ଭୁବନେଶ୍ୱର ୧୦।୧୧ : ଆକ୍ସନରେ ରାଜସ୍ୱ ବିଭାଗର । ଦୁର୍ନୀତି ବିରୋଧରେ ରାଜସ୍ୱ ବିଭାଗର କଡ଼ା ଆଭିମୁଖ୍ୟ। ଭିଜିଲାନ୍ସ ରିପୋର୍ଟ ଆଧାରରେ ବାଲିଆପାଳ ଡିଏସଆର ମନୀଷା ମିଶ୍ରଙ୍କୁ ବହିଷ୍କାର କରାଯାଇଛି। ଏହା ସହ ଦୁର୍ନୀତି ଅଭିଯୋଗରେ ଥିବା ଅନ୍ୟ ଅଧିକାରୀଙ୍କ ବିରୋଧରେ ମଧ୍ୟ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ସେ କହିଛନ୍ତି ଯେ, ଗତ ୬ ତାରିଖରେ ଭିଜିଲାନ୍ସ ମନୀଷା ମିଶ୍ରଙ୍କୁ ଟ୍ରାପ୍ କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା। ୭ ତାରିଖରେ ଭିଜିଲାନ୍ସ ପକ୍ଷରୁ ରାଜସ୍ୱ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ପରେ ଭିଜିଲାନ୍ସର ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଛି।

Also Read:-ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର

କେବଳ ମନୀଷା ମିଶ୍ର ନୁହନ୍ତି, ରାଜସ୍ୱ ବିଭାଗର ଆହୁରି ଅନେକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଥିବା କହିଛନ୍ତି ମନ୍ତ୍ରୀ। ବିଶେଷକରି ଅନେକ ଆରଆଇଙ୍କ ବିରୋଧରେ ଅଭିଯୋଗ ରହିଛି ଏବଂ ସେମାନେ ବିଭାଗର ନଜରରେ ଅଛନ୍ତି। ଅଭିଯୋଗର ଯାଞ୍ଚ ପରେ ପ୍ରମାଣ ମିଳିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ରାଜସ୍ୱ ବିଭାଗରେ ପ୍ରାୟ ୨୦ ପ୍ରତିଶତ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ରିପୋର୍ଟ ଆଧାରରେ ଏବଂ ୮୦ ପ୍ରତିଶତଙ୍କ ବିରୋଧରେ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏପରିକି ସିସିଟିଭି ଫୁଟେଜ୍ ଆଧାରରେ ମଧ୍ୟ ଆକ୍ସନ ନିଆଯାଉଛି। ସରକାରଙ୍କ ଲକ୍ଷ୍ୟ ହେଉଛି ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା। ତେଣୁ ଅଧିକାରୀମାନେ ସାବଧାନ ହୋଇଯାଆନ୍ତୁ। କାହାରିକୁ ଛଡ଼ାଯିବ ନାହିଁ । ଯିଏ ଭୁଲ କରିବ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।