ନୂଆଦିଲ୍ଲୀ: ଇଣ୍ଡିଆ ମୋବାଇଲ କଂଗ୍ରେସର ଦ୍ୱିତୀୟ ଦିନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଡିଜିଟାଲ ବିକାଶ ନେଇ ମତ ରଖିଛନ୍ତି। ଦେଶରେ 5G ସେବାର ବିକାଶ, ଡିଜିଟାଲ ପେମେଣ୍ଟ, ବ୍ୟାଙ୍କ ହସ୍ପିଟାଲ୍ ଓ ସରକାରୀ ଅଫିସ୍ ଭଳି ସ୍ଥାନରେ ମୋବାଇଲ୍ ମାଧ୍ୟମରେ କାମ କରାଯାଉଛି ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫରରେ ଏପର୍ଯ୍ୟନ୍ତ ପାଖାପାଖି ୫୦ ଲକ୍ଷ କୋଟି ଟଙ୍କା ସିଧା ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ଏହି ସିଷ୍ଟମ ପାଇଁ ଦଲାଲ ଓ ଠକେଇ ଉପରେ ରୋକ ଲଗାଯିବା ସହ ପାଖାପାଖି ୫ ଲକ୍ଷ କୋଟି ଟଙ୍କା ଭୁଲ୍ ହାତରେ ପଡ଼ିବାରୁ ରକ୍ଷା ପାଇଯାଇଛି ବୋଲି ମୋଦୀ କହିଛନ୍ତି।

ସୂଚନା ଥାଉକି ଚଳିତ ଥର ଇଣ୍ଡିଆ ମୋବାଇଲ କଂଗ୍ରେସର ଫୋକସ ଏଆଇ ଓ 6G ଉପରେ ରହିଛି। ୨୦୧୭ରେ ହୋଇଥିବା ପ୍ରଥମ ଇଭେଣ୍ଟ କେବଳ ଭାରତ ଉପରେ ଫୋକସ ଥିଲା। ଏବେ ଏଥିରେ ୧୦୦ରୁ ଅଧିକ ଦେଶ ସାମିଲ ହୋଇଛନ୍ତି।

ଏଥିରେ ଯୋଗ ଦେଇ ମୋଦୀ କହିଛନ୍ତି ଆଜିକାଲି ମୋବାଇଲ କେବଳ ଗପସପ ଓ ଚାଟ କରିବାର ମାଧ୍ୟମ ହୋଇ ନାହିଁ। ବରଂ ସାଧାରଣ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବାର ବଡ଼ ମାଧ୍ୟମ ହୋଇପାରିଛି। ଭାଷା ଓ ଦୂରତ୍ୱର ବାଧା ଶେଷ ହୋଇଛି। ଏବେ ଆଉ ଲୋକଙ୍କୁ ଅଫିସରେ ଲମ୍ବା ଲାଇନ ଲଗାଇବାକୁ ପଡ଼ୁନି, ଫଳରେ ସେମାନଙ୍କର ସମୟ ଓ ପଇସା ଦୁଇଟି ବଞ୍ଚିଯାଉଛି।

Also Read- କେନ୍ଦ୍ର ସରକାର ଆହୁରି କଡ଼ା କଡ଼ି କଲେ CEC ଜ୍ଞାନେଶ କୁମାରଙ୍କ Z+ ସୁରକ୍ଷା

ଡିବିଟିରେ ହୋଇଥିବା ସଞ୍ଚୟକୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍ କରି ମୋଦୀ କହିଛନ୍ତି ଯେଉଁମାନଙ୍କର ଏଭଳି ବେଆଇନ ରୋଜଗାର ବନ୍ଦ ହୋଇଗଲା, ସେମାନେ ମୋଦୀକୁ ପସନ୍ଦ ନ କରିବା ସ୍ୱଭାବିକ। ସେମାନେ ଯେତେ ବି ଚିଲାନ୍ତୁ, ଆମେ ଜନତାଙ୍କ ପଇସା ସେମାନଙ୍କ ପାଖରେ ପହଞ୍ଚାଇବାକୁ ପକ୍କା ସଂକଳ୍ପ ନେଇଛୁ ବୋଲି ମୋଦୀ କହିଛନ୍ତି।

