ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଗାଡ଼ିଘୋଡ଼ା ଠାରୁ ଆରମ୍ଭକରି ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ସବୁ ମହଙ୍ଗା ହେଲାଣି। ଅତ୍ୟାବଶ୍ୟକ ସାମଗ୍ରୀର ଦର ବି ବଢ଼ିଲାଣି। ଏସବୁରେ ତ ମଣିଷ ଯେମିତି ହେଲେ ଚଳି ଯାଉଥିଲା। ହେଲେ ଏବେ ଡାଲି, ଚାଉଳ ଓ କ୍ଷୀର ଦର ବଢ଼ିବା ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇଛି।

ରିପୋର୍ଟ ଅନୁସାରେ ସରୁ ବା ଫାଇନ୍ ଚାଉଳ କ୍ୱିଣ୍ଟାଲ ପିଛା ୮୦୦ରୁ ୧ ହଜାର ଟଙ୍କା ଏବଂ ସୁପର ଫାଇନ୍ ଚାଉଳ ୧ ହଜାରରୁ ୧୫ ଶହ ଟଙ୍କା ମହଙ୍ଗା ହୋଇଛି। ସେହିପରି ଡାଲି ଦରରେ ୫-୧୦ ଟଙ୍କା ଲେଖାଏ ବୃଦ୍ଧି ହୋଇଛି। ଏପଟେ ଅକ୍ଟୋବର ୪ ତାରିଖରୁ ଓମଫେଡ୍ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ହୋଇଛି।

ଭାରତରେ ମିଳୁଥିବା ବିଭିନ୍ନ ପ୍ରକାରର ଚାଳଉ ଯଥା ମସୁରି, ପାଟେଣି ଓ ମିକ୍ସ ଭେରାଇଟି ଭଳି ଉଷୁନା ଚାଉଳ ଦର କିଲୋ ପିଛା ୩ରୁ ୫ ଟଙ୍କା ବଢ଼ିଛି। ଅରୁଆ ଚାଉଳ ଦରରେ ୧୦ରୁ ୨୦ ଟଙ୍କା ଯାଏ ବୃଦ୍ଧି ହୋଇଛି। ଜିରା ରାଇସ୍‌ ଏବେ କିଲୋ ପିଛା ୬୦ରୁ ୬୫ ଟଙ୍କା, ଲକ୍ସର ଓ ଜୋକର ବ୍ରାଣ୍ଡ ୮୦ରୁ ୮୫ ଟଙ୍କା ଏବଂ ଡେରାଡୁନ ଚାଉଳ ୧୦୫ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି। ବାସୁମତି ଚାଉଳ କିଲୋ ପିଛା ୨୦ ଟଙ୍କା ବଢ଼ି ୧୭୦ ଟଙ୍କାରେ ପହଞ୍ଚିଛି। କେବଳ ଚାଉଳ ନୁହେଁ, ଡାଲି ଦର ମଧ୍ୟ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ହରଡ଼ ଡାଲି ୧୪୦ରୁ ୧୫୦ ଟଙ୍କା, ବୁଟ ଡାଲି ୯୦ ଟଙ୍କା ଏବଂ ଚଣା ଡାଲି ୮୦ ଟଙ୍କାରେ ବିକ୍ରି ହେଉଛି।

ସେପଟେ ଏଲନିନୋ ପ୍ରଭାବରୁ ଦେଶରେ କେଉଁଠି ବର୍ଷା ହୋଇଛି ତ ଆଉ କେଉଁଠି ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି। ଯାହା ବର୍ତ୍ତମାନ ବଜାର ଦର ବୃଦ୍ଧିର କାରଣ ପାଲଟିଛି। ଦେଶରେ ହରଡ଼, ମୁଗ, ଚଣା ଓ ମଟର ଡାଲିର ଦର ଗତ କିଛି ସପ୍ତାହରେ ୬ରୁ ୧୧ ପ୍ରତିଶତ ବଢ଼ିଛି। ବର୍ଷା ଅଭାବ, ବିଶ୍ୱ ବାଜରରେ ଯୋଗାଣ ସମସ୍ୟା, ଟଙ୍କାର ମୂଲ୍ୟ ହ୍ରାସ ହେବା ଭଳି ସମସ୍ୟା ଥିବା ବେଳେ ପୂଜା ବଜାରରେ ହଠାତ୍ ବଢ଼ିଥିବା ଚାହିଦା ଦର ବୃଦ୍ଧିକୁ ଶୀର୍ଷକୁ ନେଇଯାଇଛି।

Also read- ହସ୍ପିଟାଲ୍‌ କାମ ଏବେ ଫୋନରେ ହେଉଛି, ୫ ଲକ୍ଷ କୋଟି ଟଙ୍କା ଭୁଲ୍ ହାତରେ ପଡ଼ିବାରୁ ବଞ୍ଚିଛି: ମୋବାଇଲ୍ କଂଗ୍ରେସରେ କହିଲେ ମୋଦୀ

