ନୂଆଦିଲ୍ଲୀ ୧୨।୧: ମିନିଷ୍ଟ୍ରି ଅଫ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେନସନ (ଏମଓଏସପିଆଇ) ଙ୍କ ମାସିକ ଡାଟା ଅନୁସାରେ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ) ଆଧାରିତ ଭାରତର ହେଡଲାଇନ ରିଟେଲ ମୁଦ୍ରାସ୍ପିତି ଡିସେମ୍ବରରେ ବଢି ୧.୩୩% ହୋଇଯାଇଛି, ଯାହା ପୂର୍ବରୁ ୦.୭୧% ଥିଲା। ତେବେ ହେଡଲାଇନ ମୁଦ୍ରାସ୍ପିତି ଏବେବି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ୪.୬%ର ନିର୍ଦ୍ଧାରିତ ସୀମାରୁ ତଳେ ରହିଛି।

ଖାଦ୍ୟପେୟ ସାମଗ୍ରୀର ମୂଲ୍ୟ ଯାହା ସିପିଆଇ ବାସ୍କେଟର ପାଖାପାଖି ଅଧା ଡିସେମ୍ବରରେ ବାର୍ଷିକ ହାରରେ ୨.୭୧% ହ୍ରାସ ହୋଇଛି। ଏହା ନଭେମ୍ବରର ୩.୯୧%ର ହ୍ରାସ ଠାରୁ କମ୍ ରହିଛି। ଏଥିରେ ପନିପରିବା ମୂଲ୍ୟ ୧୮.୪୭% ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ମାସକ ପୂର୍ବରୁ ଏହା ୨୨.୨୦%ରୁ ଅଧିକ ଥିଲା। ଏହା ଖାଦ୍ୟପେୟ ସାମଗ୍ରୀ ସେଗମେଣ୍ଟରେ ଡିଫ୍ଲେସନ ଅଭାବକୁ ଦର୍ଶାଇଛି। ଇନ୍ଧନ ଓ ବିଦ୍ୟୁତ ମୁଦ୍ରାସ୍ପିତି ଡିସେମ୍ବରରେ ୧.୯୭%କୁ ପହଞ୍ଚିଥିବା ବେଳେ ନଭେମ୍ବରରେ ଏହା ୨.୩୨% ଥିଲା।

ସରକାର ମୋଟ ମୁଦ୍ରାସ୍ପିତି ବୃଦ୍ଧିର ମୁଖ୍ୟ କାରଣ ପନିପରିବା, ମାଛ, ମାଂସ, ଅଣ୍ଡା, ମସଲା, ଡାଲି ଓ ପର୍ସନାଲ କେୟାର ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧି ବୋଲି କହିଛନ୍ତି।ଏହି ସମୟରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମୁଦ୍ରାସ୍ପିତି ଅଧିକ ଥିଲା। ସହରାଞ୍ଚଳରେ ସିପିଆଇ ମୁଦ୍ରାସ୍ପିତି ନଭେମ୍ବରରେ ୧.୪୦%ରୁ ବଢି ଡିସେମ୍ବରରେ ୨.୦୩% ହୋଇଯାଇଛି। ଏହାର ବିପରୀତ ଗ୍ରାମୀଣ ମୁଦ୍ରାସ୍ପିତି ମାସକ ପୂର୍ବର ୦.୧୦%ରୁ ବଢି ୦.୭୬% ହୋଇଯାଇଛି। ହାଉସିଂ ମାମଲାରେ ଡିସେମ୍ବରରେ ମୁଦ୍ରାସ୍ପିତି ହ୍ରାସ ହୋଇ ୨.୮୬% ହୋଇଥିବା ବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟରେ ମୁଦ୍ରାସ୍ପିତି ହ୍ରାସ ହୋଇ ଯଥାକ୍ରମେ ୩.୩୨% ଓ୩.୪୩% ରହିଛି।

ବଡ଼ ରାଜ୍ୟଙ୍କ ମଧ୍ୟରୁ କେରଳରେ ମୁଦ୍ରାସ୍ପିତି ସର୍ବାଧିକ ୯.୪୯% ରେକର୍ଡ କରାଯାଇଛି। ଏହା ପଛକୁ କର୍ଣ୍ଣାଟକ ୨.୯୯%, ଆନ୍ଧ୍ର୍ରପ୍ରଦେଶ ୨.୭୧%, ତାମିଲନାଡୁ ୨.୬୭% ଓ ଜମ୍ମୁ-କାଶ୍ମୀର ୨.୨୬% ରହିଛି।