ସେହିପରି ଭାରତରେ ଟେଲିକମ୍ କ୍ଷେତ୍ରର ଦ୍ରୁତ ବିସ୍ତାରିତ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୨ ମସିହାରେ ଏହି ମଞ୍ଚରୁ 5G ଆରମ୍ଭ ହୋଇଥିଲା, ଆଜି ସାରା ଦେଶରେ ୫.୫ ଲକ୍ଷରୁ ଅଧିକ 5G ବେସ୍ ଷ୍ଟେସନ୍ ଚାଲୁଛି। ଏହା ୧୦ ଗୁଣା ଗତିରେ ବଢ଼ିଛି। ଟେକ୍ନୋଲୋଜୀ ଆପଣାଇବାରେ ଭାରତ ବିଶ୍ୱରେ ସୁବଠାରୁ ଦ୍ରୁତଗତିରେ ଆଗକୁ ବଢ଼ୁଛି ବୋଲି ମୋଦୀ କହିଛନ୍ତି।

ସେମିକଣ୍ଡକ୍ଟର ନେଇ କହିଛନ୍ତି ଯେ ବର୍ତ୍ତମାନ ଭାରତର ଫୋକସ ଏହାର ସପ୍ଲାଏ ଚେନ୍ ଉପରେ ରହିଛି। ଏଥିପାଇଁ ବ୍ୟାପକ ପ୍ରାୟସ ଜାରି ରହିଛି। ବିଗତ ବର୍ଷଗୁଡ଼ିକରେ ଭାରତ କଞ୍ଜ୍ୟୁମରରୁ କ୍ରିଏଟରର ଯାତ୍ରା ହାସଲ କରିଛି। ଏବେ ଡିଜାଇନ ବି ଭାରତରେ ହେବ, ଟେକ୍ନୋଲୋଜୀ ବି ଭାରତରେ ହେବ। ରିଫର୍ମ ଏକ୍ସପ୍ରେସ୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବୋଲି ମୋଦୀ କହିଛନ୍ତି।

ତେବେ ମୋବାଇଲ୍ ଟେକ୍ନୋଲୋଜୀର ସୁରକ୍ଷିତ ବ୍ୟବହାର ଓ ସାଇବର ଠକେଇ ରୋକିବା ଦିଗରେ ବିଶ୍ୱ ସ୍ତରରେ ଏକ ଢାଞ୍ଚା ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ମୋବାଇଲ ଇଣ୍ଟରନେଟ୍ ମାଧ୍ୟମରେ ଗାଁ ଓ ଉପାନ୍ତ ଅଞ୍ଚଳରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳାବର ଉପଲବ୍ଧି ମିଳିଛି। ଦେଶର ଲୋକେ କଣ୍ଟେଣ୍ଟ କ୍ରିଏଟ୍ କରି ସଫଳ ହେଉଛନ୍ତି। ମୋବାଇଲ୍ ଟେକ୍ନୋଲୋଜୀ ସହିତ ଏହାର ପାର୍ଟଗୁଡ଼ିକ ଏବେ ଭାରତରେ ତିଆରି ହେଉଛି ବୋଲି ମୋଦୀ କହିଛନ୍ତି। ଦେଶରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ୨୫ ବର୍ଷ ପୂର୍ତ୍ତି ଅବସରରେ ସେ ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।

ସୂଚନା ଥାଉକି ନୂଆଦିଲ୍ଲୀ ଜଶଭୂମିରେ ଆଇଏମସି ୨୦୨୬ ଅକ୍ଟୋବର ୭ ରୁ ୧୦ ପର୍ଯ୍ୟନ୍ତ ହେବ। ଏଥର ଏହାର ଥିମ ରହିଛି "ସ୍କେଲ୍ ୱିଦାଉଟ ବାଉଣ୍ଡିରୀ"। ଏଥିରେ 5G, 6G, AI, ସାଇବର ସୁରକ୍ଷା ଏବଂ ଉଦୀୟମାନ ଡିଜିଟାଲ୍ ଟେକ୍ନୋଲୋଜୀ ଆଦି ମୁଖ୍ୟ ଆକର୍ଷଣ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି।