ଟାଙ୍ଗୀ ୨୫।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଚିଲିକାରେ ସତର୍କତା ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି । ତେଣୁ ଚିଲିକାକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚିଲିକାରେ ମାଛ ଧରିବାକୁ ମନା କରାଯାଇଛି । ପାଣିପାଗ ବିଭାଗର ସୂଚନା ଆଧାରରେ ବାଲୁଗାଁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

ବାତ୍ୟା ପ୍ରଭାବରେ ଅଶାନ୍ତ ହୋଇପାରେ ଚିଲିକା । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜଳଯାତ୍ରା ବିପଦପୂର୍ଣ୍ଣ ହେବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ମତ୍ସ୍ୟ ବିଭାଗ । ଆସନ୍ତା ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚିଲିକାରେ ମାଛ ଧରିବାକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏଥିସହ ଯଦି କୌଣସି ମତ୍ସ୍ୟଜୀବୀ ବର୍ତ୍ତମାନ ଚିଲିକା ମଧ୍ୟରେ ରହିଛନ୍ତି, ତେବେ ସେମାନେ ତୁରନ୍ତ ସୁରକ୍ଷିତ ଭାବେ କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନିଜ ନିଜର ମାଛଧରା ଡଙ୍ଗା, ଜାଲ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

Also Read:- ମାଣ୍ଡିଆ ଚାଷଠାରୁ ଷ୍ଟାର୍ଟଅପ୍ ଯାଏଁ, ‘ମନ୍ କି ବାତ୍’ରେ ଭାରତର ବିକାଶର ଚିତ୍ର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଜଳଯାତ୍ରା ମଧ୍ୟ ବନ୍ଦ ରଖାଯାଇଛି । ତେଣୁ ପାଣିପାଗ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି ।

Watch Video: