ନୂଆଦିଲ୍ଲୀ: ଋଷଭ ପନ୍ତ ନିଜର ପୁରୁଣା ଆଇପିଏଲ୍ ଦଳ 'ଦିଲ୍ଲୀ କ୍ୟାପିଟାଲ୍ସ' (DC)କୁ ଫେରିଛନ୍ତି। ଆଇପିଏଲ୍ ୨୦୨୬ ସଂସ୍କରଣରେ ନିରାଶାଜନକ ପ୍ରଦର୍ଶନ ପରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG)ର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଏକ ବଡ଼ ଟ୍ରେଡ୍ ଡିଲ୍ ମାଧ୍ୟମରେ ସେ ପୁଣିଥରେ ଦିଲ୍ଲୀ ଦଳରେ ସାମିଲ ହୋଇଛନ୍ତି। ଏହି ବଦଳ ପ୍ରକ୍ରିୟାରେ ଦିଲ୍ଲୀର ଷ୍ଟାର୍ ସ୍ପିନର କୁଲଦୀପ ଯାଦବ ଲକ୍ଷ୍ନୌ ଦଳକୁ ଯାଇଛନ୍ତି।

ଆଇପିଏଲ୍ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପାଇଁ ପନ୍ତଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି । ଏହି ଚୁକ୍ତି ଅନୁସାରେ ପନ୍ତଙ୍କୁ ଦିଲ୍ଲୀରେ ପ୍ରତି ସିଜନ ୧୫ କୋଟି ଟଙ୍କା ମିଳିବ, ସେହିଭଳି କୁଲଦୀପ ଯାଦବ ୧୩.୫୦ କୋଟି ଟଙ୍କାର ଚୁକ୍ତି ସହ ଲକ୍ଷ୍ନୌ ଦଳରେ ଯୋଗ ଦେଇଛନ୍ତି।

୨୦୨୫ ଆଇପିଏଲ୍ ସିଜନ ପୂର୍ବରୁ ଋଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ନିଜ ଦଳରେ ସାମିଲ କରିବା ସହ ଦଳର ଅଧିନାୟକ ଦାୟିତ୍ୱ ଦେଇଥିଲା। ହେଲେ ଲକ୍ଷ୍ନୌ ସହ ତାଙ୍କର ଏହି ଦୁଇ ବର୍ଷର ଯାତ୍ରା ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ୨୦୨୫ରେ ସେ ମାତ୍ର ୨୬୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ଆଇପିଏଲ ୨୦୨୬ ରେ ତାଙ୍କ ବ୍ୟାଟ୍‌ରୁ ମାତ୍ର ୩୧୨ ରନ୍ ବାହାରିଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ ସହ ପୁରୁଣା ସମ୍ପର୍କ

ଋଷଭ ପନ୍ତ ନିଜର ଆଇପିଏଲ୍ କ୍ୟାରିୟର ୨୦୧୬ ମସିହାରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ସହିତ ଆରମ୍ଭ କରିଥିଲେ। ୨୦୨୪ରେ ଦଳ ଛାଡ଼ିବା ପୂର୍ବରୁ ସେ ଦୀର୍ଘ ଦିନ ଧରି ଦିଲ୍ଲୀ ଦଳର ମୁଖ୍ୟ ଚେହେରା ପାଲଟିଥିଲେ। ସେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ତରଫରୁ ସର୍ବାଧିକ ୧୧୧ଟି ମ୍ୟାଚ୍ ଖେଳିଛନ୍ତି, ଯାହାକି ଏହି ଦଳର ଇତିହାସରେ ଯେକୌଣସି ଖେଳାଳିଙ୍କ ପାଇଁ ସବୁଠାରୁ ଅଧିକ। ପ୍ରାୟ ଏକ ଦଶନ୍ଧି ଧରି ଦଳର ମୁଖ୍ୟ ଆକର୍ଷଣ ସାଜିଥିବା ପନ୍ତ, ୨୦୧ ରୁ ୨୦୨୪ ମଧ୍ୟରେ ୪ଟି ସିଜନରେ ମୋଟ ୪୩ଟି ମ୍ୟାଚ୍‌ରେ ଦିଲ୍ଲୀ ଦଳର ସଫଳ ଅଧିନାୟକତ୍ୱ ମଧ୍ୟ କରିଛନ୍ତି। ପୁଣିଥରେ ନିଜର ପୁରୁଣା ଦଳକୁ ଫେରିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି ଯେ, ପନ୍ତ ନିଜର ପୁରୁଣା ଫର୍ମକୁ ଫେରିପାଇବେ।