ଏଣିକି ଇଣ୍ଟରନେଟ୍ ପାଇଁ ଦରକାର ପଡ଼ିବନି ମୋବାଇଲ୍ ଟାୱାର! ଗାଁ ହେଉ କି ଦୁର୍ଗମ ପାହାଡ଼ିଆ ଅଞ୍ଚଳ, ସବୁଠି ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍। ଆଉ ଏଥିପାଇଁ ମହାକାଶରେ ଏକ ବିଶାଳ ଯୋଜନା କରୁଛନ୍ତି ମୁକେଶ ଅମ୍ବାନୀ। ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍କୁ ଟକ୍କର ଦେବାକୁ ୧୬୦୦ଟି ସାଟେଲାଇଟ୍ ମହାକାଶକୁ ପଠାଇବାକୁ ଯୋଜନା କରୁଛି ରିଲାଏନ୍ସ ଜିଓ। ଏଥିପାଇଁ ଆମେରିକାରୁ ମଧ୍ୟ କିଣାଯିବ ସାଟେଲାଇଟ୍। ୨୦୨୭ରେ ହେବ ପ୍ରଥମ ପରୀକ୍ଷଣ। ମହାକାଶରୁ ଆସିବ ଇଣ୍ଟରନେଟ୍! ଆଉ ଏହି ଇଣ୍ଟରନେଟ୍ ଯୋଗାଇବାକୁ ଆକାଶରେ ନିଜର ଏକ ବିଶାଳ ନେଟୱର୍କ ତିଆରି କରିବାକୁ ଯାଉଛି ରିଲାଏନ୍ସ ଜିଓ। ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍କୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀଙ୍କ କମ୍ପାନୀ ପ୍ରାୟ ୧୬୦୦ଟି ସାଟେଲାଇଟ୍ ମହାକାଶକୁ ପଠାଇବାକୁ ଯୋଜନା କରୁଛି।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ପୃଥିବୀଠାରୁ କମ୍ ଉଚ୍ଚତାରେ ଏହି ସାଟେଲାଇଟ୍ଗୁଡ଼ିକୁ ରଖାଯିବ। ଏହାକୁ ଲୋ ଆର୍ଥ ଅର୍ବିଟ୍ ବା LEO କୁହାଯାଏ। ଏହି ସାଟେଲାଇଟ୍ଗୁଡ଼ିକ ପୃଥିବୀର ଚାରିପଟେ ଘୂରି ଇଣ୍ଟରନେଟ୍ ସେବା ଯୋଗାଇବେ। ଫଳରେ ଯେଉଁ ଅଞ୍ଚଳରେ ମୋବାଇଲ୍ ଟାୱାର ଲଗାଇବା କଷ୍ଟକର, ସେଠାରେ ମଧ୍ୟ ଲୋକେ ହାଇସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

ଏବେ ପ୍ରଶ୍ନ ହେଉଛି, ଏତେ ସଂଖ୍ୟକ ସାଟେଲାଇଟ୍ କେଉଁଠୁ ଆସିବ?ଏଥିପାଇଁ ରିଲାଏନ୍ସ କେବଳ ବିଦେଶ ଉପରେ ନିର୍ଭର କରିବ ନାହିଁ। ଭାରତରେ ହିଁ ସାଟେଲାଇଟ୍ ନିର୍ମାଣ ବ୍ୟବସ୍ଥାକୁ ବଢ଼ାଇବାକୁ ଯୋଜନା କରୁଛି କମ୍ପାନୀ। ଦେଶର ସାଟେଲାଇଟ୍ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକୁ ଆର୍ଥିକ ସହାୟତା ଦେବା ସହ ଆବଶ୍ୟକ ମେସିନ୍ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ ମଧ୍ୟ ରିଲାଏନ୍ସ ପ୍ରସ୍ତାବ ଦେଇଛି। କାରଣ ଭାରତରେ ବର୍ତ୍ତମାନ ବର୍ଷକୁ ୧୫ରୁ କମ୍ ସାଟେଲାଇଟ୍ ନିର୍ମାଣ ହେଉଛି। କିନ୍ତୁ ରିଲାଏନ୍ସର ଏହି ବଡ଼ ପ୍ରକଳ୍ପ ପାଇଁ ପ୍ରତିବର୍ଷ ପ୍ରାୟ ୨୦୦ଟି ସାଟେଲାଇଟ୍ ଆବଶ୍ୟକ ହେବ। ତେଣୁ ଭାରତୀୟ କମ୍ପାନୀଗୁଡ଼ିକର ଉତ୍ପାଦନ କ୍ଷମତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି।