ଭାରତ ଏହାର ମୋଟ ଚାହିଦାର ପ୍ରାୟ ୧୮-୨୦ ପ୍ରତିଶତ ପ୍ରାୟ ପାଖାପାଖି ୬ରୁ ୭ ମିଲିୟନ ଟନ୍ ଡାଲି ଆମଦାନୀ କରିଥାଏ। ତେଣୁ ଦେଶରେ ନିଅଣ୍ଟିଆ ପଡ଼ିଲେ ଆମଦାନୀ ଡାଲି ମାର୍କେଟ୍‌ର ଶୂନ୍ୟସ୍ଥାନ ପୂରଣ କରେ। ହେଲେ ବର୍ତ୍ତମାନ ବିଶ୍ୱ ସ୍ତରରେ ଯୋଗାଣ ସମସ୍ୟା ଉପୁଜିଥିବାରୁ ଭଲଭାବରେ ଆମଦାନୀ ହୋଇପାରୁ ନାହିଁ। ତେଣୁ ସପ୍ଲାଏ କମ ଓ ଡିମାଣ୍ଡ ଅଧିକ ହେଲା ବେଳକୁ ଦର ବଢ଼ୁଛି।

ଓଡ଼ିଶାର ଚାଉଳ ବଜାର ଆମଦାନୀ ଉପରେ ନିର୍ଭରଶୀଳ

ଆମ ରାଜ୍ୟ ଓଡ଼ିଶାରେ ଧାନ ଚାଷ ହେଉଥିଲା ବି ବାହାରୁ ଆସୁଥିବା କିସମଗୁଡ଼ିକର ମୂଲ୍ୟ ବଢ଼ୁଛି। ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା ଓ ପଞ୍ଜାବରୁ ଆସୁଥିବା ଚାଉଳର ଯୋଗାଣ ଓ ଦରର ପ୍ରଭାବ ଓଡ଼ିଶା ବଜାରରେ ପଡ଼ୁଛି। ବ୍ୟବସାୟୀଙ୍କ ମତରେ ଓଡ଼ିଶା ପ୍ରାୟ ୯୦ ପ୍ରତିଶତ ଅତ୍ୟାବଶ୍ୟକ ସାମଗ୍ରୀ ବାହାରୁ ଆଣୁଥିବାରୁ ଦର ନିୟନ୍ତ୍ରଣ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଆଉ ଏକ ବଡ଼ କଥା ହେଲା ଅନଲାଇନରେ ଚାଳଉ ଦର ଅଧିକ ରହୁଥିବାରୁ ଯେଉଁ ଦୋକାମାନେ କମ୍ ଦାମରେ ଚାଳଉ କିଣୁଛନ୍ତି ସେମାନେ ମଧ୍ୟ ଅନଲାଇନ ରେଟ୍‌ରେ ବିକ୍ରି କରୁଛନ୍ତି। ଫଳରେ ଦର ବୃଦ୍ଧି ହେଉଛି। କେତେକ କ୍ଷେତ୍ରରେ ପ୍ରତି ପଞ୍ଚାୟତରେ ମିଳୁଥିବା ରାସନ ଚାଉଳକୁ ମଧ୍ୟ ଲୋକେ ଚଢ଼ା ଦରରେ ବିକ୍ରି କରି ସରୁ ଚାଉଳ କିଣୁଛନ୍ତି।

ଓଡ଼ିଶା ବ୍ୟବସାୟୀ ମହାସଂଘର ଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବାନୁସାରେ, ଓଡ଼ିଶା ପ୍ରାୟ ୯୦ ପ୍ରତିଶତ ଅତ୍ୟାବଶ୍ୟକ ସାମଗ୍ରୀ ବାହାରୁ ଆମଦାନୀ କରୁଛି। ତେଣୁ ଦର ବୃଦ୍ଧି ହେଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରି ସରକାରଙ୍କୁ ସୁପାରିସ କରିବାକୁ ସେ ଦାବି କରିଛନ୍ତି।

ସେପଟେ ଅକ୍ଟୋବର ୪ରୁ ଓମଫେଡ୍ କ୍ଷୀର ଦର ମଧ୍ୟ ବଢ଼ିଛି। ବିଭିନ୍ନ ପ୍ୟାକେଟ୍ କ୍ଷୀରର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ହୋଇଛି। ଚୀନ ଦର ତ ପୂର୍ବରୁ ହିଁ ବଢ଼ିକି ରହିଛି। ଏପଟେ ରୋଜଗାର ବଢ଼ୁ ନଥିବା ବେଳେ ଦରଦାମ ବୃଦ୍ଧି ଖାଉଟିଙ୍କ ଜୀବନ ଦୟନୀୟ କରିଦେଇଛି।