ଶାସ୍ତ୍ରୀ ଜୟନ୍ତୀ: ଜଣେ ଏପରି ଦେଶପ୍ରେମୀ ଯିଏ ପାଠପଢ଼ା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଜଣେ ସ୍ୱାମୀ ଯିଏ ବାହାଘରରେ କେବଳ ଗୋଟିଏ ଅରଟ ଓ ହାତକଟା ଲୁଗା ବ୍ୟତୀତ ଆଉ କିଛି ଗ୍ରହଣ କରିନଥିଲେ । ଏପରି ଜଣେ ରେଳମନ୍ତ୍ରୀ ଯିଏ ନିଜେ ଦୁର୍ଘଟଣାର ଦାୟିତ୍ୱ ନେଇ ଇସ୍ତଫା ଦେଇଥିଲେ । ଦୁର୍ଭିକ୍ଷ ସମୟରେ ନିଜେ ମଧ୍ୟ ଉପବାସ ରହିଥିଲେ । ସବୁଜ ବିପ୍ଳବ ପାଇଁ 'ଜୟ ଯବାନ୍, ଜୟ କିସାନ୍'ର ନାରା ଦେଇଥିଲେ । ପ୍ରଧାନମନ୍ତ୍ରୀ ଥିଲେ, କିନ୍ତୁ ୫୦୦୦ ଟଙ୍କାର ଋଣ ସ୍ତ୍ରୀ ନିଜ ପେନସନ୍ ଟଙ୍କାରୁ ଶୁଝିଥିଲେ । ଅକ୍ଟୋବର ୨ରେ ମହାନ ଜନନାୟକ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ।

୨୦୨୬ ମସିହାରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ । ତାଙ୍କର ଜନ୍ମ ୨ ଅକ୍ଟୋବର ୧୯୦୪ରେ ଉତ୍ତର ପ୍ରଦେଶର ବାରାଣସୀଠାରୁ ୭ ମାଇଲ୍ ଦୂରରେ ଅବସ୍ଥିତ ମୋଗଲସରାଇ ନାମକ ଏକ ଛୋଟ ସହରରେ ହୋଇଥିଲା । ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଧରି ଦେଶସେବା ପାଇଁ ସମର୍ପିତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନ ଥିଲା ଅସାଧାରଣ ।

ପିଲାଦିନରୁ ବାପାଙ୍କୁ ହରାଇଥିଲେ

ଲାଲ ବାହାଦୁର ପରିବାରରେ ସବୁଠାରୁ ସାନ ଥିଲେ, ତେଣୁ ତାଙ୍କୁ ସ୍ନେହରେ 'ନହ୍ନେ' ବୋଲି ଡକାଯାଉଥିଲା । ତାଙ୍କ ପିତା ଜଣେ ଶିକ୍ଷକ ଥିଲେ । ଲାଲ ବାହାଦୁରଙ୍କୁ ମାତ୍ର ଦେଢ଼ ବର୍ଷ ହୋଇଥିବା ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କ ମା'ଙ୍କ ବୟସ ୨୦ ବର୍ଷ ଥିଲା । ସ୍ୱାମୀଙ୍କୁ ହରାଇବା ପରେ ସେ ନିଜର ତିନୋଟି ଯାକ ସନ୍ତାନଙ୍କୁ ନେଇ ନିଜ ବାପାଘରକୁ ଚାଲିଗଲେ ଏବଂ ସେଠାରେ ରହିଲେ ।

ଲାଲ ବାହାଦୁରଙ୍କ ପିଲାଦିନ ଗରିବି ଓ ସଂଘର୍ଷ ମଧ୍ୟରେ କଟିଥିଲା । ହାଇସ୍କୁଲ ପାଠପଢ଼ା ପାଇଁ ତାଙ୍କୁ ଦାଦାଙ୍କ ସହ ବାରାଣସୀରେ ରହିବାକୁ ପଡ଼ିଥିଲା । ସେ ଖରାଦିନେ ଉତ୍ତପ୍ତ ରାସ୍ତାରେ| ଖାଲି ପାଦରେ ବହୁ କିଲୋମିଟର ଦୂର ଚାଲି ଚାଲି ସ୍କୁଲ ଯାଉଥିଲେ ।

ପାଠପଢ଼ା ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗ

ମାତ୍ର ୧୧ ବର୍ଷ ବୟସରେ ଲାଲ ବାହାଦୁର ଶାସ୍ତ୍ରୀ ଦେଶକୁ ଇଂରେଜଙ୍କ ଠାରୁ ସ୍ୱାଧୀନ କରିବା ବିଷୟରେ ଚିନ୍ତିତ ଥିଲେ । ୧୬ ବର୍ଷ ବୟସରେ ସେ ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦେବା ପାଇଁ ପାଠପଢ଼ା ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ହୁଏତ କମ ଲୋକ ଜାଣିଥିବେ ଯେ 'ଶାସ୍ତ୍ରୀ' ତାଙ୍କର ସାଙ୍ଗିଆ ନୁହେଁ, ବରଂ ଏକ ସମ୍ମାନ । ଲାଲ ବାହାଦୁର ୧୯୨୬ ମସିହାରେ ବାରାଣସୀର କାଶୀ ବିଦ୍ୟାପୀଠରୁ ଦର୍ଶନଶାସ୍ତ୍ର ଓ ନୈତିକତାରେ ପ୍ରଥମ ଶ୍ରେଣୀ ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ବିଦ୍ୟାପୀଠ ଦ୍ୱାରା ତାଙ୍କୁ ଦିଆଯାଇଥିବା ସ୍ନାତକ ଉପାଧି ଥିଲା 'ଶାସ୍ତ୍ରୀ' । ଯାହା ପରବର୍ତ୍ତୀ ସମୟରେ ତାଙ୍କ ନାମର ଅଂଶ ହୋଇ ରହିଗଲା ।

ଯୌତୁକରେ କେବଳ ଗୋଟିଏ ଅରଟ ଓ ହାତକଟା ଲୁଗା 

୧୯୨୭ ମସିହାରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ବିବାହ ମିର୍ଜାପୁରର ଲଲିତା ଦେବୀଙ୍କ ସହ ହୋଇଥିଲା । ବିବାହ ସବୁ ଦୃଷ୍ଟିରୁ ପାରମ୍ପରିକ ଥିଲା । ଯୌତୁକ ଆକାରରେ କେବଳ ଗୋଟିଏ ଅରଟ ଏବଂ କିଛି ଗଜ ହାତକଟା ଲୁଗା ନିଆଯାଇଥିଲା । ଏହାଠାରୁ ଅଧିକ ସେ କିଛି ବି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ।

୧୯୩୦ ମସିହାରେ ଯେତେବେଳେ ମହାତ୍ମା ଗାନ୍ଧୀ ଦାଣ୍ଡି ସମୁଦ୍ରକୂଳରେ ପହଞ୍ଚି ଲବଣ ଆଇନ ଭାଙ୍ଗିଥିଲେ, ସେତେବେଳେ ଶାସ୍ତ୍ରୀ ଜୀ ନିଜକୁ ଦେଶର ସ୍ୱାଧୀନତା ସଂଗ୍ରାମରେ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଦେଇଥିଲେ । ସେ ବହୁ ବିରୋଧୀ ଅଭିଯାନରେ ଭାଗ ନେଇଥିଲେ ଏବଂ ବ୍ରିଟିଶ ଜେଲ୍ଗୁଡ଼ିକରେ ୭ ବର୍ଷ ବିତାଇଥିଲେ ।

ଦେଶର ପ୍ରଧାନମନ୍ତ୍ରୀ

ସ୍ୱାଧୀନତା ପରେ କଂଗ୍ରେସ ସରକାର ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ତାଙ୍କ ଗୃହ ରାଜ୍ୟ ଉତ୍ତର ପ୍ରଦେଶରେ ସଂସଦୀୟ ସଚିବ ଭାବେ ନିଯୁକ୍ତ କରିଥିଲେ । ୧୯୫୧ରେ କେନ୍ଦ୍ରୀୟ ରାଜନୀତିରେ ପାଦ ଥାପି ସେ ରେଳ, ପରିବହନ ଓ ସଞ୍ଚାର, ବାଣିଜ୍ୟ ଓ ଉଦ୍ୟୋଗ ଏବଂ ଗୃହ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ । ୨୭ ମେ ୧୯୬୪ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦେହାନ୍ତ ପରେ, ୯ ଜୁନ୍ ୧୯୬୪ରେ ଲାଲ ବାହାଦୁର ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

'ଜୟ ଯବାନ୍-ଜୟ କିସାନ୍'ର ନାରା

୧୯୬୫ ମସିହାରେ ପାକିସ୍ତାନ ସହ ଯୁଦ୍ଧ ପରେ ଦେଶରେ ଭୟଙ୍କର ମରୁଡ଼ି ପଡ଼ିଥିଲା। ଏହି ପରିସ୍ଥିତିରୁ ବର୍ତ୍ତିବା ପାଇଁ ଶାସ୍ତ୍ରୀ ଜୀ ଦେଶବାସୀଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବାକୁ ଅନୁରୋଧ କରିଥିଲେ ।

ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କ ପରିବାର ତାଙ୍କୁ ଗୋଟିଏ କାର୍ କିଣିବାକୁ କହିଥିଲେ । ସେ ଯେଉଁ ଫିଆଟ୍ କାର୍ କିଣିଥିଲେ ତାହାର ଦାମ୍ ୧୨,୦୦୦ ଟଙ୍କା ଥିଲା । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେବଳ ୭,୦୦୦ ଟଙ୍କା ଥିଲା, ସେଥିପାଇଁ ସେ ବ୍ୟାଙ୍କରୁ ୫,୦୦୦ ଟଙ୍କାର ଋଣ ନେଇଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ନିଜ ପେନସନ୍ ଟଙ୍କାରୁ ସେହି ଋଣ ପରିଶୋଧ କରିଥିଲେ ।