ସେପଟେ ବିଦେଶରୁ ମଧ୍ୟ ସାଟେଲାଇଟ୍ କିଣିବାକୁ ଯୋଜନା ରହିଛି। ଆମେରିକାର ଦୁଇଟି କମ୍ପାନୀଠାରୁ ଅତି କମ୍ରେ ୪୦୦ଟି ସାଟେଲାଇଟ୍ କିଣିବା ପାଇଁ ଆଲୋଚନା ଚାଲିଛି। ୟୁରୋପୀୟ କମ୍ପାନୀଗୁଡ଼ିକଠାରୁ ମଧ୍ୟ ସାଟେଲାଇଟ୍ କିଣିବା ବିଷୟରେ ବିଚାର କରାଯାଉଛି। ତେବେ ସୁରକ୍ଷା କାରଣରୁ ଏହି ପ୍ରକଳ୍ପରେ ଚୀନ୍କୁ ସାମିଲ କରିବାକୁ ରିଲାଏନ୍ସ ଚାହୁଁନଥିବା ରିପୋର୍ଟରେ କୁହାଯାଇଛି। ଏହି ପ୍ରକଳ୍ପର ପ୍ରଥମ ପରୀକ୍ଷଣ ୨୦୨୭ ସେପ୍ଟେମ୍ବରରେ କରିବାକୁ ଯୋଜନା ରହିଛି। ଏହାପରେ ୨୦୨୮ ଆରମ୍ଭରୁ ବହୁ ସଂଖ୍ୟାରେ ସାଟେଲାଇଟ୍ ମହାକାଶକୁ ପଠାଯିବ। ପୂର୍ବରୁ ୨୦୩୦ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ଥିଲା। କିନ୍ତୁ ସାଟେଲାଇଟ୍ ନିର୍ମାଣ ଓ ମହାକାଶକୁ ପଠାଇବାରେ ଥିବା ବିଭିନ୍ନ ସମସ୍ୟା ଯୋଗୁଁ ଏହାର ସମୟସୀମା ବଢ଼ାଇ ୨୦୩୫ କରାଯାଇଛି।

କେବଳ ଇଣ୍ଟରନେଟ୍ ନୁହେଁ, ଦେଶର ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହି ସାଟେଲାଇଟ୍ ନେଟୱର୍କ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ୨୦୨୫ରେ ପାକିସ୍ତାନ ସହ ଉତ୍ତେଜନା ପରେ ଭାରତ ନିଜର ମହାକାଶ କ୍ଷମତା ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି। ଯୁଦ୍ଧ କିମ୍ବା ଜରୁରୀ ପରିସ୍ଥିତିରେ ସେନା ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଯୋଗାଯୋଗ ରଖିବାରେ ଏଭଳି ନେଟୱର୍କ ସହାୟକ ହୋଇପାରିବ।ତେବେ ଏହି ପ୍ରକଳ୍ପ ଆଗରେ ରହିଛି ବଡ଼ ଚ୍ୟାଲେଞ୍ଜ। ୧୬୦୦ଟି ସାଟେଲାଇଟ୍ ତିଆରି କରିବା ସହ ସେଗୁଡ଼ିକୁ ମହାକାଶକୁ ପଠାଇବା ସହଜ କଥା ନୁହେଁ। ଏଥିପାଇଁ ରକେଟ୍ ଲଞ୍ଚ୍ର ସଂଖ୍ୟା ଓ କ୍ଷମତା ବଢ଼ାଇବାକୁ ପଡ଼ିବ। ଏହା ସହିତ ମହାକାଶରେ ସାଟେଲାଇଟ୍ଗୁଡ଼ିକୁ ରଖିବା ପାଇଁ ଉପଯୁକ୍ତ କକ୍ଷପଥ ବା ଅର୍ବିଟାଲ୍ ସ୍ଲଟ୍ ମଧ୍ୟ ହାସଲ କରିବାକୁ ହେବ।

ALSO READ- ଏନଭିଡିଆରେ ଜେନସେନ୍ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ଆଶା ଶେଷ, ପୁନଃ ନିଯୁକ୍ତି ଦେବାକୁ ମନା କଲା କମ୍ପାନୀର ବୋର୍ଡ

ଅନ୍ୟପଟେ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍ର ମହାକାଶରେ ଏବେ ୧୦ ହଜାରରୁ ଅଧିକ ସାଟେଲାଇଟ୍ ରହିଛି। ଏହାର ମୁକାବିଲା ପାଇଁ ରିଲାଏନ୍ସର ୧୬୦୦ ସାଟେଲାଇଟ୍ ଯୋଜନା ଭାରତର ଇଣ୍ଟରନେଟ୍ ଓ ସୁରକ୍ଷା ଆବଶ୍ୟକତାକୁ ଆଖିରେ ରଖି ପ୍ରସ୍ତୁତ କରାଯାଉଛି । ମୋବାଇଲ୍ ଟାୱାର ବଦଳରେ ଏବେ ମହାକାଶରୁ ମିଳିବ ଇଣ୍ଟରନେଟ୍ ସେବା। ଯଦି ରିଲାଏନ୍ସର ଏହି ଯୋଜନା ସଫଳ ହୁଏ, ତେବେ ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ୍ ପହଞ୍ଚିବା ସହଜ ହୋଇପାରିବ। ଏବେ ଅପେକ୍ଷା ୨୦୨୭ ସେପ୍ଟେମ୍ବରର ପ୍ରଥମ ପରୀକ୍ଷଣକୁ। ମହାକାଶରେ ଜିଓର ଏହି ନୂଆ ନେଟୱର୍କ କେତେ ସଫଳ ହେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।