ଭୁବନେଶ୍ୱର: ସୁନ୍ଦରପଦା ନିୟୁ ଆଜାଦନଗରରେ ଘଟିଥିବା ବୋମା ବିସ୍ଫୋରଣ ମାମଲାରେ ଗୁରୁବାର ଭୁବନେଶ୍ୱର ସ୍ପେଶାଲ ଏନଆଇଏ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ଅଭିଯୁକ୍ତ ସାନୁ ଓରଫ ରୋହନ ରଞ୍ଜନ ରାଉତ ଏବଂ ଅମିୟ ରଞ୍ଜନ ମଲ୍ଲିକଙ୍କ ବିରୋଧରେ BNS, ES Act ଏବଂ Explosives Actର ବିଭିନ୍ନ ଧାରା ଲାଗିଛି।

ସୂଚନାଥାଉକି, ଗତ ଜାନୁଆରୀ ୨୭ ତାରିଖ ଅପରାହ୍ନରେ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣାରେ ୪ ଜଣ ଆହତ ହୋଇଥିଲେ । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣାର ତଦନ୍ତ ଭାର ନେଇ ଏନଆଇଏ ଏପ୍ରିଲ ୪ ତାରିଖରେ RC-01/2026/NIA/BBSR ଭାବେ ମାମଲା ରୁଜୁ କରିଥିଲା। ତଦନ୍ତରେ ଅଭିଯୁକ୍ତମାନେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରିବା ଏବଂ ବୋମା ତିଆରି କରିବା ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ ପ୍ରମାଣ ମିଳିଥିବା ଏନଆଇଏ କହିଛି। ତେବେ ମାମଲାରେ ଆହୁରି ତଦନ୍ତ ଜାରି ରହିଛି ।