ମୁମ୍ବାଇ : ବଲିଉଡରୁ ଆସିଛି ଏକ ବଡ଼ ସରପ୍ରାଇଜ । ବଲିଉଡର ଆଉ ଏକ ବଡ଼ ବାୟୋପିକ୍କୁ ନେଇ ଜୋରଦାର ଚର୍ଚ୍ଚା। ସଙ୍ଗୀତର ଜାଦୁଗର ଆର୍.ଡି. ବର୍ମନଙ୍କ ଜୀବନ ଉପରେ ଆଧାରିତ କାହାଣୀ ଏବେ ରୂପେଲି ପରଦାରେ ଆସିବାକୁ ଯାଉଛି । ଆଉ ଏହି ବହୁ ପ୍ରତୀକ୍ଷିତ ବାୟୋପିକ୍କୁ ନେଇ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି ଅକ୍ଷୟ କୁମାରଙ୍କ ନାଁ । ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ସହ ତାଙ୍କ ଯୋଡ଼ିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି ଫିଲ୍ମରେ ଅକ୍ଷୟ କୁମାର ଏକ ସ୍ୱତନ୍ତ୍ର ଭୂମିକାରେ ନଜର ଆସିପାରନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ ନୀରଜ ପାଣ୍ଡେ କାମ କରୁଛନ୍ତି । ଯଦିଓ ଅକ୍ଷୟ କୁମାର ଆର୍.ଡି. ବର୍ମନଙ୍କ ଭୂମିକାରେ ନଜର ଆସିବେ ନାହିଁ, ତଥାପି ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାମିଓ କିମ୍ବା ସ୍ୱତନ୍ତ୍ର ରୋଲ୍ ରହିପାରେ ବୋଲି କୁହାଯାଉଛି। ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ନିର୍ମାତା କିମ୍ବା ଅକ୍ଷୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ।

ଆର୍.ଡି. ବର୍ମନଙ୍କ ବିଷୟରେ କହିବାକୁ ଗଲେ ସେ ଭାରତୀୟ ସିନେମାର ସେହି ସଙ୍ଗୀତକାର, ଯିଏ ନିଜର ଅଭିନବ ସଙ୍ଗୀତ ଶୈଳୀ ମାଧ୍ୟମରେ ପିଢ଼ି ପରେ ପିଢ଼ି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ତାଙ୍କ ସୁପରହିଟ୍ ଗୀତ ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ପସନ୍ଦର ତାଲିକାରେ ରହିଛି। ତେଣୁ ତାଙ୍କ ଜୀବନ ଉପରେ ନିର୍ମାଣ ହେବାକୁ ଥିବା ବାୟୋପିକ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ବି ଆଗ୍ରହ ବେଶ ରହିଛି ।

ଏବେ ସମସ୍ତଙ୍କ ଅପେକ୍ଷା ରହିଛି ନିର୍ମାତାଙ୍କ ବିଧିବଦ୍ଧ ଭାବେ ଘୋଷଣା ଉପରେ। ପ୍ରକୃତରେ ଅକ୍ଷୟ କୁମାର ଏହି ବାୟୋପିକ୍ର ଏକ ଅଂଶ ହେବେ କି ନାହିଁ, ତାହା ଆଗାମୀ ଦିନରେ ଜଣାପଡିବ ।ଯଦି ଏହି ଖବର ସତ , ତେବେ ଆର୍.ଡି. ବର୍ମନଙ୍କ ବାୟୋପିକ୍ ବଲିଉଡର ସବୁଠୁ ଚର୍ଚ୍ଚିତ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ହୋଇପାରେ। ତେବେ ଏହାକୁ ନେଇ ଅନେକ ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି ।