କୋଲକାତା: ପଶ୍ଚିମବଙ୍ଗ ପୋଲିସ ଆରଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍‌ରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ଟିଏମସିର ପୂର୍ବତନ ବିଧାୟକ ତଥା ବିଧାନସଭାରେ ପାର୍ଟିର ପୂର୍ବତନ ମୁଖ୍ୟ ସଚେତକ ନିର୍ମଳ ଘୋଷଙ୍କୁ ଗିରଫ କରିଛି । ସେ ଉତ୍ତର ୨୪ ପରଗଣା ଜିଲ୍ଲାର ପାଣିହାଟି ବିଧାନସଭା ଆସନରୁ ପୂର୍ବତନ ବିଧାୟକ ଥିଲେ ।

ପାଣିହାଟିର ପୂର୍ବତନ ତ୍ରୁଣମୂଳ ବିଧାୟକ ନିର୍ମଳ ଘୋଷଙ୍କୁ ଓଡ଼ିଶାରୁ ଗିରଫ କରାଯାଇଛି । ଆରଜି କର ହସ୍ପିଟାଲରେ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ନିର୍ମଳ ଘୋଷ ଏବଂ ଅନ୍ୟ ତିନି ଜଣଙ୍କ ବିରୁଦ୍ଧରେ ପୀଡିତାଙ୍କ ମୃତଦେହକୁ ବଳପୂର୍ବକ ଦାହ କରିବା ଅଭିଯୋଗ ହୋଇଥିଲା । ସୋମବାର ପୀଡ଼ିତାଙ୍କ ବାପା ଉତ୍ତର ୨୪ ପରଗଣାର ଖାରଦାହ ପୋଲିସ ଷ୍ଟେସନରେ ଏକ ଏଫ୍‌ଆଇଆର୍ ଦେଇଥିଲେ । ପୋଲିସ ସୂତ୍ର ଅନୁସାରେ, ସେହି ଏଫ୍‌ଆଇଆର୍ ଆଧାରରେ ନିର୍ମଳଙ୍କୁ ଗିରଫ କରାଯାଇଥିଲା ।

ପୋଲିସ ସୂତ୍ର ଅନୁଯାୟୀ, ନୂଆ ଏଫ୍‌ଆଇଆର୍ ପରେ ନିର୍ମଳ ବାଲେଶ୍ୱରରେ ଆତ୍ମଗୋପନ କରିଥିଲେ । ପୋଲିସରୁ ବଞ୍ଚିବା ପାଇଁ ସେ ଏକ ନୂଆ ଫୋନ୍ ଏବଂ ସିମ୍ କାର୍ଡ ବ୍ୟବହାର କରୁଥିଲେ । ନୂଆ ଫୋନ୍‌ରୁ ସେ କିଛି ନିକଟ ବନ୍ଧୁଙ୍କ ସହ ଯୋଗାଯୋଗ କରୁଥିଲେ । ପୁରୁଣା ଫୋନ୍ ବନ୍ଦ ଥିଲା । ମୋବାଇଲ୍ ଟାୱାରର ଲୋକେସନ୍ ମାଧ୍ୟମରେ ନିର୍ମଳଙ୍କ ଗତିବିଧି ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା । ଏହାପରେ ଗୁରୁବାର ତଦନ୍ତକାରୀ ଦଳ ସୋର-ସିମୁଳିଆ ଜାତୀୟ ରାଜପଥ ନିକଟରେ ଥିବା ଏକ ହୋଟେଲରେ ଚଢାଉ କରିଥିଲେ । ନିର୍ମଳଙ୍କୁ ହୋଟେଲରୁ ଗିରଫ କରିଛନ୍ତି ।

କାହିଁକି ହେଲା ଗିରଫଦାରୀ ?

ପୀଡ଼ିତାଙ୍କ ମୃତଦେହର ତରବରିଆ ଭାବେ ଅନ୍ତିମ ସଂସ୍କାର କରାଯିବା ମାମଲାରେ ଏହି ଗିରଫଦାରୀ ହୋଇଛି । ଅଭିଯୋଗ ହୋଇଛି ଯେ ୨୦୨୪ ଅଗଷ୍ଟ ୯ ରାତିରେ ପାଣିହାଟିର ଏକ ଶ୍ମଶାନଘାଟରେ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ପାଳନ ନକରି ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଯେଉଁଥି ପାଇଁ ମୃତଦେହ ପୁନଃ ପୋଷ୍ଟମୋର୍ଟମ ସମ୍ଭାବନା ଶେଷ ହୋଇଯାଏ । ମୁଖ୍ୟମନ୍ତ୍ରୀଙ୍କ ନୂଆ କରି ତଦନ୍ତ ନିର୍ଦ୍ଦେଶ ପରେ ପାଣିହାଟି ଅଞ୍ଚଳ ଅଧୀନରେ ଆସୁଥିବା ବାରକପୁର ପୋଲିସ କମିଶନରେଟ୍ ପୀଡ଼ିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ତଦନ୍ତ ଆରମ୍ଭ କରିଥିଲା ।

କିଏ କରିଥିଲେ ଅଭିଯୋଗ ?

