ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ଓ ଭିଡିଓକୁ ଭାରତରେ ଡିଲିଟ କରାଯାଉଛି। ରାହୁଲ ଲୋକଙ୍କ ସହ ମିଶିବା ବେଳର ଯେଉଁ ଭିଡିଓ ଓ ଫଟୋ ଅପଲୋଡ କରୁଛନ୍ତି ମେଟା ସେଗୁ଼ଡ଼ିକୁ ବାରମ୍ବାର ଡିଲିଟ କରୁଛି। ଏଭଳି କାହିଁକି କରାଯାଉଛି ବୋଲି ମେଟାକୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ସୋସିଆଲ ମିଡିଆ ଓ ଡିଜିଟାଲ ପ୍ଲାଟଫର୍ମ ମୁଖ୍ୟ ସୁପ୍ରିୟା ଶ୍ରୀନେତ। ଏବଂ ତାଙ୍କର ଏଭଳି ବହୁତ ଫଟୋ ଅଛି ବୋଲି କହି ବାହାନା ନ ଦେବାକୁ ସେ ମେଟାକୁ କହିଛନ୍ତି।

ଏନେଇ ଶ୍ରୀନେତ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଭାରତରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ଥିବା ପୋଷ୍ଟଗୁଡ଼ିକୁ କାହିଁକି କଟକଣା ଲଗାଯାଉଛି କିମ୍ବା ଅଟକାଇ ରଖାଯାଉଛି? ଲୋକଙ୍କ ସହ ତାଙ୍କର ସାକ୍ଷାତର ଫଟୋ ଥିବା ପୋଷ୍ଟଗୁଡ଼ିକୁ କାହିଁକି ଅକାରଣରେ ଡିଲିଟ୍ କରାଯାଉଛି? ଦୟାକରି "ଭୁଲବଶତଃ ହୋଇଯାଇଛି" (false positive) ବୋଲି ଆଳ ଦେଖାନ୍ତୁ ନାହିଁ। ଆମେ ଏସବୁ ଶୁଣି ଶୁଣି ବିରକ୍ତ ହୋଇଗଲୁଣି! ଆପଣମାନଙ୍କୁ ଲଜ୍ଜା ଲାଗିବା ଉଚିତ୍।” କଂଗ୍ରେସ ଏହି ଅଭିଯୋଗ ଲଗାଇବା ପରେ ସତ୍ୟସତ୍ୟା ଜାଣିବା ପାଇଁ ମେଟାକୁ ଏକ ମିଡିଆ କମ୍ପାନୀ ପକ୍ଷରୁ ପ୍ରଶ୍ନ କରାଯାଇଛି।

Also Read- ଦୀର୍ଘକାଳୀନ ନିବେଶରେ ମିଳିବା ଫାଇଦା: ଏସଟିଟିରେ ୫୦% ହ୍ରାସ, ଏଲଟିସିଜି ଓ ଏସଟିସିଜି ଟିକସରେ ରିହାତି, କେନ୍ଦ୍ର ବଜେଟ୍ ୨୦୨୭ ପୂର୍ବରୁ ଚାଲିଛି ଆଲୋଚନା

ସେପଟେ ବିଜେପି ପକ୍ଷରୁ ସଂସଦ ଭିତରେ ଆଲୋଚନା ପ୍ରସ୍ତାବକୁ ସୁପ୍ରିୟା ଖାରଜ କରିବା ସହିତ ପ୍ରଧାନମନ୍ତ୍ରୀ ରାହୁଲଙ୍କ ସହ ସିଧାସଳଖ ଡିବେଟ ପାଇଁ କାହିଁକି ରାଜି ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ମୋଦୀ ଯେଉଁ ଟେଲିଭିଜନରେ ଚାହିଁବେ ଯେଉଁ ଆଙ୍କରଙ୍କୁ ଚାହିଁବେ ନିଅନ୍ତୁ, ଆଉ ରାହୁଲ ଗାନ୍ଧୀଙ୍କ ସହ ସିଧାସଳଖ ଡିବେଟ କରନ୍ତୁ। ଉଭୟଙ୍କୁ ୨୦-୨୦ ମିନିଟ ସମୟ ଦିଆଯିବ ବୋଲି ଶ୍ରୀନେତ ଅହ୍ୱାନ ଦେଇଛନ୍ତି। ହେଲେ ମୋଦୀ ମୁହାଁମୁହିଁ ହେବାକୁ ଅମଙ୍ଗ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ବିଜେପିର ସଂସଦ ଆଲୋଚନା ପ୍ରସ୍ତାବକୁ ଖାରଜ କରି ଶ୍ରୀନେତ କହିଛନ୍ତି ଯେ ପିଏମ ମୋଦୀ ସଂସଦକୁ କେଉଁଠି ଆସୁଛନ୍ତି? ଶ୍ରୀ ଶାହ ଏବଂ ଶ୍ରୀ ମୋଦୀ ସଂସଦ ଭବନରେ ଥିବା ନିଜ କାର୍ଯ୍ୟାଳୟକୁ ଆସନ୍ତି, କିନ୍ତୁ ସେମାନେ ସଂସଦ ଗୃହ ଭିତରକୁ ଆସନ୍ତି ନାହିଁ। ଆପଣ ଶେଷ ଦିନରେ ଆଲୋଚନା କରିବାକୁ ଚାହୁଁଛନ୍ତି କାରଣ ଆପଣ ଜାଣନ୍ତି ଯେ ସେତେବେଳେ କୌଣସି ଆଲୋଚନା ହେବ ନାହିଁ। ତେଣୁ ଏଭଳି ପ୍ରତାରଣା ଚଳିବ ନାହିଁ ବୋଲି କହିବା ସହିତ ବିଜେପି ଗଣତନ୍ତ୍ରକୁ ନଷ୍ଟ କରୁଛି ବୋଲି ଶ୍ରୀନେତ ଅଭିଯୋଗ କରିଛନ୍ତି।