ଭୁବନେଶ୍ୱର: ପରିବାରର ହିରୋ ହେଉଛନ୍ତି ବାପା। ସନ୍ତାନସନ୍ତତିଙ୍କୁ ବିପଦରୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଦିଅନ୍ତୁ। ଜୀବଜଗତଠୁ ଆରମ୍ଭ କରି ମଣିଷଙ୍କ ପର୍ଯ୍ୟନ୍ତ ପିତା ହିଁ ସୁରକ୍ଷାଦାତା । ଏଭଳି ଅସଂଖ୍ୟ ଉଦାହରଣ ରହିଛି। ସେଥିରୁ ଏକ ସଦ୍ୟତମ ରୋମାଞ୍ଚକାରୀ ଘଟଣା ଘଟିଛି କପିଳପ୍ରସାଦ ଅଞ୍ଚଳରେ। ଏଠାରେ ବାପା ତେଲେଙ୍ଗାନାର ଏକ ବିପଦପୂର୍ଣ୍ଣ ସଂଖ୍ୟାଲଘୁ କଲୋନିରୁ ନିଜ ଝିଅକୁ ଅପହରଣକାରୀଙ୍କ କବଳରୁ ମୁକୁଳାଇ ସୁରକ୍ଷିତ ଭାବେ ଘରେ ପହଞ୍ଚାଇଛନ୍ତି।

ଏହି ଅଞ୍ଚଳର ବାସିନ୍ଦା ନବଘନ(ଛଦ୍ମନାମ)ଙ୍କ ଝିଅ ଭୁବନେଶ୍ୱରରେ ଥିବା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଝିଅ ପୂର୍ବାହ୍ନରେ କାମକୁ ଯଆନ୍ତି ସନ୍ଧ୍ୟା ୮ଟା ସୁଦ୍ଧା ଘରେ ପହଞ୍ଚି ଯାଆନ୍ତି । କିଛି ଦିନ ତଳେ ଝିଅ ବିଳମ୍ବିତ ରାତି ଯାଏ ଘରେ ପହଞ୍ଚିଲା ନାହିଁ । ମୋବାଇଲ ୱିଚ୍ ଅଫ୍ ଆସିଲା । ବ୍ୟସ୍ତ ବିବ୍ରତ ହୋଇ ନବଘନ ଉକ୍ତ ସଂସ୍ଥାରେ ପଚାରିଲେ । ସିସିଟିଭି ଫୁଟେଜରୁ ଜଣାପଡ଼ିଲା ସେହି ସଂସ୍ଥାରେ କାମ କରୁଥିବା ଜଣେ ସଂଖ୍ୟାଲଘୁ ବର୍ଗର ଲୋକଙ୍କ ସାଙ୍ଗରେ ଝିଅ ପଦାକୁ ଯାଇଛି। ଏହା ଦେଖି ନବଘନଙ୍କ ମୁଣ୍ଡରେ ବଜ୍ର ପଡ଼ିଥିଲା । ସେ ସ୍ଥାନୀୟ ଥାନାରେ ଅପହରଣ ଏତଲା ଦେଇଥିଲେ । ପୁଲିସ ଅପହରଣକାରୀଙ୍କ ମୋବାଇଲ ଟ୍ରାକ୍ କରି ଝିଅ ଫୁଲବାଣୀରେ ଥିବା ଜାଣି ପାରିଥିଲା।

ଏହାପରେ ପୁଲିସର ଏକ ଟିମ୍ ସେଠାରେ ଚଢ଼ଉ କରିଥିଲେ। ହେଲେ ଅପହରଣକାରୀ ସେଠାରୁ ଝିଅକୁ ନେଇ ଚମ୍ପଟ ମାରି ସାରିଥିଲେ। ଏହାପରେ ଝିଅର ପତ୍ତା ପୁଲିସ କିମ୍ବା ନବଘନ ଜାଣିପାରି ନଥିଲେ।

ନିକଟରେ ଏକ ଅଜଣା ନମ୍ବରରୁ ନବଘନଙ୍କ ମୋବାଇଲକୁ କଲ ଆସିଥିଲା । ସେ କଲ ରିସିଭ କଲା ପରେ ସେପଟୁ ଝିଅର ବିକଳ ସ୍ବର ଆସିଥିଲା । ବାପା ସେମାନେ ମୋତେ କାରରେ ହାଇଦରାବାଦ ନିକଟସ୍ଥ ଏକ ସ୍ଥାନକୁ ନେଇ ଆସିଛନ୍ତି। ମୋତେ ନେଇଯାଅ ନଚେତ୍ ସେମାନେ ମୋତେ ମାରିଦେବେ। ନବଘନ ଏକଥା ପୁଲିସକୁ ଜଣାଇଲେ। କିନ୍ତୁ ପୁଲିସ ହାଇଦରାବାଦକୁ ଯିବାକୁ ଟାଳଟୁଳ ନୀତି ଅବଲମ୍ବନ କଲା।

ନବଘନଙ୍କ ମନ ସମ୍ଭାଳିଲା ନାହିଁ । କଳେ ଝିଅର କ'ଣ ହୋଇଯିବ। ସେଥିପାଇଁ ୩ ଦିନ ତଳେ ଭୁବନେଶ୍ବରରୁ ଏକ ଭଡ଼ା କାର୍ରେ ହାଇଦରାବାଦ ବାହାରିଲେ। ସାଙ୍ଗରେ ଜଣେ ବନ୍ଧୁଙ୍କୁ ନେଲେ। ୨ ଦିନ କାଳ ଝିଅ ଦେଇଥିବା ଲୋକେସନ ନିକଟରେ ଲୁଚି ରହିଲେ। ଗତକାଲି ଜଣେ ମହିଳାଙ୍କ ସହିତ ଝିଅ ପଦାକୁ ବାହାରିଥିଲା । ନବଘନ ତତ୍କ୍ଷଣାତ ପଛରୁ ଯାଇ ଝିଅର ହାତକୁ ଭିଡ଼ି ଧରିଲେ । ବାପାଙ୍କୁ ଦେଖି ଝିଅ ତାଙ୍କ ହାତ ଧରି ପକାଇଲା । ମହିଳା ବୁଲି ପଡ଼ି କିଛି ବୁଝିବା ପୂର୍ବରୁ ପାଖରେ ପାର୍କି ହୋଇଥିବା କାରରେ ଝିଅକୁ ବସାଇ ନବଘନ ସେଠାରୁ ବାହାରିଗଲେ । ମହିଳା ପାଟି କରି ଡାକିଲେ।

ତାଙ୍କ ଚିତ୍କାର ଶୁଣି ବାଇକ୍ରେ କିଛି ଯୁବକ ତାଙ୍କ କାରକୁ ପିଛା କଲେ । କିନ୍ତୁ ଡ୍ରାଇଭର ଦ୍ରୁତ ଗତିରେ କାର୍ ଚଳାଇ ମୁଖ୍ୟ ରସ୍ତାକୁ ପଳାଇ ଆସିଲେ। ବାଘ ମୁହଁରୁ ଝିଅକୁ ଖସାଇ ଆଣିବା ଭଳି ଏହି ଦୁଃସାହସିକ ରୋମାଞ୍ଚକର ଯାତ୍ରା କେବଳ ପରିବାର ସଦସ୍ୟଙ୍କୁ ଗଭୀର ଭାବେ ଭଲପାଉଥିବା ଜଣେ ବାପା ହିଁ କରିପାରେ ତାହାର ଏହା ଏକ ଅନନ୍ୟ ଉଦାହରଣ।