ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ଵକପକୁ ଆଉ ଗୋଟିଏ ବର୍ଷରୁ କମ ସମୟ ବାକି ରହିଛି। ଏବେଠୁ ଦଳ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହା ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, କେଉଁ ୪ଟି ଦଳ ସେମି ଫାଇନାଲରେ ପ୍ରବେଶ କରିବେ। ଏହାକୁ ନେଇ କ୍ରିକେଟ୍ ଜଗତର କ୍ରିକେଟ୍ ବିଶେଷଜ୍ଞ, ସମୀକ୍ଷକ ଏବଂ ପୂର୍ବତନ ଖେଳାଳି ନିଜ ନିଜର ମତ ରଖୁଛନ୍ତି। ଏହି କ୍ରମରେ ଏବେ ସାମିଲ୍ ହୋଇ ଯାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ଅଲରାଉଣ୍ଡର ସନ ପୋଲକଙ୍କ ନାଁ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ICC) ସହ ଆଲୋଚନା ବେଳେ କେଉଁ ୪ଟି ଦଳ ସେମିକୁ ଯିବେ ସେ ବିଷୟରେ କହିଛନ୍ତି ପୋଲକ।

ଏହି ୪ ଦଳ ଖେଳିବେ ସେମି ଫାଇନାଲ୍

୫୩ ବର୍ଷ ବୟସ୍କ ସନ ପୋଲକଙ୍କୁ ଆଗାମୀ ବିଶ୍ଵକପର ସେମି ଫାଇନାଲିଷ୍ଟଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଏହି ୪ଟି ଦଳ ସେମି ଫାଇନାଲ୍ ଖେଳିବେ। ଏହି ଚାରି ଦଳର ନାଁ ନେବା ସମୟରେ ପୋଲକ ନ୍ୟୁଜିଲାଣ୍ଡର ସମ୍ଭାବନାକୁ ଏଡ଼ାଇ ନ ଥିଲେ। କାରଣ ନ୍ୟୁଜିଲାଣ୍ଡ ଟିମ୍ ସର୍ବଦା ବିଶ୍ଵକପ୍ ପରି ମଞ୍ଚରେ ଦମଦାର ପ୍ରଦର୍ଶନ କରି ଆସିଛି। କିଓ୍ଵି ଦଳ ୨୦୧୫ ଏବଂ ୨୦୧୯ ବିଶ୍ଵକପର ଫାଇନାଲରେ ପହଞ୍ଚିଥିଲା। ୨୦୨୩ ସଂସ୍କରଣରେ ଦଳ ସେମି ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଗତ ସଂସ୍କରଣର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହୋଇଥିଲା। କଙ୍ଗାରୁ ଦଳ ଆୟୋଜକ ଭାରତକୁ ୬ ଓ୍ଵିକେଟରେ ହରାଇ ଟାଇଟଲ୍ ଜିତିଥିଲା। ଭାରତ ଅଦ୍ୟାବଧି ୧୯୮୩ ଏବଂ ୨୦୧୧ରେ ଦୁଇଟି ବିଶ୍ଵକପ୍ ଟ୍ରଫି ଜିତିଛି।

Also Read: ୨୦୨୭ ବିଶ୍ୱକପ୍ ପାଇଁ ବିସିସିଆଇ ରଖିଲା ସର୍ତ୍ତ ! ମାନିଲେ ରୋହିତ-ବିରାଟଙ୍କୁ ମିଳିବ ଚାନ୍ସ

କେବେ ରହିଛି ଭାରତର ମୁକାବିଲା ?

ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ଵେ ଓ ନାମିବ୍ୟାର ମିଳିତ ଆନୁକୂଲ୍ୟରେ ଖେଳାଯିବ ଆଗାମୀ ଦିନିକିଆ ବିଶ୍ଵକପ୍। ଉଦଘାଟନୀ ମ୍ୟାଚ୍ ୨୦୨୭ ଅକ୍ଟୋବର ୨ ତାରିଖ ଖେଳାଯିବ। ଭାରତକୁ ଗ୍ରୁପ ଏରେ ଅଷ୍ଟ୍ରେଲିଆ, ପାକିସ୍ତାନ, ଜିମ୍ବାଓ୍ଵେ, ଆଫଗାନିସ୍ତାନ ଏବଂ କ୍ଵାଲିଫାଏ ହେବାକୁ ଥିବା ଦଳ ରଖାଯାଇଛି। ଭାରତ ଅକ୍ଟୋବର ୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ହାଇଭୋଲଟେଜ୍ ମ୍ୟାଚ୍ କେପଟାନର ନ୍ୟୁଲାଣ୍ଡସ ଷ୍ଟାଡିୟମରେ ଖେଳାଯିବ। ୧୦ରେ ଚିରପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ ମେନ ଇନ ବ୍ଲୁ। ବହୁପ୍ରତୀକ୍ଷିତ ଏହି ମ୍ୟାଚ୍ ଜୋହାନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ।