ନୂଆଦିଲ୍ଲୀ ୨୦।୧୦ : ମହାରାଷ୍ଟ୍ରରୁ ଉଦ୍ଧାର ହୋଇଥିବା ଏକ ସୁମାତ୍ରାନ ଓରାଙ୍ଗୁଟାନ ଶିଶୁକୁ ସଫଳତାର ସହ ଇଣ୍ଡୋନେସିଆକୁ ଫେରାଯାଇଛି। ଭାରତ ଓ ଇଣ୍ଡୋନେସିଆର ମିଳିତ ଉଦ୍ୟମରେ ନିୟମାବଳୀ ଅନୁଯାୟୀ, ସୋମବାର ଏହା ଇଣ୍ଡୋନେସିଆର ମେଡାନସ୍ଥିତ କୁଆଲାନାମୁ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ଜଙ୍ଗଲ ମନ୍ତ୍ରାଳୟ ଅଧିକାରୀମାନେ ଏହାକୁ ସ୍ୱାଗତ କରିଥିଲେ। ଭାରତ ସରକାର ଏହି ପ୍ରାଣୀଟିର ପାଳନ ଓ ଯତ୍ନ ପାଇଁ ହୋଇଥିବା ସମସ୍ତ ପୂର୍ବଖର୍ଚ୍ଚକୁ ମଧ୍ୟ କ୍ଷମା କରିଛନ୍ତି।

୨୦୨୪ରେ ମହାରାଷ୍ଟ୍ର ଡୋମ୍ବିଭଲିର ପାଲାଭା ସିଟି ହାଉସିଂ କମ୍ପ୍ଲେକ୍ସର ଏକ ବାଥରୁମରେ ରଖାଯାଇଥିବା ଏକ ବନ୍ଦ ପିଞ୍ଜରା ଭିତରୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ଥାନେ ବନ ବିଭାଗ ଚଢାଉ କରି ଏହାକୁ ଉଦ୍ଧାର କରିଥିଲା। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏକ ଉଚ୍ଚ-କ୍ଷମତାସମ୍ପନ୍ନ କମିଟିର ନିର୍ଦ୍ଦେଶ ଅନୁଯାୟୀ, ଏହି ଓରାଙ୍ଗଉଟାନକୁ ୨୦୨୫ରୁ ବନତାରାରେ ରଖାଯାଇଥିଲା। ଭାରତରେ ଉଦ୍ଧାର ହୋଇଥିବା ଏକ ବନ୍ୟପ୍ରାଣୀକୁ ତା'ର ନିଜ ବାସସ୍ଥାନକୁ ଫେରାଇ ଦିଆଯିବା ଏହା ପ୍ରଥମ ଘଟଣା ।

Also Read:-କାହିଁକି ପାଳନ ହୁଏ ବିଜୟା ଦଶମୀ ? ଜାଣନ୍ତୁ ଦଶହରା ପଛରେ ଥିବା ପୌରାଣିକ କଥା ଓ ଧାର୍ମିକ ମହତ୍ତ୍ୱ

ସେହିପରି ଓଡ଼ିଶାର ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଶ୍ରୟ ନେଇଥିବା ପାଞ୍ଚଟି ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ପ୍ରଜାତି ଏବଂ ମୂଳ ସ୍ଥାନର ନିଶ୍ଚିତକରଣ ପରେ ସେମାନଙ୍କୁ ମୂଳଦେଶକୁ ଫେରାଇବାର ଯୋଜନା ରହିଛି। ଏହି ପ୍ରକ୍ରିୟାରେ ସହାୟତା ପାଇଁ ଇଣ୍ଡୋନେସିଆ ଜଙ୍ଗଲ ମନ୍ତ୍ରାଳୟର ବନ୍ୟଜନ୍ତୁ ବିଶେଷଜ୍ଞମାନେ ଆସନ୍ତା ନଭେମ୍ବର ମାସରେ ଭାରତ ଗସ୍ତ କରିବାର ରହିଛି। ଏହି ବିଶେଷଜ୍ଞ ଦଳର ଯାଞ୍ଚ ଏବଂ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ସରିବା ପରେ ଓଡ଼ିଶାରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନମାନଙ୍କୁ ଇଣ୍ଡୋନେସିଆକୁ ଫେରାଇ ଅଣାଯିବ ବୋଲି ଆଶା କରାଯାଉଛି।