ମୁମ୍ଵାଇ ୧୯।୧୧; ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଲଭ୍ ଲାଇଫକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ନିକଟରେ ୱାକର ବ୍ଲାଙ୍କୋଙ୍କ ସହ ତାଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା। ଆଉ ଏବେ ନିଜ ସମ୍ପର୍କ ଓ ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲିଛନ୍ତି ଅନନ୍ୟା। ବ୍ରେକଅପ୍ ପରେ ଏବେ ସିଙ୍ଗଲ୍ ଲାଇଫକୁ ଉପଭୋଗ କରୁଛନ୍ତି ଅଭିନେତ୍ରୀ । କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ଶୋ' 'କଫି ୱିଥ୍ କରଣ'ରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି ଅଭିନେତ୍ରୀ। ଏପରିକି ଜୀବନରେ କାହାକୁ ସାମିଲ କରିବା ପୂର୍ବରୁ ନିଜକୁ ସମୟ ଦେବାକୁ ଚାହୁଁଥିବା ନେଇ କହିଛନ୍ତି।

'କଫି ୱିଥ୍ କରଣ'ରେ କରଣ ଜୋହର ଅନନ୍ୟାଙ୍କ ବ୍ରେକଅପ୍ ଷ୍ଟାଇଲକୁ ନେଇ ମଜାଳିଆ ମନ୍ତବ୍ୟ ଦେଇଥିଲେ। ତାଙ୍କ କହିବା ଅନୁସାରେ, ଅନନ୍ୟା ଶୁକ୍ରବାର ବ୍ରେକଅପ୍ କରି ଦୁଃଖରେ ଭାଙ୍ଗିପଡ଼ନ୍ତି, କିନ୍ତୁ ସୋମବାର ସୁଦ୍ଧା ପୁଣି ନିଜକୁ ସମ୍ଭାଳି ନିଅନ୍ତି। କରଣଙ୍କ ଏହି କଥାରେ ହସି ହସି ନିଜ ପ୍ରତିକ୍ରିୟା ରଖି କହିଥିଲେ ସତ କହିବାକୁ ଗଲେ, ମୁଁ ଭାବୁନାହିଁ ଯେ ଏଥିରେ କିଛି ଭୁଲ ଅଛି।ସେ ଏବେ ସିଙ୍ଗଲ ଲାଇଫକୁ ଖୁବ୍ ଉପଭୋଗ କରୁଛନ୍ତି। ଅତୀତରେ ସେ ସମ୍ପର୍କ ଓ ଅନ୍ୟ ଲୋକଙ୍କୁ ନିଜଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଏବେ ନିଜ ପାଇଁ ସମୟ ଦେବା ଏବଂ ନିଜକୁ ଭଲ ଭାବେ ବୁଝିବାକୁ ଚାହୁଁଛନ୍ତି।

ତେବେ ବିବାହକୁ ନେଇ ଅନନ୍ୟାଙ୍କ ଚିନ୍ତାଧାରା କିନ୍ତୁ ଟିକେ ଭିନ୍ନ। ସେ କହିଛନ୍ତି, ବିବାହର ଧାରଣା ତାଙ୍କୁ ବେଶ୍ ସୁନ୍ଦର ଲାଗେ। ଜୀବନସାରା ଜଣେ ବ୍ୟକ୍ତିଙ୍କ ସହ ରହିବା କଥା ଭାବିଲେ ସେ ଉତ୍ସାହିତ ହୋଇପଡ଼ନ୍ତି। କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଭଲପାଇବା ଓ ବୁଝାମଣା ନଥିଲେ ସମ୍ପର୍କକୁ ଜବରଦସ୍ତି ଆଗକୁ ନେବାର କୌଣସି ଅର୍ଥ ନାହିଁ ବୋଲି ମଧ୍ୟ କହିଛନ୍ତି। ଏପରିକି କୌଣସି ସମ୍ପର୍କରେ ଯୋଡ଼ି ହେବା ପୂର୍ବରୁ ଉଭୟ ପରସ୍ପର ବିଷୟରେ ଶତପ୍ରତିଶତ ନିଶ୍ଚିତ ହେବା ଦରକାର ବୋଲି ଅନନ୍ୟା ମତ ରଖିଛନ୍ତି।

ଅନନ୍ୟା ପାଣ୍ଡେ ତାଙ୍କ ପୂର୍ବତନ ପ୍ରେମିକ ୱାକରଙ୍କ ନାମ ନ ନେଇ କହିଥିଲେ, "ମୁଁ କେବେ ଭାବି ନଥିଲି ଯେ ମୁଁ ଏହା କହିବି, କିନ୍ତୁ ମୁଁ ପ୍ରକୃତରେ ସିଙ୍ଗଲ ଲାଇଫକୁ ଉପଭୋଗ କରୁଛି।" କରଣ ଜୋହର ଉତ୍ତର ଦେଇଥିଲେ, "ପ୍ଲିଜ ମୋ କ୍ଲବକୁ ସ୍ୱାଗତ । ମୁଁ ବର୍ତ୍ତମାନ ଯେପରି ଅନୁଭବ କରୁଛି, ମୋତେ ଲାଗୁଛି ଯେ ମୁଁ ବହୁତ ଦିନ ଧରି ନିଜକୁ ନିଜେ ଅନୁଭବ କରୁଛି।"