ପୁଡୁଚେରୀ: ଉପଭୋକ୍ତା ଆୟୋଗ ଦୂଷିତ ଖାଦ୍ୟ ପରିବେଷଣ କାରଣରୁ ଏକ ରେଷ୍ଟୁରାଣ୍ଟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ପାଇଁ ରେଷ୍ଟୁରାଣ୍ଟ କୁ ଗ୍ରାହକଙ୍କୁ କ୍ଷତିପୂରଣ ଦେବା ସହିତ ୧୦ଟି ମାଗଣା ବିରିୟାନୀ ଥାଳି ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କାରଣ ରେଷ୍ଟୁରାଣ୍ଟ ପକ୍ଷରୁ ପରସା ଯାଇଥିବା ବିରିୟାନୀ ଥାଳିରେ ମଲା ପୋକ ବାହାରିଥିଲା। ପୁଡୁଚେରୀ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଯେଉଁଥିରେ ଏସ.ମୌତ୍ତୌ ଭେଲ ଅଧ୍ୟକ୍ଷ, ଏ.ଏସ୍. ସୁବିଥା ସଦସ୍ୟ ଓ ଅନ୍ୟତମ ସଦସ୍ୟ ଜି.ଅଋମୁଗମ ସ୍ୱୀକାର କରିଛନ୍ତି ଯେ ଖାଉଟିଙ୍କୁ ଦୂଷିତ ଖାଦ୍ୟ ପରସିବା ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ର ‘ସେବାରେ ଅଭାବ’ ସହ ସମାନ।

ଲାଇଭ ଲର ଏକ ରିପୋର୍ଟ ଅନୁସାରେ ପି.ସୁନ୍ଦର କୁମାର ମଣିକନ୍ଦନ ‘ବିରିୟାନୀ ଆଣ୍ଡ କମ୍ପାନୀ’ ନାମକ ଏକ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ ରୁଜୁ କରିଥିଲେ। ମଣିକନ୍ଦନ ଓ ତାଙ୍କ ବନ୍ଧୁ ମହମ୍ମଦ ନିୟାସୁଦ୍ଦିନ ୮ଡିସେମ୍ବର ୨୦୨୫ରେ ବିରିୟାନୀ ଖାଇବାକୁ ଏହି ରେଷ୍ଟୁରାଣ୍ଟକୁ ଯାଇଥିଲେ। ହେଲେ ସେମାନଙ୍କୁ ପରସା ଯାଇଥିବା ଥାଳିରେ ଏକ ମଲା ପୋକ ବାହାରିଥିଲା। ଅଭିଯୋଗ ଅନୁସାରେ ଗ୍ରାହକ ତୁରନ୍ତ ଖାଦ୍ୟର ଭିଡିଓ ରେକର୍ଡିଂ କରିଥିଲେ ଓ ଏହା ଦାବି କରି ଫଟୋ ନେଇଥିଲେ ଯେ ରେଷ୍ଟୁରାଣ୍ଟରେ ଅତ୍ୟନ୍ତ ଅସ୍ୱଚ୍ଛ ପରିସ୍ଥିତିରେ ଖାଦ୍ୟ ରନ୍ଧା ଯାଉଛି ଓ ବେପାର କରାଯାଉଛି।

ଏହି ଅଭିଯୋଗରେ ଗ୍ରାହକ ଦୂଷିତ ଖାଦ୍ୟ ଯୋଗୁ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ଭୟ ଆଶଙ୍କା, ଏଥି ଯୋଗୁ ମାସନକି ପୀଡ଼ା ଓ ଜଣେ ଗ୍ରାହକ ଭାବେ ତାଙ୍କ ବିଶ୍ୱାସ ହାନୀ ହୋଇଛି ବୋଲି ଦର୍ଶାଇଥିଲେ। ଏଣୁ ସେ ମୋକଦ୍ଦମା ରୁଜୁ କରି ଓକିଲଙ୍କ ଫି ସମେତ ବିଭିନ୍ନ ବାବଦେ ଓ ମାନସିକ ଯନ୍ତ୍ରଣା ପାଇଁ ୧,୩୦,୦୦୦ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ଏ ନେଇ ସେ ରେଷ୍ଟୁରାଣ୍ଟକୁ ଏକ ଆଇନଗତ ନୋଟିସ୍ ମଧ୍ୟ ଜାରି କରିଥିଲେ। ହେଲେ ରେଷ୍ଟୁରାଣ୍ଟରୁ ତାଙ୍କୁ କୌଣସି ଜବାବ ମିଳିନଥିଲା। ଏ ନେଇ ମଣିକନ୍ଦନ ରେଷ୍ଟୁରାଣ୍ଟ ବିରୋଧରେ ଉପଭୋକ୍ତା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ମାମଲାର ବିଚାରରେ ରେଷ୍ଟୁରାଣ୍ଟ ସହଯୋଗ କରିନଥିଲା।

ଏଣୁ ଆୟୋଗ ରେଷ୍ଟୁରାଣ୍ଟ ବିରୋଧରେ ଏକତରଫା କାର୍ଯ୍ୟାନୁଷ୍ଠାନ କରି ଦୂଷିତ ଖାଦ୍ୟ ପରିବେଷଣ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ପାଇଁ ଆୟୋଗ ରେଷ୍ଟୁରାଣ୍ଟକୁ ସେବାରେ ଅବହେଳା ପାଇଁ କ୍ଷତିପୂରଣ ବାବଦେ ୧୦ ହଜାର ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ବାବଦକୁ ଓକିଲଙ୍କ ଦେୟ ପାଇଁ ୩ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ରେଷ୍ଟୁରାଣ୍ଟକୁ ଏହା ବି ନିର୍ଦ୍ଦେଶ ଦେଇଛନ୍ତି ଯେ ଅଭିଯୋଗକାରୀଙ୍କୁ ଖାଦ୍ୟ ସୁରକ୍ଷା ମାନକ ଅନୁପାଳନରେ ଆଦେଶ ପ୍ରାପ୍ତ ହେବା ତାରିଖରୁ ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ କରି ଲଗାତାର ୫ ସପ୍ତାହ ଦୁଇ ପ୍ଲେଟ ହିସାବରେ ତାଜା ରନ୍ଧା ହାଇଦ୍ରାବାଦ ଚିକେନ ବିରିୟାନୀର ୧୦ଟି ପ୍ଲେଟ ମାଗଣା ଉପଲବ୍ଧ କରିବେ।