ଜଟଣୀ: ଗତ ଶନିବାର ଜଟଣୀ ଗଣେଶ ପୂଜା ଭସାଣି ଶୋଭାଯାତ୍ରା ବେଳେ ଘଟିଥିଲା ବଡ଼ ଅଘଟଣ । ଡିଜେର ଅତ୍ୟଧିକ ଶବ୍ଦ ଏବଂ ଭାଇବ୍ରେଟର ଯୋଗୁ ଶୋଭାଯାତ୍ରା ଯାଉଥିବା ବେଳେ ଏକ ବ୍ୟାଙ୍କ୍‌ର ଛାତରୁ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ଏଥିରେ ଚାପି ହୋଇ ଜଣେ ଯୁବକଙ୍କ ଜୀବନ ଯିବା ସହ ୭ ଜଣ ଆହତ ହେଇଥିଲେ । ତେବେ ଏହି ଘଟଣାରେ ଗୁରୁବାର ଜଟଣୀ ଥାନା ପୋଲିସ ଦୁଇ ଜଣ DJ ମାଲିକଙ୍କୁ ଗିରଫ କରିଛି ।

ତଦନ୍ତରୁ ଜଣାପଡ଼ିଛି ଯେ, ଶନିବାର ରାତିରେ ଜଟଣୀ ମୁଖ୍ୟ ରାସ୍ତାରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ କୋଠା ନିକଟରେ ଦୁଇଟି DJ ଗାଡ଼ି ଅତ୍ୟଧିକ ଶବ୍ଦରେ ଗୀତ ପରିବେଷଣ କରୁଥିଲେ । ଆଉ ଏହି ସାଉଣ୍ଡର ପ୍ରଚଣ୍ଡ କମ୍ପନ ଯୋଗୁ ବ୍ୟାଙ୍କ କୋଠାର ସମ୍ମୁଖ ଭାଗର ଏକ ଅଂଶ ଖସିପଡ଼ିଥିଲା ଓ ସେଠାରେ ଠିଆ ହୋଇଥିବା ଦେଖଣାହାରୀ ଉପରେ ପଡ଼ିଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ ଓ ଗୁରୁତର ଆହତ ହୋଇଥିବା ଜଣେ ୨୪ ବର୍ଷୀୟ ଯୁବକ ବିଶ୍ୱଜିତ୍ ବାରିକଙ୍କୁ ପ୍ରଥମେ ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବାପା ସୁଶାନ୍ତ ବାରିକଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଥିଲା।

ପୋଲିସର ପ୍ରାରମ୍ଭିକ ବୈଠକରେ DJ ଏବଂ ବ୍ୟାଣ୍ଡ ପାର୍ଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲେ ସୁଦ୍ଧା, ପୋଲିସର ବାରଣକୁ ବେଖାତିର କରି ଡିଜେ ମାଲିକମାନେ ପୂଜା କମିଟି ସଦସ୍ୟଙ୍କ ସହ ମିଶି ବିନା ଅନୁମତିରେ ଅତ୍ୟଧିକ ସାଉଣ୍ଡରେ DJ ବଜାଇଥିଲେ, ଯାହା ଏହି ଅଘଟଣର ମୁଖ୍ୟ କାରଣ ବୋଲି ପୋଲିସ ଜାଣିବାକୁ ପାଇଥିଲା । ମୁଖ୍ୟ ରାସ୍ତାରେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୋଲିସ ଢେଙ୍କାନାଳ ଏବଂ ବାଲେଶ୍ୱରରୁ ସମ୍ପୃକ୍ତ ଥିବା ଦୁଇଟି DJ ଗାଡ଼ିକୁ ଠାବ କରିବା ସହ ଉଭୟ ଗାଡ଼ିର ମାଲିକମାନଙ୍କୁ କାବୁ କରିଥିଲା । ଉକ୍ତ ପୂଜା କମିଟି ସଦସ୍ୟମାନଙ୍କ ସମ୍ପୃକ୍ତି ମଧ୍ୟ ସ୍ପଷ୍ଟ ହୋଇଛି।

Also Read: ପୋଲିସ ଟିମ୍ ଉପରେ ସଶସ୍ତ୍ର ଆକ୍ରମଣ, ହେପାଜତରୁ ଡ୍ରଗ୍ସ ମାଫିଆ ଫେରାର

ଆଉ ପ୍ରମାଣ ଏବଂ ପଚରାଉଚରା ବେଳେ ଦୋଷ ସ୍ୱୀକାର ଆଧାରରେ ଉକ୍ତ ଦୁଇ DJ ମାଲିକ ଅରୁଣ କୁମାର ପ୍ରଧାନ ଓରଫ ପିଣ୍ଟୁ ଢେଙ୍କାନାଳ ଓ ସିମୁଳିଆ ବାଲେଶ୍ୱରର ପ୍ରିୟବ୍ରତ ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରରେଟ ପୋଲିସ । ମାମଲାରେ ଜଟଣୀ ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହ, ଅନ୍ୟ କେଉଁ ପୂଜା କମିଟିମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ମାରାତ୍ମକ DJ ଆଣି ଭସାଣିରେ ସାମିଲ କରିଥିଲେ ? ସେହି ପୂଜା କମିଟି ସହ DJ ମାଲିକଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଜଣାପଡ଼ିଛି ।