ନୂଆଦିଲ୍ଲୀ, ୧୯।୧୧ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦିଲ୍ଲୀର କାଶ୍ମୀର ଗେଟ୍ ଅଞ୍ଚଳରେ ଥିବା ଯୁଦ୍ଧିଷ୍ଠିର ସେତୁରେ ବିଳମ୍ବିତ ରାତ୍ରିରେ ଏକ କାର୍ ଅଟୋକୁ ଧକ୍କା ଦେଇଛି । ଧକ୍କା ଦେବା ପରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ୬ ଜଣଙ୍କୁ ଚାପି ଦେଇଛି କାର୍ । ଏଥିରେ ମୋଟ୍ ୮ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ଦୁଇ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଘଟଣା ଭିଆଇବା ପରେ ଅଭିଯୁକ୍ତ ଡ୍ରାଇଭର ଫେରାର ଥିବା ଜଣା ପଡିଛି । ଘଟଣାକୁ ନେଇ ପୋଲିସ ବେପାରୁଆ ଢଙ୍ଗରେ କାର୍ ଚଳାଇବା ନେଇ ପ୍ରଥମେ ମାମଲା ରୁଜୁ କରିଥିଲା । ୨ ଜଣଙ୍କ ମୃତ୍ୟୁ ପରେ ଏଫଆଇଆରରେ ଧାରା ୧୦୮କୁ ଯୋଡା ଯାଇଛି ।

Also Read :- Vastu Tips: ସନ୍ଧ୍ୟା ପରେ କିଣନ୍ତୁନି ଏହି ୫ଟି ଜିନିଷ, ରୁଷ୍ଟ ହୋଇପାରନ୍ତି ମା’ ଲକ୍ଷ୍ମୀ

କୁହାଯାଉଛି ଯେ, କାରଟି ଦ୍ରୁତ ଗତିରେ ଆସୁଥିଲା । ପ୍ରଥମେ ଏହା ଯୁଦ୍ଧିଷ୍ଠିର ସେତୁରେ ଏକ ଅଟୋ ରିକ୍ସାକୁ ଧକ୍କା ମାରିଥିଲା । ଫଳରେ ୨ ଜଣ ଆହତ ହୋଇଥିଲେ । ଅଟୋକୁ ଧକ୍କା ଦେବା ପରେ ଡ୍ରାଇଭର ଅଟକିବା ବଦଳରେ ଗାଡିକୁ ଆହୁରି ଦ୍ରୁତ ଗତିରେ ନେଇଯାଇଥିଲେ । ଏହି ସମୟରେ ସେ ରାସ୍ତାରେ ଯାଉଥିବା ୬ ଜଣ ବ୍ୟକ୍ତିଙ୍କୁ ଚାପି ଦେଇଥିଲେ । ଏହାପରେ ଗାଡିଟି ଅଟକି ଥିଲା ।

ଅଘଟଣ ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଁଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଡ୍ରାଇଭର ଫେରାର ଥିବାରୁ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିବା ସହ ତଦନ୍ତକୁ ଜୋରଦାର କରାଯାଇଛି ।