ନୂଆଦିଲ୍ଲୀ: ଦେଶର ବ୍ୟାଙ୍କିଂ ସେକ୍ଟରରେ ଠକେଇ ପରିମାଣରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇରେ ଜଡିତ ପରିମାଣ ୪୬% ବୃଦ୍ଧି ପାଇ ୪୮,୦୨୧ କୋଟି ଟଙ୍କା ହୋଇଛି। ଯାହା ଗତ ବର୍ଷ ୩୨,୮୦୩ ହଜାର କୋଟି ଟଙ୍କା ଥିଲା। ଅବଶ୍ୟ ଠକେଇ ମାମଲାର ସଂଖ୍ୟା ହ୍ରାସ ପାଇଛି।

ଠକେଇ ମାମଲା କମିଲେ ବି ପରିମାଣ ବଢ଼ିଛି

RBI  ରିପୋର୍ଟ ଅନୁଯାୟୀ, ୨୦୨୫-୨୬ରେ ମୋଟ ୧୦,୧୧୪ଟି ଠକେଇ ମାମଲା ରିପୋର୍ଟ ହୋଇଥିଲା। ଯାହା ପୂର୍ବ ବର୍ଷ ୨୩,୭୨୨ ଥିଲା। ଏହାର ଅର୍ଥ ମାମଲା ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ଯେତିକି ଠକେଇ ହୋଇଛି ସେଥିରେ ଅଧିକ ଟଙ୍କା ଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଠକେଇ ପରିମାଣ ୩୫,୭୦୯ କୋଟି ଟଙ୍କାରେ ପହଞ୍ଚିଛି। ଯାହା ଗତ ବର୍ଷ  ୨୩, ୬୧୭ କୋଟି ଟଙ୍କା ଥିଲା। ସେହିଭଳି ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଏହି ପରିମାଣ ୮,୯୨୭ କୋଟି ଟଙ୍କାରୁ ବଢ଼ି ୧୧, ୩୯୯ କୋଟି ଟଙ୍କାରେ ପହଞ୍ଚିଛି।

ପୁରୁଣା ମାମଲାର ମଧ୍ୟ ଖୁଲାସା

ଆରବିଆଇ କହିଛି, ଏବର୍ଷର ତଥ୍ୟରେ ଏପରି ୩୧୪ଟି ମାମଲା ରହିଛି, ଯାହାର ମୋଟ ମୂଲ୍ୟ ୩୦, ୧୯୯ କୋଟି ଟଙ୍କା ରହିଛ। ଏହି ମାମଲାଗୁଡ଼ିକ ପୂର୍ବ ଆର୍ଥିକ ବର୍ଷର। କିନ୍ତୁ ସୁପ୍ରିମକୋର୍ଟଙ୍କ ୨୦୨୩ ମାର୍ଚ୍ଚ ୨୭ ନିଷ୍ପତ୍ତି ପରେ ଏହାକୁ ପୁନଃ ଯାଞ୍ଚ ପରେ ରିପୋର୍ଟ କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ, ଅନେକ ଥର ଠକେଇ ହୋଇଥିବା ନେଇ ପରେ ଜଣାପଡ଼େ।ତେଣୁ ଯେଉଁ ବର୍ଷରେ ଗୋଟିଏ ଠକେଇ ମାମଲା ରିପୋର୍ଟ ହୋଇଥାଏ, ଜରୁରୀ ନୁହେଁ ଯେ ତାହା ସେହି ବର୍ଷ ହୋଇଥିବ  ।

Also Read: ନା ଚିରିବ ନା ନଷ୍ଟ ହେବ... ଖୁବ୍ ଶୀଘ୍ର ଆସୁଛି ପ୍ଲାଷ୍ଟିକ ନୋଟ୍, RBI କରୁଛି ବଡ ପ୍ଲାନ !​​​​​​​

ଲୋନ ଠକେଇ ସବୁଠୁ ଅଧିକ

ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ଋଣ କିମ୍ବା ଅଗ୍ରିମ ବର୍ଗ (ଆଡଭାନ୍ସ)ରେ ସର୍ବାଧିକ ଠକେଇ ଘଟିଛି। କାରଣ ଆର୍ଥିକ ବର୍ଷ ୨୦୨୫- ୨୬ରେ ୮,୬୪୦ ମାମଲାରେ ୪୦, ୭୭୪ କୋଟି ଟଙ୍କାର ଠକେଇ ହୋଇଛି। ଯାହା ୨୦୨୪-୨୫ ଆର୍ଥିକ ବର୍ଷରେ ୩୦, ୩୬୭ କୋଟି ଟଙ୍କା ଥିଲା। ବିଶେଷଜ୍ଞଙ୍ ମତରେ ବଡ଼ କର୍ପୋରେଟ୍ ଋଣ ଏବଂ ଜାଲ୍ ଡକ୍ୟୁମେଣ୍ଟ ମାଧ୍ୟମରେ ଠକେଇ ବ୍ୟାଙ୍କିଂ ବ୍ୟବସ୍ଥା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।

