ନୂଆଦିଲ୍ଲୀ-; ବିଶ୍ୱର ଅଗ୍ରଣୀ ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆର ପୂର୍ବତନ ସିଇଓ ଜେନସେନ୍ ହୁଆଙ୍ଗଙ୍କ ପୁଣିଥରେ କମ୍ପାନୀର ନେତୃତ୍ୱ ନେବା ଆଶା ଏବେ ମଉଳିଯାଇଛି। ତାଙ୍କୁ ସିଇଓ ପଦକୁ ଫେରାଇ ଆଣିବାକୁ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ସ୍ପଷ୍ଟ ଭାବେ ମନା କରିଦେଇଛି। ଏନଭିଡିଆର ଅଧ୍ୟକ୍ଷ ହାର୍ଭେ ଜୋନ୍ସ କହିଛନ୍ତି ଯେ, ହୁଆଙ୍ଗଙ୍କ ଇସ୍ତଫାକୁ ବୋର୍ଡ ସର୍ବସମ୍ମତିକ୍ରମେ ଗ୍ରହଣ କରିଛି ଏବଂ ତାଙ୍କୁ ପୁନର୍ବାର ସିଇଓ ଭାବେ ନିଯୁକ୍ତ କରିବାର କୌଣସି ଯୋଜନା ନାହିଁ।

ଗତ ସପ୍ତାହରେ ପରକିଆପ୍ରୀତି ଏବଂ ଚୀନ୍ର ଗୁପ୍ତଚର ସଂସ୍ଥା ସହ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ଜଣେ ମହିଳାଙ୍କ ସହ ସମ୍ପର୍କକୁ ନେଇ ବିବାଦ ସୃଷ୍ଟି ହେବା ପରେ ହୁଆଙ୍ଗ ପଦ ଛାଡ଼ିଥିଲେ। ଇସ୍ତଫା ପରେ ମଙ୍ଗଳବାର ପ୍ରଥମଥର ପାଇଁ ସେ ସାର୍ବଜନୀନ ଭାବେ ନିଜ ମତ ରଖିଥିଲେ। ନିର୍ଦ୍ଦେଶକ ମଣ୍ଡଳୀ ଆମନ୍ତ୍ରଣ କଲେ ସେ ପୁଣିଥରେ କମ୍ପାନୀର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଥିଲେ। ତେବେ ବୋର୍ଡର ନିଷ୍ପତ୍ତି ପରେ ତାଙ୍କ ପ୍ରତ୍ୟାବର୍ତ୍ତନର ସମ୍ଭାବନା ଆପାତତଃ ଶେଷ ହୋଇଛି।

ଏନଭିଡିଆର ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା ପାଇଁ ଆୟୋଜିତ ନିବେଶକଙ୍କ ସମ୍ମିଳନୀର ଆରମ୍ଭରେ ଅଧ୍ୟକ୍ଷ ହାର୍ଭେ ଜୋନ୍ସ ଏହି ସୂଚନା ଦେଇଥିଲେ। ଏହାପରେ ସେ କମ୍ପାନୀର ମୁଖ୍ୟ ଅର୍ଥ ଅଧିକାରୀ କୋଲେଟ୍ କ୍ରେସ୍ଙ୍କୁ ଆଲୋଚନାର ଦାୟିତ୍ୱ ଦେଇଥିଲେ। ସ୍ଥାୟୀ ନୂତନ ସିଇଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ କ୍ରେସ୍ କମ୍ପାନୀର ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆମେରିକାର ରାଜନୈତିକ ମହଲରେ ମଧ୍ୟ ମତଭେଦ ଦେଖାଦେଇଥିଲା। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ରବିବାର ଏନଭିଡିଆରେ ବ୍ୟାପକ ପରିବର୍ତ୍ତନ ଓ ସଫେଇ ଅଭିଯାନ ସପକ୍ଷରେ ମତ ଦେଇଥିଲେ। ଅନ୍ୟପଟେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ହୁଆଙ୍ଗଙ୍କ ସମର୍ଥନରେ ମତ ରଖିଥିଲେ।

ଟ୍ରମ୍ପ କହିଥିଲେ ଯେ, ହୁଆଙ୍ଗ ଏହି ଘଟଣାରୁ ଏକ ବଡ଼ ଶିକ୍ଷା ପାଇଛନ୍ତି ଏବଂ ସେ ପୁଣିଥରେ ସିଇଓ ପଦକୁ ଫେରିଲେ ତାଙ୍କର କୌଣସି ଆପତ୍ତି ନାହିଁ। ହୁଆଙ୍ଗଙ୍କ ସହ ଟ୍ରମ୍ପଙ୍କ ନିୟମିତ ଯୋଗାଯୋଗ ରହିଥିବା କୁହାଯାଉଛି। ହୁଆଙ୍ଗ ମଧ୍ୟ କହିଥିଲେ ଯେ, କମ୍ପାନୀର କର୍ମଚାରୀ, ନିବେଶକ, ବ୍ୟବସାୟିକ ସହଯୋଗୀ ଏବଂ ଗ୍ରାହକଙ୍କଠାରୁ ତାଙ୍କ ପ୍ରତ୍ୟାବର୍ତ୍ତନ ସପକ୍ଷରେ ବ୍ୟାପକ ସମର୍ଥନ ମିଳିଛି। ଏପରିକି ତାଙ୍କ ସମର୍ଥନରେ ଆରମ୍ଭ ହୋଇଥିବା 'ଷ୍ଟାଣ୍ଡ୍ ୱିଥ୍ ଜେନସେନ୍' ନାମକ ଏକ ଅନଲାଇନ୍ ଅଭିଯାନରେ ଏନଭିଡିଆର ବର୍ତ୍ତମାନର ଓ ପୂର୍ବତନ କର୍ମଚାରୀଙ୍କ ସମେତ ନିବେଶକ ଏବଂ ସିଲିକନ୍ ଭ୍ୟାଲିର ଅନେକ ବ୍ୟକ୍ତି ସାମିଲ ହୋଇଥିଲେ।

ଏହି ବିବାଦର ମୁଖ୍ୟ କେନ୍ଦ୍ରରେ ରହିଛନ୍ତି ଜଣେ ଚୀନ୍ର ବ୍ୟବସାୟିକ ମହିଳା। ସେ ହୁଆଙ୍ଗଙ୍କ ସହ ସମ୍ପର୍କରେ ଥିବା ଏବଂ ଚୀନ୍ର ଗୁପ୍ତଚର ସଂସ୍ଥା ସହ ତାଙ୍କର ସମ୍ଭାବ୍ୟ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ସେ ସିଙ୍ଗାପୁରରେ ଅବସ୍ଥିତ କ୍ଲାଉଡ୍ କମ୍ପ୍ୟୁଟିଂ କମ୍ପାନୀ 'ମେଗାସ୍ପିଡ୍ ଇଣ୍ଟରନ୍ୟାସନାଲ୍'ର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ଆମେରିକା ସରକାର ଏହି କମ୍ପାନୀ ବିରୋଧରେ ରପ୍ତାନି ନିୟନ୍ତ୍ରଣ ନିୟମ ଉଲ୍ଲଂଘନ କରିବା ଏବଂ ଏନଭିଡିଆର ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା ଚିପ୍କୁ ବେଆଇନ ଭାବେ ଚୀନ୍ର କମ୍ପାନୀଗୁଡ଼ିକୁ ଯୋଗାଇବା ଅଭିଯୋଗରେ ତଦନ୍ତ କରୁଛି। ଚୀନ୍କୁ ଉନ୍ନତ ଏଆଇ ଚିପ୍ ବିକ୍ରି ଉପରେ ଆମେରିକାର କଟକଣା ରହିଛି। ତେଣୁ ଏହି ଚିପ୍ଗୁଡ଼ିକର ବେଆଇନ ଯୋଗାଣ ହୋଇଥିବା ସନ୍ଦେହରେ , ଆମେରିକାରେ ଜାତୀୟ ସୁରକ୍ଷା ଏବଂ ବାଣିଜ୍ୟିକ ନିୟନ୍ତ୍ରଣକୁ ନେଇ ଚିନ୍ତା ବଢ଼ାଇଛି।