ଚଳିତ ସପ୍ତାହରେ ପୀଡ଼ିତାଙ୍କ ବାପାଙ୍କ ତରଫରୁ ହୋଇଥିବା ଏକ ନୂଆ ଅଭିଯୋଗ ଆଧାରରେ ଏଫ୍ଆଇଆର ରୁଜୁ କରାଯାଇଥିଲା । ଏଥିରେ ନିର୍ମଳ ଘୋଷଙ୍କ ବ୍ୟତୀତ ପାଣିହାଟି ପୌରପାଳିକାର ସ୍ଥାନୀୟ ଟିଏମସି କାଉନସିଲର ସୋମନାଥ ଦେ’ ଏବଂ ପୀଡ଼ିତାଙ୍କ ପରିବାରର ପଡ଼ୋଶୀ ସଞ୍ଜୀବ ମୁଖାର୍ଜୀଙ୍କ ନାଁ ମଧ୍ୟ ରହିଛି । ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ତିନିଜଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୦୨୪ ଅଗଷ୍ଟ ୯ ରାତିରେ ପୀଡ଼ିତାଙ୍କ ଶବର ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ସହ ଜଡ଼ିତ ନିର୍ଦ୍ଧାରିତ ନିୟମାବଳୀ ପାଳନ କରାଯାଇ ନ ଥିଲା ।

ଫେରାର ଥିଲେ ନିର୍ମଳ ଘୋଷ

ନୂଆ ଏଫ୍‌ଆଇଆର୍ ରୁଜୁ ହେବା ପରେ ନିର୍ମଳ ଘୋଷ ଫେରାର ହୋଇଯାଇଥିଲେ । ପୋଲିସ ଠାରୁ ବଞ୍ଚିବା ପାଇଁ ସେ ନୂଆ ମୋବାଇଲ ସିମ୍ କାର୍ଡ ମଧ୍ୟ ବ୍ୟବହାର କରିବା ଆରମ୍ଭ କରିଥିଲେ । ବାରକପୁର ପୋଲିସ କମିଶନରେଟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ତଦନ୍ତକାରୀ ଅଧିକାରୀଙ୍କୁ ଖବର ମିଳିଥିଲା ଯେ ଘୋଷ ଓଡ଼ିଶାର ପୁରୀରେ ଲୁଚି ରହିଛନ୍ତି । ଏହାପରେ ବାରକପୁର ପୋଲିସ କମିଶନରେଟର ଏକ ଟିମ୍ ପୁରୀରେ ପହଞ୍ଚି ଗୁରୁବାର ଏକ ହୋଟେଲରୁ ନିର୍ମଳ ଘୋଷଙ୍କୁ ଗିରଫ କରିଛି ।

ଟ୍ରାଞ୍ଜିଟ୍ ରିମାଣ୍ଡରେ କୋଲକାତା ଆଣିବ ପୋଲିସ

ମିଳିଥିବା ସୂଚନା ଅନୁଯାୟୀ, ଘୋଷଙ୍କୁ ପ୍ରଥମେ ଓଡ଼ିଶାର ଅଦାଲତରେ ହାଜର କରାଯିବ । ଏହାପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ରାତି ଭିତରେ କୋଲକାତା ନିଆଯିବ । ଶୁକ୍ରବାର ତାଙ୍କୁ ବାରକପୁର ଜିଲ୍ଲା ଅଦାଲତରେ ହାଜର କରାଯିବ ଏବଂ ଅଧିକ ପଚରାଉଚରା ପାଇଁ ତାଙ୍କୁ ପୋଲିସ ରିମାଣ୍ଡରେ ନେବାକୁ ଆବେଦନ କରିବ । ନିର୍ମଳଙ୍କ ଗିରଫଦାରୀ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶରଦୱତ ମୁଖାର୍ଜୀ କହିଛନ୍ତି, "ମୁଁ ପୋଲିସ ଏବଂ ପ୍ରଶାସନକୁ ପ୍ରଶଂସା କରୁଛି । କ ମୁଁ ଟିକେ ଦୁଃଖିତ । କାରଣ ନିର୍ମଳ ଘୋଷ ଏତେ ଦିନ ଧରି ବାହାରେ ବୁଲୁଥିଲେ ।"

ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ମୃତ ଡାକ୍ତର-ଛାତ୍ରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଥିଲା । ସେହି ଦିନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଉତ୍ତର ୨୪ ପରଗଣାର ପାଣିହାଟିରେ ସ୍ମୃତିସଭାରେ ଉପସ୍ଥିତ ଥିଲେ । ପାଣିହାଟିର ଶ୍ମଶାନରେ ସେଦିନ ପ୍ରକୃତରେ କ'ଣ ଘଟିଥିଲା ତାହାର ତଦନ୍ତ କରିବାକୁ ସେ ବାରାକପୁର ପୋଲିସ କମିଶନରେଟକୁ ନିର୍ଦ୍ଦେଶ ଦେଇଥିଲେ ।