ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ବଡ଼ ଆକ୍ସନ। ରଦ୍ଦ କଲା ଦେଶର ୧୫୦ ନନ୍- ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନି (NBFCs) ବା ଅଣ-ବ୍ୟାଙ୍କିଂ ଆର୍ଥିକ ସଂସ୍ଥାର ସାର୍ଟିଫିକେଟ । ବଡ଼ କଥା ହେଲା ଆରବିଆଇର ଏହି ଆକ୍ସନରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ପଞ୍ଜିକୃତ ହୋଇଥିବା NBFCs। ଆରବିଆଇର ତାଲିକାରେ ନୂଆଦିଲ୍ଲୀରେ ପଞ୍ଜିକୃତ ୬୭ ଏବଂ ପଶ୍ଚିମବଙ୍ଗରେ ପଞ୍ଜିକୃତ ୭୫ କମ୍ପାନିଙ୍କ ସାର୍ଟିଫିକେଟ ରଦ୍ଦ ହୋଇଛି।

ରଦ୍ଦ ହୋଇଥିବା ସଂସ୍ଥାରେ ଅନେକ ଛୋଟ ଏବଂ ମଧ୍ୟମ ଆକାରର ଫାଇନାନ୍ସ ଏବଂ ଇନଭେଷ୍ଟମେଣ୍ଟ (ନିବେଶ) କମ୍ପାନି ଅଛନ୍ତି। ଏହି ନନ୍- ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନି ଲୋନ ଦେବା, ଲିଜ୍, ନିବେଶ ଏବଂ ଏହା ସହ ଜଡ଼ିତ ଆର୍ଥିକ କାରବାର କରୁଥିଲେ। ସେହିଭଳି ତାଲିକାରେ ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବିହାର ଏବଂ ହରିୟାଣା ଭଳି ରାଜ୍ୟର କମ୍ପାନି ମଧ୍ୟ ରହିଛନ୍ତି।

Also Read: ବଢ଼ିବ ପେଟ୍ରୋଲ-ଡିଜେଲ୍ ଦାମ୍ ! ଏଭଳି ଚେତାବନୀ ଦେଲେ ଆରବିଆଇ ଗଭର୍ଣ୍ଣର

ସୂଚନାଥାଉକି, ନନ୍- ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନି ହେଉଛି ଏଭଳି ଆର୍ଥିକ ସଂସ୍ଥା ଯାହା ବ୍ୟାଙ୍କ ଭଳି ଲୋନ, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ସେବା ଦେଇଥାନ୍ତି। ହେଲେ ସେମାନଙ୍କ ପାଖରେ ବ୍ୟାଙ୍କିଂ ଲାଇସେନ୍ସ ନଥାଏ। ଏମାନଙ୍କର କାରବାର ଆରବିଆଇ ଆକ୍ଟ ଅନୁସାରେ, ଆରବିଆଇ ଦ୍ବାରା କରାଯାଇଥାଏ। ତେବେ ରେଜିଷ୍ଟ୍ରେସନ ରଦ୍ଦ ହେବାର ଅର୍ଥ ଏହି କମ୍ପାନି ଏବେ NBFCs ଭାବରେ କାମ କରିପାରିବେନାହିଁ କିମ୍ବା କୌଣସି ଆର୍ଥିକ କାରବାର କରିପାରିବେନି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪ ଧାରା ୪୫- IA (୬) ଅନୁଯାୟୀ ଅଣ- ବ୍ୟାଙ୍କିଂ ଆର୍ଥିକ କମ୍ପାନିଗୁଡ଼ିକର ପଞ୍ଜିକରଣ ସାର୍ଟିଫିକେଟ ବାତିଲ କରାଯାଇଛି।