ଏହି ମାମଲାକୁ ନେଇ ଆମେରିକାର ସଂସଦରେ ମଧ୍ୟ ତଦନ୍ତ ଜୋରଦାର ହୋଇଛି। ମଙ୍ଗଳବାର ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ପ୍ରମୁଖ ସାଂସଦମାନେ କହିଛନ୍ତି ଯେ, ଏନଭିଡିଆର ଉନ୍ନତ ଚିପ୍ ବିକ୍ରିକୁ ନେଇ ଚାଲିଥିବା ତଦନ୍ତରେ ହୁଆଙ୍ଗ ସ୍ୱେଚ୍ଛାକୃତ ଭାବେ ଲିଖିତ ରେକର୍ଡ ସହ ସାକ୍ଷାତକାର ଦେବାକୁ ରାଜି ହୋଇଛନ୍ତି।ଆସନ୍ତା ଡିସେମ୍ବର ୧ ତାରିଖରେ ସେ କଂଗ୍ରେସର ସମ୍ପୃକ୍ତ କମିଟିଗୁଡ଼ିକ ସମ୍ମୁଖରେ ହାଜର ହେବେ। ଏହାପରେ ମାମଲାରେ ତାଙ୍କ ପକ୍ଷରୁ ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ଅନ୍ୟପଟେ, ହୁଆଙ୍ଗଙ୍କୁ ନେଇ ବିବାଦ ଚାଲିଥିଲେ ମଧ୍ୟ ଏନଭିଡିଆର ଆର୍ଥିକ ପ୍ରଦର୍ଶନ ଦୃଢ଼ ରହିଛି। କମ୍ପାନୀ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ହୋଇଥିବା ତ୍ରୈମାସିକ ବ୍ୟବସାୟିକ ଫଳାଫଳରେ ଡାଟା ସେଣ୍ଟର ବ୍ୟବସାୟର ରାଜସ୍ୱ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୧୦୭.୬ ବିଲିୟନ ଡଲାରରେ ପହଞ୍ଚିଥିବା ଜଣାଇଛି। ସେହିପରି ଜାନୁଆରୀରେ ଶେଷ ହେବାକୁ ଥିବା ଚଳିତ ତ୍ରୈମାସିକ ପାଇଁ କମ୍ପାନୀ ୧୩୦ ବିଲିୟନ ଡଲାର ରାଜସ୍ୱ ଆକଳନ କରିଛି। ଏହା ୱାଲ୍ ଷ୍ଟ୍ରିଟ୍ର ବିଶ୍ଳେଷକମାନଙ୍କ ଆଶାଠାରୁ ମଧ୍ୟ ଅଧିକ।

ଏଆଇ ମଡେଲ୍, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଡାଟା ସେଣ୍ଟର ପାଇଁ ଏନଭିଡିଆର ଉନ୍ନତ ଚିପ୍ର ଚାହିଦା ବିଶ୍ୱବ୍ୟାପୀ ବଢ଼ୁଥିବାରୁ କମ୍ପାନୀର ବ୍ୟବସାୟରେ ଏହି ଅଭିବୃଦ୍ଧି ଦେଖାଯାଉଛି। ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏନଭିଡିଆ ପକ୍ଷରୁ ନୂଆ ତଦାରଖ କମିଟି ଗଠନକୁ ସ୍ୱାଗତ କରିଥିଲେ। ଫିଲିପାଇନ୍ସର ରାଜଧାନୀ ମାନିଲାରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ, ଏହା ଏକ ଭଲ ପଦକ୍ଷେପ ଏବଂ ଏନଭିଡିଆ ଏକ ମହାନ କମ୍ପାନୀ।

also read- ୨୦୨୭ରେ ଆମେରିକା ଠାରୁ ୨୭.୫ ଲକ୍ଷ ଟନ ଏଲପିଜି କିଣିବ ଭାରତ: ଆରମକୋ ସମେତ ୪ କମ୍ପାନୀକୁ ଟେଣ୍ଡ

ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଚାଲିଥିବା ସତ୍ତ୍ୱେ କମ୍ପାନୀ ଏବେ ତାଙ୍କ ବିନା ଆଗକୁ ବଢ଼ିବାକୁ ପ୍ରସ୍ତୁତ ହୋଇଛି। ନିବେଶକଙ୍କ ସହ ଆଲୋଚନାର ଶେଷରେ ଅନ୍ତରୀଣ ସିଇଓ କୋଲେଟ୍ କ୍ରେସ୍ କହିଥିଲେ, “ଆମର ବ୍ୟବସାୟିକ ଅଭିବୃଦ୍ଧି ବାସ୍ତବ। ଚାହିଦା ଦ୍ରୁତ ଗତିରେ ବଢ଼ୁଛି। ଆମେ ଏହାକୁ ସମ୍ଭାଳିବା ପାଇଁ ପ୍ରସ୍ତୁତ।” ଏହାଦ୍ୱାରା ସ୍ପଷ୍ଟ ହେଉଛି ଯେ, ନେତୃତ୍ୱ ପରିବର୍ତ୍ତନ ଏବଂ ତଦନ୍ତଜନିତ ଚାପ ମଧ୍ୟରେ ମଧ୍ୟ ଏନଭିଡିଆ ନିଜର ବ୍ୟବସାୟିକ ଲକ୍ଷ୍ୟ ଓ ଏଆଇ ଚିପ୍ ବଜାରରେ ସ୍ଥିତିକୁ ଅକ୍ଷୁଣ୍ଣ ରଖିବା ଉପରେ ଗୁରୁତ୍ୱ ଦେଉଛି।