ନୂଆଦିଲ୍ଲୀ-; ସିଙ୍ଗାପୁରରୁ ପଟନା ଫେରିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ଗୁରୁବାର ପଟନା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ନିଜେ ରିସିଭ୍ କରିଥିଲେ ଲାଲୁ ପ୍ରସାଦ ଯାଦବ। ତାଙ୍କ ସହ ମା’ ରାବଡ଼ି ଦେବୀ ଓ ବଡ଼ ଭଉଣୀ ମିସା ଭାରତୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରାୟ ୧୦ ମାସ ପରେ ରୋହିଣୀ ନିଜ ବାପା-ମା’ଙ୍କ ପାଖକୁ ଫେରିଛନ୍ତି। ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ ଲାଲୁ ପରିବାରରେ ମତଭେଦ ଖବର ସାମ୍ନାକୁ ଆସିଥିଲା। ଏହା ପରେ ରୋହିଣୀ ପଟନା ଛାଡ଼ି ସିଙ୍ଗାପୁର ଚାଲିଯାଇଥିଲେ।

ବିମାନବନ୍ଦରରୁ ବାହାରିବା ପରେ ରୋହିଣୀ ଗାଡ଼ିରେ ବସିଥିବା ବାପା ଲାଲୁ ଯାଦବଙ୍କ ପାଖକୁ ଯାଇଥିଲେ। ସେ ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ତାଙ୍କୁ କୁଣ୍ଢାଇଥିଲେ। ପରେ ମା’ ରାବଡ଼ି ଦେବୀଙ୍କୁ ମଧ୍ୟ କୁଣ୍ଢାଇଥିଲେ। ଏହା ପରେ ପରିବାର ସଦସ୍ୟମାନେ ଏକାଠି ଗାଡ଼ିରେ ଘରକୁ ଯାଇଥିଲେ।

ପଟନା ବିମାନବନ୍ଦରରେ ଗଣମାଧ୍ୟମକୁ ରୋହିଣୀ କହିଛନ୍ତି ଯେ, ସେ ବାପା ଲାଲୁ ଯାଦବଙ୍କ ଡାକରେ ପଟନା ଆସିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଯାତ୍ରା ଏବଂ ଏହାକୁ ରାଜନୀତି ସହ ଯୋଡ଼ା ନଯାଉ ବୋଲି ସେ କହିଛନ୍ତି। ସେ କେବଳ ନିଜ ବାପା-ମା’ଙ୍କୁ ଦେଖା କରିବାକୁ ଆସିଥିବା କହିଛନ୍ତି।

ଏହା ପୂର୍ବରୁ ସେ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ଯେ, ତାଙ୍କ ପାଇଁ ବାପାଙ୍କ ଖୁସି ଓ ଆଶୀର୍ବାଦଠାରୁ ବଡ଼ କିଛି ନାହିଁ। ବାପାଙ୍କ ଡାକ ତାଙ୍କ ପାଇଁ ସବୁଠାରୁ ବଡ଼ ଆଦେଶ ବୋଲି ସେ କହିଥିଲେ।

୨୦୨୫ ନିର୍ବାଚନ ପରେ ରୋହିଣୀ ଓ ଲାଲୁ ପରିବାର ମଧ୍ୟରେ ମତଭେଦର ଖବର ଚର୍ଚ୍ଚାକୁ ଆସିଥିଲା। ସେତେବେଳେ ରୋହିଣୀ ତାଙ୍କ ଭାଇ ତେଜସ୍ୱୀ ଯାଦବ ଏବଂ ତାଙ୍କ ସହଯୋଗୀ ସଞ୍ଜୟ ଯାଦବ ଓ ରମିଜଙ୍କ ବିରୋଧରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ। ପରେ ସେ ରାଜନୀତି ଛାଡ଼ିବା ଓ ପରିବାରଠାରୁ ଦୂରେଇ ରହିବା ନେଇ ମଧ୍ୟ ଘୋଷଣା କରିଥିଲେ। ଏହି ଅଭିଯୋଗଗୁଡ଼ିକ ରୋହିଣୀଙ୍କ ନିଜସ୍ୱ ବୟାନ ଥିଲା। ଏହା ପରେ ସେ ଦୀର୍ଘ ସମୟ ଧରି ସିଙ୍ଗାପୁରରେ ରହୁଥିଲେ। ଏବେ ପୁଣି ପଟନା ଫେରି ବାପା-ମା’ଙ୍କୁ ଭେଟିବା ପରେ ଲାଲୁ ପରିବାରରେ ପୂର୍ବରୁ ଥିବା ମତଭେଦକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହି ଫେରିବାକୁ କୌଣସି ରାଜନୈତିକ ପଦକ୍ଷେପ ଭାବେ ରୋହିଣୀ ନିଜେ କହିନାହାନ୍ତି।

୨୦୨୨ରେ ଲାଲୁ ପ୍ରସାଦ ଯାଦବଙ୍କ ସିଙ୍ଗାପୁରରେ କିଡ୍ନି ପ୍ରତିରୋପଣ ହୋଇଥିଲା। ସେତେବେଳେ ରୋହିଣୀ ନିଜ ବାପାଙ୍କୁ କିଡ୍ନି ଦାନ କରିଥିଲେ। ଏହି ଘଟଣା ପରେ ସେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ। ଏବେ ଦୀର୍ଘ ବ୍ୟବଧାନ ପରେ ରୋହିଣୀଙ୍କ ପଟନା ଫେରିବା ଏବଂ ବିମାନବନ୍ଦରରେ ବାପା-ମା’ଙ୍କ ସହ ତାଙ୍କ ଭାବପୂର୍ଣ୍ଣ ସାକ୍ଷାତ ଲାଲୁ ପରିବାରକୁ ପୁଣି ଚର୍ଚ୍ଚାକୁ ଆଣିଛି।