ଡିଜିଟାଲ୍ ପେମେଣ୍ଟ ଠକେଇ ହ୍ରାସ

ବଡ଼ ବ୍ୟାଙ୍କ ଠକେଇ ବୃଦ୍ଧି ପାଇଥିଲେ ମଧ୍ୟ, କାର୍ଡ ଏବଂ ଡିଜିଟାଲ ପେମେଣ୍ଟ ଠକେଇରେ ଯଥେଷ୍ଟ ହ୍ରାସ ଘଟିଛି। ୨୦୨୫-୨୬ରେ ଏପରି ମାମଲା ମାତ୍ର ୨୯ କୋଟି ଟଙ୍କା ଥିଲା । ଯାହା ପୂର୍ବ ବର୍ଷ ୫୧୭ କୋଟି ଟଙ୍କା ଥିଲା। ମାମଲା ସଂଖ୍ୟା ମଧ୍ୟ ୧୩, ୩୩୨ରୁ ହ୍ରାସ ପାଇ ମାତ୍ର ୨୯୩ ହୋଇଛି। RBI କହିଛି ଯେ, ଡିଜିଟାଲ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ଉନ୍ନତ ମନିଟରିଂ ତଦାରଖ ଯୋଗୁ ଏହି ଠକେଇରେ ହ୍ରାସ ଆସିଛି।

ଖୁବ୍ ଶୀଘ୍ର ଆସିବ କିଲ୍ ସ୍ୱିଚ୍ ସିଷ୍ଟମ୍

ଡିଜିଟାଲ ଠକେଇକୁ ରୋକିବା ପାଇଁ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ଏକ କିଲ୍ ସ୍ୱିଚ୍ ଫିଚର୍ ଆଣିବା ଉପରେ କାମ କରୁଛି। ଏହି ସିଷ୍ଟମ ଦ୍ବାରା ଗ୍ରାହକମାନେ ଜରୁରୀକାଳୀନ ସ୍ଥିତିରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ କାରବାର ତୁରନ୍ତ ବନ୍ଦ କରିପାରିବେ। ଏହା ସହ RBI ଅନ-ଅଫ୍ ସ୍ୱିଚ୍ ଫିଚରକୁ ଆହୁରି ସୁଦୃଢ଼ ​​କରିବାକୁ ଯୋଜନା କରୁଛି। ଯାହା ଗ୍ରାହକଙ୍କୁ ସେମାନଙ୍କ କାର୍ଡ ଏବଂ ଡିଜିଟାଲ ପେମେଣ୍ଟ ଉପରେ ଅଧିକ ନିୟନ୍ତ୍ରଣ ଦେବ।

Also Read: ସଂକଟ ସମୟରେ RBIର ଉପହାର, କେନ୍ଦ୍ର ସରକାରଙ୍କୁ ଦେବ ୨.୮୭ ଲକ୍ଷ କୋଟି ଲାଭାଂଶ

ସାଇବର ସୁରକ୍ଷା ଉପରେ ଫୋକସ୍

RBI, .bank.in ନାମରେ ଏକ ସୁରକ୍ଷିତ ଡୋମେନର ଶୁଭାରମ୍ଭ ମଧ୍ୟ କରିଛି। ଭାରତ ଏପରି ପଦକ୍ଷେପ ନେବାରେ ବିଶ୍ୱର ପ୍ରଥମ ଦେଶ ହୋଇଛି। ଏହା ସାଇବର ସୁରକ୍ଷାକୁ ସୁଦୃଢ଼ ​​କରିବ ଏବଂ ଅନଲାଇନ୍ ବ୍ୟାଙ୍କିଂ ଠକେଇକୁ ରୋକିବାରେ ସାହାଯ୍ୟ କରିବ ବୋଲି ବିଶ୍ୱାସ କରାଯାଉଛି। ଏହି ଡୋମେନ ଦ୍ବାରା କୌଣସି ଓ୍ବେବସାଇଟ କେବଳ ବ୍ୟାଙ୍କର ବୋଲି ସ୍ପଷ୍ଟ ହୋଇପାରିବ।