକାରୀଙ୍କ ମନରେ ଗୋଟିଏ ଆଶା, ହୁଏତ କେହି ବଞ୍ଚିଥିବେ। ହୁଏତ କାହାର ନିଶ୍ୱାସ ଏବେ ବି ମାଟି ତଳେ ଚାଲିଥିବ। ଅନ୍ୟପଟେ ନିଜ ଲୋକଙ୍କୁ ହରାଇଥିବା ପରିବାରର ଆଖିରୁ ଶୁଖୁନି ଲୁହ।

ଏତେ ବଡ଼ ବିପର୍ଯ୍ୟୟ ପରେ ମନରେ ଉଠୁଛି ଅନେକ ପ୍ରଶ୍ନ। ଏଠି ଦୋଷ କାହାର—ପ୍ରକୃତିର ନା ମଣିଷର? ପ୍ରକୃତିର କୋପକୁ ରୋକିବା ହୁଏତ ମଣିଷ ହାତରେ ନାହିଁ, କିନ୍ତୁ ବିପଦର ସଙ୍କେତ ମିଳିବା ପରେ ସତର୍କତା ଅନେକ ଜୀବନ ବଞ୍ଚାଇପାରିଥାନ୍ତା କି? ଯଦି ସମୟ ପୂର୍ବରୁ ସମସ୍ତେ ସୁରକ୍ଷିତ ସ୍ଥାନକୁ ଯାଇଥାନ୍ତେ, ତେବେ ହୁଏତ ଏତେ ପରିବାରର କୋଳ ଖାଲି ହୋଇନଥାନ୍ତା।ଏହି ବିପର୍ଯ୍ୟୟରୁ ଆମ ପାଇଁ ଶିକ୍ଷା। ଭବିଷ୍ୟତରେ ଆଉ କୌଣସି ଗାଁ ଯେପରି ଗିଡିପାବାଲି ନପାଲଟେ ।